୩ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆଲମେରେ :- ରିଖ ନେଦରଲ୍ୟାଣ୍ଡସର ଆଲମେରେ ନଗରରେ ମହାସମାରୋହରେ ରଥ ଯାତ୍ରା ଉତ୍ସବ ପାଳନ କରାଯାଇଛି । ଓଡ଼ିଆ ସୋସିଓ କଲଚରାଲ ଆସୋସିଏସନ, ନେଦରଲ୍ୟାଣ୍ଡସ (ଓସକାନ) ଦ୍ଵାରା ଏହି ରାଷ୍ଟ୍ରରେ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବା ଘୋଷଯାତ୍ରା ମହୋତ୍ସବକୁ କେନ୍ଦ୍ର କରି ଉଭୟ ସଂଗଠକ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ, ଅସୀମ ଉନ୍ମାଦନା ଏବଂ ଅଫୁରନ୍ତ ଉଦ୍ଦୀପନା ଦେଖାଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ନେଦରଲ୍ୟାଣ୍ଡସର କୋଣ ଅନୁକୋଣରୁ ଶତାଧିକ ଓଡ଼ିଆ ଏବଂ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାରବର୍ଗ ଓ ବନ୍ଧୁପରିଜନଙ୍କ ସହିତ ଆସି ବଢ଼ି ଚଢ଼ିକି ରଥ ଟଣା ଏବଂ ଭଜନ କୀର୍ତ୍ତନରେ ଭାଗ ନେବାର ଦୃଶ୍ୟ ହୃଦୟସ୍ପର୍ଶୀ ଥିଲା ।
ରଥଯାତ୍ରା ଦିନ ସକାଳେ ଆଲମେରେର ଆଉଦ୍ରେହେପବର୍ଣ୍ଣସ୍ତ୍ରାଟଠାରେ ବିରାଜମାନ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ସାମ୍ନାରେ ପୂଜକଙ୍କ ଦ୍ୱାରା ସ୍ବତନ୍ତ୍ର ପୂଜାର୍ଚ୍ଚନା ଏବଂ ନୀତିକାନ୍ତି ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା । ଏହାପରେ ଠାକୁର ମାନଙ୍କୁ ରଥ ଉତ୍ସବର ସ୍ଥଳ ଦି ରୁଇମଟ ପ୍ରେକ୍ଷାଳୟକୁ ଅଣାଯାଇଥିଲା । ଏହି ଉପଲକ୍ଷେ ସଭାଗୃହକୁ ରଙ୍ଗବେରଙ୍ଗର ପିପିଲି ଚାନ୍ଦୁଆ, ବିଭିନ୍ନ ପ୍ରକାର ଫୁଲ, ଆମ୍ବପତ୍ର, ଚିତା, ମୁରୁଜ ଦ୍ଵାରା ଅତ୍ୟନ୍ତ ଚିତ୍ତାକର୍ଷକ ଭାବେ ସଜ୍ଜାଯାଇଥିଲା। ସମଗ୍ର ପରିବେଶଟି ଆଧ୍ୟାତ୍ମିକ ଓ ଭକ୍ତିପୂତ ଉତ୍ସ୍ୱାସରେ ଭରି ଉଠିଥିଲା ।
ଦିଅଁମାନଙ୍କୁ ପ୍ରେକ୍ଷାଳୟର ମଧ୍ୟ ଭାଗରେ ଶୋଭାପାଉଥିବା ସୁନ୍ଦର ଓ ସୁସଜ୍ଜିତ ରଥ ଉପରକୁ ଧାଡୀ ପହଣ୍ଡି କରି ନିଆଯାଇଥିଲା । ଉପସ୍ଥିତ ଦର୍ଶକ ମାନଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନି ଏବଂ ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ ତଥା ଭଜନ, କୀର୍ତ୍ତନର ମୃଦ୍ୟୁମନ୍ଦ ଆବାଜରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା । ଏହାପରେ ରଥ ଉପରେ ଜୀଉ ମାନଙ୍କର ଆରତୀ ଅନୁଷ୍ଠିତ ହୋଇଥିଲା । ଦିନ ସାଢେ ୧୨ଟା ସମୟରେ ବହୁ ଆକାଂକ୍ଷିତ ଓ ଦୀର୍ଘ ପ୍ରତିକ୍ଷିତ ରଥଟଣା ପର୍ବ ଆରମ୍ଭ ହୋଇଥିଲା ।
ମହାବାହୁ ତଥା ତାଙ୍କର ଭାଇ ଓ ଭଉଣୀ ବିଜେ କରିଥିବା ରଥଟିକୁ ଅଡିଟୋରିୟମର ଚତୁର୍ପାଶ୍ୱରେ ଦୀର୍ଘ ଏକ କିଲୋମିଟର ପରିଧି ମଧ୍ୟରେ ବୁଲାଯାଇ ପୁଣି ଉତ୍ସବ ସ୍ଥାନକୁ ଫେରାଇ ଅଣା ଯାଇଥିଲା । ନେଦରଲ୍ୟାଣ୍ଡସର ରାଜରାସ୍ତାରେ ରାଜକୀୟ ଠାଣିରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କର ରଥ ଗଡି ଚାଲିବାର ଦୃଶ୍ୟ ଅନନ୍ୟ ଓ ଅଭୁଲା ଥିଲା । ଏହି ଅବସରରେ ହେଗସ୍ଥିତ ଭାରତୀୟ ଦୂତାବାସର ଡେପୁଟି ଚିଫ୍ ମିଶନ ଶ୍ରୀ ଜିନ୍ସ ମତ୍ତମ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପାରମ୍ପାରିକ ପ୍ରଦୀପ ପ୍ରଜ୍ବଳନ କରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ରଥଯାତ୍ରା ଉତ୍ସବ ଉପଲକ୍ଷେ ପରିବେଷିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମମାନଙ୍କ ମଧ୍ୟରେ ଜଗନ୍ନାଥ ଭଜନ ଓ ଓଡ଼ିଆ ସଙ୍ଗୀତଗାୟନ, ଓଡ଼ିଶୀ ଓ ଭାରତନାଟ୍ୟମ୍ ନୃତ୍ୟ ପ୍ରଦର୍ଶନ ତଥା ଶିଶୁ କଳାକାରମାନଙ୍କ ଦ୍ବାରା ବାଦ୍ୟ ଯନ୍ତ୍ର ପରିବେଷଣ ଆଦି ଖୁବ ମନୋରଞ୍ଜକ ଥିଲା । ଓସକାନର ସଦସ୍ୟ ମାନଙ୍କ ଦ୍ଵାରା ମଞ୍ଚସ୍ଥ ଭକ୍ତର ଭଗବାନ – ଦାସିଆ ବାଉରୀ ନାଟକରେ କଳାକାର ମାନଙ୍କର ଅଭିନୟ ଖୁବ ଜୀବନ୍ତ ଓ ନିଖୁଣ ଥିଲା ତଥା ଦର୍ଶକମାନଙ୍କୁ ଭାବବିହ୍ୱଳ କରିଦେଇଥିଲା । ଜଗନ୍ନାଥ ସଂସ୍କୃତିରେ ବଡ଼ ଠାକୁର ରାଜାପ୍ରଜା, ଧନୀଦରିଦ୍ର, ଦୁର୍ବଳ ସବଳ ନିର୍ବିଶେଷରେ ସମସ୍ତଙ୍କର ବୋଲି ଏହି ନାଟକରେ ମୁଖ୍ୟତଃ ଦର୍ଶାଯାଇଥିଲା । ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ଏବଂ ପାରମ୍ପାରିକ ପୋଷାକ ପ୍ରତିଯୋଗିତା ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ।
