ପାନୀୟ ଜଳ ଏବଂ ପକ୍କାରାସ୍ତା ସୁବିଧାରୁ ବଞ୍ଚିତ ଦଶିପୁର ଗ୍ରାମବାସୀ

୨୦ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି ;- ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏ ପର୍ଯ୍ୟନ୍ତ ଆବଶ୍ୟକୀୟ ସୁବିଧା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ଗ୍ରାମବାସୀ । ପ୍ରାୟ ଶହେରୁ ଉର୍ଦ୍ଧ୍ବ ଜନସଂଖ୍ୟାବିଶିଷ୍ଟ ଏହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଥିଲେ ମଧ୍ୟ ନ ଥିବା ସହ ସମାନ । ବହୁ ବର୍ଷପୂର୍ବେ ନିର୍ମିତ ରାସ୍ତା ଭାଙ୍ଗି ନଷ୍ଟ ହୋଇଗଲାଣି। ଥକି ଥକି ମଧ୍ୟ ମୋଟର ବାଇକ ତଥା ଆଟୋରିକ୍ସା ଯିବା ଆସିବା କରିବା କଷ୍ଟସାଧ୍ୟ। ଅତି ଜରୁରୀ କ୍ଷେତ୍ରରେ ଆମ୍ବୁଲାନ୍ସ୍ ଗାଡି ମଧ୍ୟ ପହଞ୍ଚିବା ଆଶା ଦିବାସ୍ବପ୍ନ ମାତ୍ର ।

ସରକାରୀ ଯୋଜନାରୁ ନିର୍ମାଣ ହୋଇଥିବା ସୋଲାର ପାଣି ଟାଙ୍କି ମେଘୁଆ ପାଗରେ ପାଣି ଉଠେଇବାରେ ଅସମର୍ଥ ହେଉଥିବାବେଳେ ଖରାଦିନେ ମଧ୍ୟ ଜଳକଷ୍ଟର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇ ନିକଟସ୍ଥ ନାଳରୁ ପ୍ରଦୂଷିତ ପାଣି ନେଇ ଲୋକେ ବ୍ୟବହାର କରୁଛନ୍ତି । ଫଳରେ ଲୋକମାନେ ବିଭିନ୍ନ ରୋଗର ସମ୍ମୁଖୀନ ହେଉଛନ୍ତି । ଶିକ୍ଷା ବିଭାଗ ଦ୍ବାରା ନିକଟ ଅତୀତରେ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ପରେ ଗ୍ରାମର ପିଲାମାନେ ପଢିବା ପାଇଁ ମାଟି କାଦୁଅ ରାସ୍ତାରେ ଅନ୍ୟତ୍ର ଯିବାଆସିବା ପାଇଁ ବାଧ୍ୟ ହେଉଛନ୍ତି ।

ଗାଁରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରଟେ ଅଛି ହେଲେ ସେଠି ମଧ୍ୟ ପାନୀୟଜଳ ଓ ବିଦ୍ୟୁତ ସଂଯୋଗିକରଣ ଏଯାଏଁ ହୋଇପାରିନାହିଁ । ବାରମ୍ବାର ଅଭିଯୋଗ ପରେ ଧ୍ୟ ସ୍ଥିତିରେ କୌଣସି ସୁଧାର ଆସୁନଥିବାରୁ ତୁରନ୍ତ ଗ୍ରାମର ଅବ୍ୟବସ୍ଥା ପ୍ରତି ଦୃଷ୍ଟି ଦେଇ ପ୍ରଶାସନ ସମସ୍ୟାର ସମାଧାନ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ତେବେ ସ୍ଥାନୀୟ ସରପଞ୍ଚ ଉପରିସ୍ଥ ଅଧିକାରୀମାନଙ୍କ ସହ ଆଲୋଚନା କରି ଦଶିପୁର ଗ୍ରାମରେ ଯଥାଶୀଘ୍ର ଉନ୍ନୟନମୂଳକ କାର୍ଯ୍ୟସବୁ କରିବା ପାଇଁ ଯୋଜନା ଚାଲିଥିବା କହିଛନ୍ତି ।

 

Exit mobile version