ଶାରୀରିକ ସମ୍ପର୍କ ରଖିବା ଓ ମନ୍ଦ ଉଦେଶ୍ୟରେ ମିଛ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଏକା କଥା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ

୦୬ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଏକାଠି ରହି ସ୍ଵତନ୍ତ୍ର ମୁହୂର୍ତ୍ତରେ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ନୁହେଁ ବୋଲି କହିଲେ ଓଡିଶା ହାଇକୋର୍ଟ । ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣାକୁ ନେଇ ଦାୟର ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ ।

ଉତ୍ତମ ସମ୍ପର୍କ ଥାଇ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ମନ୍ଦ ଉଦେଶ୍ୟରେ ମିଛ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଏକା କଥା ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ଭଲ ବନ୍ଧୁତାରୁ ଆରମ୍ଭ ହୋଇଥିବା ସମ୍ପର୍କରେ କୌଣସି କାରଣରୁ ଫାଟ ହେଲେ ପୁରୁଷ ବନ୍ଧୁଙ୍କ ନାମରେ ବଳାତ୍କାର ମାମଲା ରୁଜୁ କରିବା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଲକ୍ଷ୍ମୀସାଗର ଥାନାରେ ବଳାତ୍କାର ମାମଲା ରୁଜ୍ଜୁ କରିଥିଲେ । ଏଭଳି ଅଭିଯୋଗ ପାଇବା ପରେ ଲକ୍ଷ୍ମୀସାଗର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗରିଫ କରିଥିଲା । ଆଇପିସିର ଅନ୍ୟ ଧାରା ସହିତ ବଳାତ୍କାର ମାମଲା ବା ୩୭୬ ଦଫାରେ ମାମଲା ମଧ୍ୟ ରୁଜୁ ହୋଇଥିଲା ।

ଏହାକୁ ଚାଲେଞ୍ଚ କରି ଅଭିଯୁକ୍ତ ପୁରୁଷ ବନ୍ଧୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏଫଆଇଆର ଅନୁଯାୟୀ ପୁରୁଷ ବନ୍ଧୁ କୌଣସି ପ୍ରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଜଣା ପଡୁନାହିଁ । ଯଦି ପୁରୁଷ ବନ୍ଧୁ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଶାରୀରିକ ସମ୍ପର୍କ ରଖିଥାନ୍ତେ ତେବେ ଆଇପିସିର ୩୭୬ ଦଫାରେ ମାମଲା ରୁଜ୍ଜୁ ହୋଇଥାନ୍ତା ।

Exit mobile version