୭ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ହିଞ୍ଜିଳି ଥାନା ତଥା ୫୯ ନଂ ଜାତୀୟ ରାଜପଥ ଶ୍ୟାମଳାଇ ଛକ ପ୍ୱାଶ୍ୱର୍ରେ ମେଦିରୀ ସମ୍ପ୍ରଦାୟର ୧୫ ପରିବାରଙ୍କୁ ବୁରୁପୋଡା ପ୍ରାଥମିକ ବିଦ୍ୟାଳୟ ଖେଳପଡିଆ ଜମିରେ ବସତି ସ୍ଥାପନ କରିବାକୁ ଜାଗା ପ୍ରଦାନକୁ ନେଇ ଗ୍ରାମବାସୀ ବିରୋଧ କରିଛନ୍ତି । ପ୍ରତିବାଦରେ ଗୁରୁବାର ଅପରାହ୍ନରେ ୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ପାଇଁ ହିଞ୍ଜିଳିକାଟୁ – ଶେରଗଡ ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ପାଇଁ ଶେରଗଡ – ହିଞ୍ଜିଳିକାଟୁ- କଙ୍କୋରଡା ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା ।
ପ୍ରକାଶ ଯେ, ମେଦିରୀ ସମ୍ପ୍ରଦାୟର ୧୫ରୁ ଉର୍ଦ୍ଧ୍ୱ ପରିବାର ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ୱ ଦିନ ଧରି ହିଞ୍ଜିଳିକାଟୁ ବ୍ଳକ ବୁରୁପୋଡା ପଞ୍ଚାୟତ ତଥା ୫୯ ନଂ ଜାତୀୟ ରାଜପଥ ଶ୍ୟାମଳାଇ ଛକ ପ୍ୱାଶ୍ୱର୍ରେ ବସତି ସ୍ଥାପନ କରି ରହି ଆସୁଛନ୍ତି । ବର୍ତ୍ତମାନ ୫୯ ନଂ ଜାତୀୟ ରାଜପଥ ସଂମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ସଂପୃକ୍ତ ମେଦିରୀ ସମ୍ପ୍ରଦାୟର ପରିବାରଙ୍କୁ ଅନ୍ୟତ୍ର ଥାଇଥାନ କରିବା ପାଇଁ ହିଞ୍ଜିଳିକାଟୁ ରାଜସ୍ୱ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସଂପୃକ୍ତ ପରିବାରଙ୍କୁ ବୁରୁପୋଡା ପ୍ରାଥମିକ ବିଦ୍ୟାଳୟ ପଛପଟ ଖେଳପଡିଆ ଜମି ଚିହ୍ନଟ କରାଯାଇ ଗୁରୁବାର ହିଞ୍ଜିଳିକାଟୁ ରାଜସ୍ୱ ବିଭାଗ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯାଉଥିଲା ।
ଖବର ପାଇ ଗ୍ରାମବାସୀ ବିଦ୍ୟାଳୟ ଖେଳପଡିଆ ଜମିକୁ ମେଦିରୀ ସମ୍ପ୍ରଦାୟର ପରବିାରଙ୍କୁ ସଂପୃକ୍ତ ସ୍ଥାନରେ ଥାଇଥାନ ନକରିବା ପାଇଁ ପ୍ରତିବାଦ କରିଥିଲେ । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଗ୍ରାମବାସୀ ମିଳିତ ହୋଇ ବିରୋଧ କରିବା ସହ ପ୍ରତିବାଦରେ ହିଞ୍ଜିଳିକାଟୁ – ଶେରଗଡ ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ପାଇଁ ଶେରଗଡ, କଙ୍କୋରଡା, ଜଗନ୍ନାଥପୁରୀ, ପାଟପୁର ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।