ଗ୍ରାମ୍ୟ ଉନ୍ନୟନ ସଚିବ ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ସେତୁର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ

ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-ଏଣିକି ସୁଗମ ହେବ ଧବଳେଶ୍ବର ପୀଠକୁ ଭକ୍ତଙ୍କ ଯାତ୍ରା । ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନ ସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶେଷସ୍ପର୍ଶ ଦିଆଯିବା ପରେ ଏହା ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ଉନ୍ମୁକ୍ତ ରହିବ । ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ । ଏଣିକି ସ୍ଥଳପଥ ଦେଇ ଧବଳେଶ୍ଵର ପୀଠରେ ପହଞ୍ଚି ପାରିବେ ଭକ୍ତ । ସୁଗମ ହେବ ଭକ୍ତଙ୍କ ଯାତ୍ରା ।ଏହାଫଳରେ ଧବଳେଶ୍ଵର ପୀଠକୁ ଆଶାତୀତ ଭାବେ ଭକ୍ତ ଓ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ , ସେତୁ ନିର୍ମାଣ ସ୍ଥଳ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ବିଷୟ ପ୍ରକାଶ କରିଛନ୍ତି । ଧବଳେଶ୍ଵର ପୀଠର ଭୌଗୋଳିକ ଅବସ୍ଥିତି ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀର ବୈଭବକୁ ମଣ୍ଡନ କରେ । ଏହିସ୍ଥାନକୁ ସୁରକ୍ଷିତ ଯୋଗାଯୋଗ ସୁନିଶ୍ଚିତ ହୋଇଯିବା ପରେ ଏହା ପର୍ଯ୍ୟଟକମାନଙ୍କୁ ବହୁଳ ଭାବରେ ଆକୃଷ୍ଟ କରିବ ବୋଲି ଆଶା କରାଯାଉଥିବା ଶ୍ରୀ ସିଂହ ମତବ୍ୟକ୍ତ କରିଛନ୍ତି ।ବିଜୁ ସେତୁ ଯୋଜନା ଅନ୍ତର୍ଗତ ମଞ୍ଚେଶ୍ଵର ଗ୍ରାମ ଠାରୁ ଧବଳେଶ୍ଵର ପୀଠ ପର୍ଯ୍ୟନ୍ତ ଏହି ବିସ୍ତୃତ ସେତୁ ପ୍ରାୟ ୨୨କୋଟି୨୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହାର ଦୈର୍ଘ୍ୟ ୨୭୬ମିଟର ରହିଥିବା ବେଳେ ଏହାର ପ୍ରସ୍ଥ ୬.୨ମିଟର ରହିଛି । ଏହାର ଉଭୟ ପାର୍ଶ୍ଵରେ ୩୬୦ମିଟର ସଂଯୋଗକାରୀ ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି । ଧବଳେଶ୍ଵର ପୀଠକୁ କୌଣସି ସ୍ଥାୟୀ ସେତୁ ସଂଯୋଗ ନଥିଲା । ଯାହାଫଳରେ ଶ୍ରଦ୍ଧାଳୁ, ଭକ୍ତ ଓ ଦର୍ଶନାର୍ଥୀ ମାନଙ୍କୁ ଝୁଲାପୋଲ ଉପରେ ନିର୍ଭର କରିବାକୁ ପଡୁଥିଲା । ଏଥିସହ ଦର୍ଶନାର୍ଥୀମାନେ ଶ୍ରାବଣମାସ, ବଡଓଷା ଓ ବିଭିନ୍ନ ପର୍ବପର୍ବାଣୀ ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।କେବଳ ଦର୍ଶନାର୍ଥୀ ନୁହଁନ୍ତି ପୂଜକମାନେ ମଧ୍ୟ ବାବା ଧବଳେଶ୍ଵରଙ୍କ ରୀତିନୀତି ସମ୍ପନ୍ନ ନିମନ୍ତେ ଆବଶ୍ୟକ ସାମଗ୍ରୀ ପରିବହନ ଓ ଗମନାଗମନରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀମୁଖ୍ୟ ଶ୍ରୀ ପ୍ରଦୀପ କୁମାର ସାମଲ , ମୁଖ୍ୟ ଯନ୍ତ୍ରୀ (ସେତୁ ଓ କୋଠାବାଡି) ଶ୍ରୀ ରମେଶ ଚନ୍ଦ୍ର ବେହେରା , ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ସୋମନାଥ ପରିଡା, ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଅଶୋକ କୁମାର ସାହୁ,ଉପନିର୍ଦ୍ଦେଶକ ସୂଚନା ଓ ଲୋକସଂପର୍କ ବିଭାଗ ତଥା ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଅଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । କଟକ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ଏହି ସେତୁର ଲୋକାର୍ପଣ କାର୍ଯ୍ୟକ୍ରମ କରାଯିବ ।

Exit mobile version