ଶ୍ରୀମଦ୍ ଭାଗବତ୍ କଥାମୃତ ସପ୍ତାହ ଉଦ୍‌ଘାଟିତ : ମୁରଲୀଧର ରଥ ସମ୍ମାନିତ

୧୫ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଭୁବନେଶ୍ୱରର ବୀର ସୁରେନ୍ଦ୍ର ସାଏ ନଗର ସ୍ଥିତ ‘ଭୁବନେଶ୍ୱରୀ ମନ୍ଦିର ପରିସରରେ ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ ଶ୍ରୀଭାଗବତ ପାରାୟଣ ଓ ଭଗବତ୍ କଥା’ ସପ୍ତାହ ଉଦ୍‌ଘାଟିତ ହୋଇଯାଇଛି । ଏହି ଆଧ୍ୟାତ୍ମକ କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ ନିଗମାନନ୍ଦ ଆଶ୍ରମ ଭୁବନେଶ୍ୱରର ପୀଠାଧିଶ ସ୍ୱାମୀ ଶ୍ରୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ, ଶ୍ରୀକୃଷ୍ଣ ଚୈତନ୍ୟ ମଠର ମୁଖ୍ୟ ତ୍ରିଦଣ୍ଡୀ ସ୍ୱାମୀ ଭକ୍ତି ବିବେକ ମଧୁସୂଦନ ମହାରାଜ ବିଶିଷ୍ଟ ଜୀବନୀ ଲେଖକ ଶ୍ରୀ ଜ୍ଞାନ ରଞ୍ଜନ ମହାନ୍ତି ପ୍ରଦୀପ ପ୍ରଜ୍ଜେ୍ୱାଳନ କରି ଉଦ୍‌ଘାଟନ କରି ସାଂପ୍ରତିକ ଜୀବନଧାରାରେ ଶ୍ରୀଭାଗବତ ଧର୍ମ, ବାଣୀ ଓ ଚିନ୍ତନର ମହତ୍ୱ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ ।

ଭାଗବତ କଥାମୃତ-୧ ର ପ୍ରବକ୍ତା ଭାବରେ ଭୁବନେଶ୍ୱରର ଶ୍ରୀକୃଷ୍ଣ ଚୈତନ୍ୟ ମଠର ସନ୍ଥ ତ୍ରିଦଣ୍ଡୀ ସ୍ୱାମୀ ଭକ୍ତି ବିବେକ ମଧୁସୂଦନ ମହାରାଜ ଯୋଗ ଦେଇ ଶ୍ରୀ ଭାଗବତ କଥାମୃତର ଆରମ୍ଭ କରି ଏହାର ପୃଷ୍ଠଭୂମି ଓ ଜୀବନର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁରଲୀଧର ରଥଙ୍କ ଜୀବନୀ ପୁସ୍ତକ ଲୋକାର୍ପିତ ହେବା ସଂଗେ ସଂଗେ ଏହାର ରଚୟିତା ବିଶିଷ୍ଟ ଜୀବନୀ ଲେଖକ ଶ୍ରୀ ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଅନୁଷ୍ଠାନର ସଭାପତି ପ୍ରଫେସର ସୁରେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଧ୍ୟାତ୍ମକ ମିଳନରେ ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ କରିଥିଲେ ଅନୁଷ୍ଠାନର ସାଧାରଣ ସଂପାଦକ ଡ଼କ୍ଟର ପ୍ରମୋଦ କୁମାର ପରିଡ଼ା ଓ ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତା ୨୧ ତାରିଖ ପୂର୍ଣ୍ଣାହୂତି ଯାଏ ଭାଗବତ ପାରାୟଣ ଓ କଥାମୃତ ଶ୍ରବଣ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସୂତ୍ରରୁ ପ୍ରକାଶିତ ହୋଇଛି ।

Exit mobile version