ହରିୟାଣା ବିଧାନସଭା ପିଟିସନ୍‌ କମିଟି ସଦସ୍ୟମାନଙ୍କ ସହ କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂହଙ୍କ ସୌଜନ୍ୟ ସାକ୍ଷାତ

ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ହରିୟାଣା ବିଧାନସଭାର ପିଟିସନ୍‌ କମିଟିର ୮ ଜଣିଆ ସଦସ୍ୟ ଆଜି ଅପରାହରେ ଓଡ଼ିଶା ବିଧାନସଭା ଆସି କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ପିଟିସନ୍‌ କମିଟିର ଅଧ୍ୟକ୍ଷ ବରିଷ୍ଠ ବିିଧାୟକ ଶ୍ରୀ ଘନଶ୍ୟାମ ଦାସ ଆରୋରାଙ୍କ ସହ ଅସିଥିବା ସଦସ୍ୟମାନେ ଓଡ଼ିଶା ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତିଙ୍କ ସହ ବିଧାନସଭାର ବିଭିନ୍ନ କାର୍ଯ୍ୟ ଓ ନୀତିନିୟମ ସଂପର୍କରେ ବିଶଦ ଆଲୋଚନା କରିଥିଲେ । କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂହ ଓଡ଼ିଶା ବିଧାନସଭାର ବିଭିନ୍ନ କମିଟିର କାର୍ଯ୍ୟ, ବିଭିନ୍ନ ଅଧିବେଶନରେ ହେଉଥିବା ଆଲୋଚନା ଓ ନୀତିନିୟମ ସମ୍ବନ୍ଧରେ ଅବଧାରଣା ଦେଇଥିଲେ ।

ହରିୟାଣାର ବିଧାୟକମାନେ ଓଡ଼ିଶା ସରକାରଙ୍କ ବିବିଧ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ । ପିଟିସନ୍‌ କମିଟିର ସଦସ୍ୟମାନେ କାର୍ଯ୍ୟକାରୀ ବାଚସ୍ପତିଙ୍କୁ ହରିୟାଣା ବିଧାନସଭାର ‘ରୁଲସ୍‌ ଆଣ୍ଡ ପ୍ରୋସିଡ଼ିୟର’ ପୁସ୍ତିକା ପ୍ରଦାନ କରିଥିବାବେଳେ କାର୍ଯ୍ୟକାରୀ ବାଚସ୍ପତି ମଧ୍ୟ ଓଡ଼ିଶା ବିଧାନସଭାର ‘ରୁଲସ୍‌ ଆଣ୍ଡ ପ୍ରୋସିଡ଼ିୟର’ ପୁସ୍ତିକା ସେମାନଙ୍କୁ ପ୍ରଦାନ କରିଥିଲେ । ଶ୍ରୀ ସିଂହ ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ପରିଦର୍ଶନରେ ଯାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିବାକୁ ଅତିଥିମାନଙ୍କୁ ପରାମର୍ଶ ଦେଇଥିଲେ ।

ହରିୟାଣାର ବିଧାୟକମାନେ କାର୍ଯ୍ୟକାରୀ ବାଚସ୍ପତିଙ୍କୁ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ସହ ହରିୟାଣା ପରିଦର୍ଶନରେ ଆସିବା ପାଇଁ ଆମନ୍ତ୍ରଣ କରିଥିଲେ ା ଓଡ଼ିଶା ବିଧାନସଭା ପକ୍ଷରୁ ଅତିଥିମାନଙ୍କୁ ସ୍ମାରକୀ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପିଟିସନ୍‌ କମିଟିର ୮ ଜଣିଆ ସଦସ୍ୟମାନେ ହେଲେ ବିଧାୟକ ଶ୍ରୀ ଜଗ୍‌ବୀର ସିଂ ମଲ୍ଲିକ, ଶ୍ରୀମତୀ ଗୀତା ଭୁକାଲ୍‌, ଶ୍ରୀମତୀ ଶକୁନ୍ତଳା ଚ୍ୟଟକ୍‌, ଶ୍ରୀ ଲୀଳାରାମ୍‌, ଶ୍ରୀ ଲକ୍ଷ୍ମଣ ସିଂ ଯାଦବ, ଶ୍ରୀ ସଂଜୟ ସିଂ, ଶ୍ରୀ ରାମ ନିବାସ । ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏହି ସାକ୍ଷାତକାର ସମୟରେ ଉପସ୍ଥିତ ରହି ଅତିଥିମାନଙ୍କୁ ବିଭିନ୍ନ ବିଷୟରେ ଅବଗତ କରାଇଥିଲେ । ପରେ ଅତିଥିମାନେ ଓଡ଼ିଶା ବିଧାନସଭାର ବିଭିନ୍ନ ଗୃହକୁ ବୁଲି ଦେଖିଥିଲେ ।

Exit mobile version