ବନ୍ଦେ ଉତ୍କଳ ଲୋକକଳା ସାଂସ୍କୃତିକ ମହାସଂଘ ପକ୍ଷରୁ ରାଷ୍ଟ୍ରୀୟ କୋଣାର୍କ କଳା ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

୨ଜୁଲାଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :- ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ଯାତ୍ରୀ ନିବାସ ଠାରେ ରବିବାର ଦିନ ବନ୍ଦେ ଉତ୍କଳ ଲୋକ ସାଂସ୍କୃତିକ ମହାସଂଘକଳା ପକ୍ଷରୁ ରାଷ୍ଟ୍ରୀୟ କୋଣାର୍କ କଳା ମହୋତ୍ସବ-୨୦୨୩ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବିନ୍ଦ୍ର ନାଥ ବାହିନୀପତି ସଭା ପରିଚାଳନା କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବ କୁ ପ୍ରଦୀପ ପ୍ରଜ୍ୱଳନକରି ଉଦଘାଟନ କରିଥିଲେ ।ବନ୍ଦେ ଉତ୍କଳ ଲୋକ କଳା ଓ ଲୋକସଂସ୍କୃତି ମହାସଂଘର ସଭାପତି ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ପୂଣ୍ୟ ଉତ୍କଳର ପ୍ରତିଷ୍ଠାତା ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର ମୁଖ୍ୟ ବକ୍ତା , ବରିଷ୍ଠ ସାମ୍ବାଦିକ ତଥା ଓୟୁଜେର ରାଜ୍ୟ ସଭାପତି ସୁଞାନ ଚୌଧୁରୀ, ମୁଖ୍ୟ ଯନ୍ତ୍ରୀ ମୁରଲୀଧର ସେଠୀ, ମଧୁର ଭାରତୀର ସଂପାଦିକା ଜୟନ୍ତୀ ପଢିଆରୀ, ପ୍ରାଚୀ ଗବେଷକ ହଂସନାଥ ସାହୁ, ପ୍ରାଚୀପ୍ରଞା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ବର୍ତ୍ତମାନ ଧୀରେ ଧୀରେ ଲୋକକଳା, ଲୋକ ସଂସ୍କୃତି ହଜି ଯିବାକୁ ବସିଲାଣି । ଏହାକୁ ବଞ୍ଚାଇ ରଖିବା ଲାଗି ବନ୍ଦେ ଉତ୍କଳ ଲୋକକଳା ଓ ଲୋକସଂସ୍କୃତି ମହାସଂଘ ଦୀର୍ଘବର୍ଷ ଧରି ପ୍ରୟାସ ଜାରି ରଖିବା ସହ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଓଡ଼ିଶା ବାହାରେ ରହୁଥିବା ସଢେଇକଳା ଖରସୁଆଁ ଅଞ୍ଚଳର ପ୍ରତିଭା ମାନଙ୍କୁ ଖୋଜି ବାହାର କରିବା ସହିତ ସେମାନଙ୍କୁ ସମ୍ବର୍ଦ୍ଧିତ କରି ସେମାନଙ୍କର ମନ ବଳକୁ ସୁଦୃଢ କରି ପାରୁଥିବାରୁ ବନ୍ଦେ ଉତ୍କଳ ଲୋକକଳା ମହାସଂଘର କର୍ମକର୍ତ୍ତାଙ୍କୁ ପ୍ରସଂସା କରିଥିଲେ । ବର୍ତ୍ତମାନ ଲୋକକଳା ପାଲା, ଘୋଡ଼ା ନାଚ, ଧୁଡୁକି ନାଚ, ଦାସକାଠିଆ ,କେନ୍ଦରାଗୀତ ,ଦଣ୍ଡ ନୃତ୍ୟ, ଛଉନୃତ୍ୟ, ଘଟ ନାଚ ଆଦି ଧିରେ ଧିରେ ହଜିଯିବାକୁ ବସିଥିଲା ବେଳେ , ମେଲୋଡି,ଅପେରା ନାଟକ ଦେଖିବାକୁ ଲୋକଙ୍କର ଆଗ୍ରହ ବଢୁଥିବା ଦେଖିବାକୁ ମିଳୁଛି । ସୁଦର୍ଶନ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ, ମହାସଂଘର ପରିଚାଳନା ସଂପାଦକ ବିନୋଦ କୁମାର ଭୋଇ ମଞ୍ଚ ପରିଚାଳନା କରିଥିଲେ । ପଶ୍ଚିମ ଓଡିଶା ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ତିନି ଶହରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ମଧ୍ୟରେ ଥିବା ପାରଦର୍ଶିତା ଲାଗି କଳାକାର, ସମାଜସେବୀ, ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଅନୁଷ୍ଠାନର ସମସ୍ତ ସଦସ୍ୟ ସହଯୋଗ କରିଥିବା ।

 

Exit mobile version