ମିଲେଟ ଶକ୍ତି କାଫେ : ମିଲେଟ ଜରିଆରେ ମହିଳାଙ୍କୁ ସଶକ୍ତ କରୁଛି ଓଡ଼ିଶା ମିଲେଟ ମିଶନ

୩୦ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ରାଜ୍ୟରେ ସ୍ଥାୟୀ କୃଷିକୁ ପ୍ରୋତ୍ସାହିତ କରିବା ସହିତ ରାଜ୍ୟବାସୀଙ୍କ ପୋଷଣରେ ମଧ୍ୟ ଉନ୍ନତି ଘଟାଇବା ଉଦ୍ଦେଶ୍ୟରେ ଓଡ଼ିଶା ମିଲେଟ୍ ମିଶନ ମିଲେଟ ଉତ୍ପାଦନ ଏବଂ ଭୋଜନକୁ ପୁନର୍ଜୀବିତ କରିବାକୁ ଉଦ୍ୟମ କରୁଛି । ମିଶନ ଶକ୍ତି ଓ ମିଲେଟ ମିଶନକୁ ଏକ ସାଥିରେ ଆଗକୁ ନେବା ସହିତ ମିଲେଟରୁ କିପରି ଅଧିକରୁ ଅଧିକ ଡିସ୍ ପ୍ରସ୍ତୁତ କରାଯାଇପାରିବ ସେଥିଲାଗି ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ମିଶନ ଶକ୍ତି ଓଡ଼ିଶା ମିଲେଟ ମିଶନ ସହିତ ସାମିଲ ହୋଇ ମିଲେଟ୍ ସିଡ ବ୍ୟାଙ୍କ ପ୍ରତିଷ୍ଠା ସଂକ୍ରାନ୍ତରେ ସକ୍ରିୟ ଭାବରେ କାର୍ଯ୍ୟ କରୁଥିବା ବେଳେ ମହିଳା-ନେତୃତ୍ୱର ବିକାଶକୁ ମଧ୍ୟ ପ୍ରୋତ୍ସାହିତ କରୁଛି । ଏଥିସହିତ ଏହା କୃଷକ-ଉତ୍ପାଦକ-ସଂଗଠନ ବା ୠଚଙ ଗୁଡ଼ିକର ଗଠନ ଦିଗରେ କାର୍ଯ୍ୟ କରୁଛି ଯାହା କ୍ଷୁଦ୍ର ଚାଷୀମାନଙ୍କୁ ସେମାନଙ୍କର ଉତ୍ପାଦଗୁଡ଼ିକୁ ସାମୁହିକ ଭାବରେ ବିକ୍ରି କରିବା, ଉଚିତ ମୂଲ୍ୟ ପାଇବା ଏବଂ ସେମାନଙ୍କର ମୂଲଚାଲ କରିବା କରିବା କ୍ଷମତା ବଢ଼ାଇବାରେ ସହାୟକ ହେବ ।

ମିଲେଟ୍ ଉଦ୍ୟୋଗକୁ ପ୍ରୋତ୍ସାହିତ କରି ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ମିଲେଟ୍ ଶକ୍ତି କାଫେ ଏବଂ କିଓସ୍କ ଖୋଲିବାରେ ସାହାଯ୍ୟ କରୁଛି; ଯାହା ଓଡ଼ିଶାରେ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣକୁ ସୁନିଶ୍ଚିତ କରୁଛି । ଭୁବନେଶ୍ୱର, କେଉଁଝର, ସୁନ୍ଦରଗଡ଼ ଭଳି ବିଭିନ୍ନ ସହରାଞ୍ଚଳରେ ଆଜି ସୁଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ୭ ଟି ମିଲେଟ ଶକ୍ତି କାଫେ ଏବଂ ୬ ଟି ଆଉଟଲେଟ ପରିଚାଳିତ ହେଉଛି । ସେହିଭଳି, ଗ୍ରାମ ତଥା ବ୍ଲକ୍ ସ୍ତରରେ ୧୫୦ଟି ଆକର୍ଷଣୀୟ କିଓସ୍କ ଏବଂ ‘ମିଲେଟ୍ ଅନ୍ ହ୍ୱିଲ୍‌’ ନାମରେ ନାମିତ ୫ ଟି ଫୁଡ ଟ୍ରକ୍‌କୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୠଚଙ ଗୁଡ଼ିକ କାର୍ଯ୍ୟକ୍ଷମ କରାଉଛନ୍ତି । ଏହି ସବୁ ସ୍ଥାନରେ ମିଲେଟ ଶକ୍ତି ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦଗୁଡ଼ିକ ସହଜରେ ଉପଲବ୍ଧ ହେଉଛି । ମିଲେଟକୁ ଏକ ସ୍ୱାଦିଷ୍ଟ, ସହଜଲବ୍ଧ ତଥା ଗ୍ରାହକଙ୍କ ମନଲାଖି ଖାଦ୍ୟ ଭାବରେ ପ୍ରସ୍ତୁତ କରାଯାଇଛି । ମିଲେଟରୁ ପ୍ରସ୍ତୁତ ମୁଖ୍ୟଖାଦ୍ୟ, ସ୍ନାକ୍ସ ଆଦି ଲୋକପ୍ରିୟ ହୋଇଛି । ମହିଳାଙ୍କ ଦ୍ୱାରା ପରିଚାଳିତ ଏହି କାଫେଗୁଡ଼ିକ ମିଲେଟରୁ ପ୍ରସ୍ତୁତ ବହୁ ସୁସ୍ୱାଦୁ ଖାଦ୍ୟ ପରିବେଷଣ କରୁଛନ୍ତି ।

ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ମହିଳା ଉତ୍ସାହିତ ହୋଇଛନ୍ତି କହିଛନ୍ତି, ପୂର୍ବରୁ ଆମର ଉତ୍ପାଦଗୁଡ଼ିକ ସହଜରେ ବିକ୍ରି ହେଉ ନଥିଲା । ଆମେମାନେ ବିଭିନ୍ନ ପର୍ବପର୍ବାଣୀ ଆସିବାକୁ ଅପେକ୍ଷା କରୁଥିଲୁ । ପର୍ବପର୍ବାଣୀରେ ଷ୍ଟଲ କରି ଆମେ ଉତ୍ପାଦ ବିକ୍ରି କରୁଥିଲୁ । ନହେଲେ ବିଭିନ୍ନ ସ୍ଥାନ ବୁଲିବୁଲି ଉତ୍ପାଦ ବିକୁଥିଲୁ । ଦୋକାନୀମାନେ ମଧ୍ୟ ଆମର ଉତ୍ପାଦ ଭଲ ବୋଲି ବିଶ୍ୱାସ କରୁ ନଥିଲେ । ମାତ୍ର ୨୦୨୧ରେ ମିଲେଟ ଶକ୍ତି ଆସିବା ପରେ ଆମର ଭାଗ୍ୟ ବଦଳିଗଲା । ଆମେମାନେ ଏବେ ଭଲ ରୋଜଗାର କରୁଛୁ ଏବଂ ଆମର ପିଲାମାନଙ୍କୁ ଏକ ସୁନ୍ଦର ଜୀବନ ଦେଇପାରୁଛୁ । ମହିଳାମାନେ ପ୍ରସ୍ତୁତ କରୁଥିବା ଉତ୍ପାଦଗୁଡ଼ିକୁ ବିକ୍ରି କରିବାରେ ମିଶନ ଶକ୍ତି କାଫେ ଏବଂ କିଓସ୍କଗୁଡ଼ିକ ପ୍ରମୁଖ ଭୁମିକା ଗ୍ରହଣ କରୁଛନ୍ତି ।

ବିକ୍ରି ବଢ଼ିବା ଫଳରେ ମହିଳାମାନେ ଅର୍ଥନୈତିକ ସ୍ତରରେ ସ୍ୱଚ୍ଛଳ ହେବା ସହିତ ସ୍ୱାଧୀନ ହୋଇ ପାରିଛନ୍ତି ଏବଂ ସେମାନଙ୍କ ସାମାଜିକ ଜୀବନରେ ଉନ୍ନତି ଘଟାଇ ପାରିଛନ୍ତି । ଉପରୋକ୍ତ ମହିଳାଜଣକ ସେମାନେ କିପରି ସର୍ବୋଚ୍ଚ ଗୁଣ ଓ ସ୍ୱଚ୍ଛତା ବଜାୟ ରଖି ରାଗି ଛତୁଆ ପ୍ରସ୍ତୁତ କରନ୍ତି ସେହିକଥା କହିଛନ୍ତି । ଛତୁଆ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଏବଂ ପୁଷ୍ଟିକର ହୋଇଥିବାରୁ ସେ ସମସ୍ତଙ୍କୁ ଛତୁଆ ଖାଇବା ଲାଗି ପ୍ରୋତ୍ସାହିତ କରିଛନ୍ତି । ମିଲେଟ ମିଶନ, ମିଶନ ଶକ୍ତି ଏବଂ ଓଡ଼ିଶାରେ ମିଲେଟ ଶକ୍ତିଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକର ଉପଲବ୍ଧତା ଫଳରେ ରାଜ୍ୟରେ ମିଲେଟ୍ ଫସଲକୁ ଉତ୍ସାହିତ କରିଛି । ଏହି ପଦକ୍ଷେପ ନିରନ୍ତର ମିଲେଟ୍ ଚାଷକୁ ପ୍ରୋତ୍ସାହିତ କରିଛି । ଏଥିସହ ଏହା ଏକ ସ୍ୱାସ୍ଥ୍ୟକର ଖାଦ୍ୟ ବିକଳ୍ପ ପ୍ରସ୍ତୁତ କରିଛି ଏବଂ ଆତ୍ମନିଯୁକ୍ତି ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିଛି ।

Exit mobile version