ବାଣପୁର ଥାନା ବଡ଼ ହନ୍ତୁଆଡ଼ ଗ୍ରାମର ଚୈତନ୍ୟ ନାୟକ (ରବି) କୁ ଗିରଫ କରି କୋଟ ଚାଲାଣ ହୋଇଛି

୧୮ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଣପୁର, :- ସାମାନ୍ୟ ଗଣ୍ଡଗୋଳକୁ ନେଇ ଖଣ୍ଡାରେ ଅତି ବିଭତ୍ସ ଭାବେ ଜଣେ ମାନସିକ ବିକାରଗ୍ରସ୍ତ ଅପରିଚିତ ମହିଳାଙ୍କୁ ହତ୍ୟା କରିଛି ଜଣେ ଉଦ୍‌ଭ୍‌୍ରାନ୍ତ ଯୁବକ । ବାଣପୁର ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ମାନସିକ ବିକାରଗ୍ରସ୍ତ ଅଜ୍ଞାତ ମହିଳାଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୁଲିସ । ହତ୍ୟାକାଣ୍ଡର ଅଭିଯୁକ୍ତ ବାଣପୁର ଥାନା ବଡ଼ ହନ୍ତୁଆଡ଼ ଗ୍ରାମର ଚୈତନ୍ୟ ନାୟକ ଓରଫ ରବି (୩୦)କୁ ଗିରଫ କରି ଅଦାଲତ ଚାଲାଣ କରିଛି ବାଣପୁର ପୁଲିସ । ଏ’ ନେଇ ମଙ୍ଗଳବାରେ ବାଣପୁର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ ସୂଚନା ଦେଇଛନ୍ତି ।

ଗତ ଗୁରୁବାର ସକାଳେ ବାଣପୁର ଗାଲୁଆ ଛକ ନିକଟସ୍ଥ ଏକ ଅଳିଆ ଗଦା ନିକଟରେ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ପଞ୍ଚନାମା କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ତଦନ୍ତ ସମୟରେ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିବାରେ, ମହିଳା ଜଣଙ୍କ ଖାଉଥିବା ବେଳେ ଜଣେ ଯୁବକ ଅତି ବିଭତ୍ସ ଭାବେ ଏକ ଖଣ୍ଡାରେ ମହିଳାଙ୍କୁ ବାରମ୍ବାର ଚୋଟ ମାରିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଫଳରେ ମହିଳା ଜଣଙ୍କ ଚେତାଶୂନ୍ୟ ହୋଇପଡିଥିଲେ । ଏପରିକି ଖଣ୍ଡାରେ ଆକ୍ରମଣ କରିବା ପରେ ମଧ୍ୟ ମହିଳା ଜଣଙ୍କର ମୃତ୍ୟୁ ସମ୍ପର୍କରେ ନିଶ୍ଚିତ ହେବା ପାଇଁ ହତ୍ୟାକାରୀ ଜଣଙ୍କ ନିକଟରେ ଛପି ରହିଥିଲା ।

କିଛି ସମୟ ପରେ ମହିଳା ଜଣଙ୍କ ଚେତା ପାଇ ହଲଚଲ ହେବାରେ ହତ୍ୟାକାରୀ ପୂର୍ନବାର ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଅଧିକ ତଦନ୍ତ ପରେ ଘଟଣାଦିନ ସଂପୃକ୍ତ ମହିଳାଙ୍କ ସହ ରବି ଏକାଧିକ ସ୍ଥାନରେ ରହିଥିବା ସିସିଟିଭି ଫୁଟେଜରୁ ପୁଲିସ ଜାଣିବାକୁ ପାଇବା ସହ ମଧ୍ୟ ରାତିରେ ଏକ ନାଲି ରଙ୍ଗର ସାଇକେଲରେ ରବି ଯାଉଥିବା ସିସିଟିଭି କ୍ୟାମେରାରୁ ଜଣାପଡିଥିଲା । ପୁଲିସ ରବିକୁ ଉଠାଇ ଆଣି ପଚରା ଉଚରା କରିବା ପରେ ସେ’ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିବା ସହ ରବିର ସୂଚନା କ୍ରମେ ପୁଲିସ ନିକଟସ୍ଥ ଶାଳିଆ କେନାଲ ହୁଡାରୁ ଖଣ୍ଡାଟି ଜବତ କରିଥିଲା ।

ତେବେ ଅଭିଯୁକ୍ତ ରବି କ’ଣ ପାଇଁ ସମ୍ପୃକ୍ତ ମାନସିକ ବିକାରଗସ୍ତ ମହିଳାଙ୍କୁ ହତ୍ୟା କଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଉକ୍ତ ଦିନ ରାତିରେ ଅଭିଯୁକ୍ତ ରବି ସହ ମହିଳାଙ୍କ ଗଣ୍ଡଗୋଳ ହୋଇଥିବା ବେଳେ ମହିଳା ଜଣକ ରବିକୁ ବହୁ କଟୁ କଥା କହିଥିବାରୁ ସେ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି । ପୁଲିସ ଅଭିଯୁକ୍ତ ନିକଟରୁ ଏକ ନାଲି ସାଇକେଲ, ଟି ସାର୍ଟ, ଟ୍ରାକ ପ୍ୟାଣ୍ଟ ଓ ଟାୱେଲ ଜବତ କରିଛି । ଅଭିଯୁକ୍ତ ରବିକୁ ଆଜି ଅଦାଲତ ଚାଲାଣ କରାଯାଇଥିବା ବେଳେ ମୃତ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ପରିଚୟ ଅଦ୍ୟାବଧି ମିଳିପାରିନାହିଁ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡଙ୍କ ସମେତ ବାଣପୁର ଥାନାଧିକାରୀ ରମେଶ ଚନ୍ଦ୍ର ଦେବତା ଓ ବାଲୁଗାଁ ଥାନାଧିକାରୀ ଜୟ ପ୍ରକାଶ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version