ପାରଳାଖେମୁଣ୍ଡି ସହରର ଉପକଣ୍ଠ ଝାମୀ ଗ୍ରାମରେ ପାଗଳ କୁକୁର କାମୁଡାରେ ୧୫ ଛେଳି ଛୁଆ ମୃତ

୨୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠରେ ଥିବା ଝାମୀ ଗ୍ରାମରେ ପାଗଳ କୁକୁର କାମୁଡ଼ାରେ ୧୫ଗୋଟି ଛେଳି ଛୁଆ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏହି ଅଭାବନୀୟ ଘଟଣା ଗତକାଲି ମଧ୍ୟରାତ୍ରରେ ଘଟିଥିବା ଜଣା ପଡିଛି । ଝମୀ ଗ୍ରାମର ଗୋଲା ସାହି ବାସିନ୍ଦା ପି.ଆପ୍ପନା ତାଙ୍କ ଛେଳି ଗୁହାଳରେ ୩୦ ଗୋଟି ଛେଳି ରଖି ପାଳନ କରି ଆସୁଥିଲେ । ଗତକାଲି ମଧ୍ୟରାତ୍ରରେ କୌଣସି ଏକ ପାଗଳା କୁକୁର ଛେଳି ଗୁହାଳ ମଧ୍ୟରେ ପ୍ରବେଶ କରି ଛେଳି ଛୁଆମାନଙ୍କୁ ଆକ୍ରମଣ କରି କାମୁଡ଼ିବା ଯୋଗୁଁ ୧୫ ଗୋଟି ଛେଳିର ମୃତ୍ୟୁ ଘଟିଥିଲା ।

ଗତକାଲି ମଧ୍ୟରାତ୍ରରେ ଛେଳି ଛୁଆମାନଙ୍କୁ କୁକୁର ଆକ୍ରମଣ କରୁଥିବା ବେଳେ ଛେଳି ଛୁଆଙ୍କ ଚିତ୍କାରରେ ଛେଳି ପାଳକ ଆପ୍ପନାଙ୍କ ସମେତ ସାହି ପଡିଶା ଦୌଡ଼ି ଆସିବା ବେଳେ କୁକୁରଟି ଛେଳି ଛୁଆ ମାନଙ୍କୁ କ୍ଷତ ବିକ୍ଷତ କରି ଘଟଣା ସ୍ଥଳରୁ ଦୌଡ଼ି ଚାଲି ଯାଇଥିବାର ଦେଖିବାକୁ ପାଇଥିଲେ । ଛେଳି ପାଳନ କରିଥିବା ଆପ୍ପନା ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ତାଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ଏ ଅଞ୍ଚଳର ଜନସାଧାରଣରେ ଦାବୀ ହେଉଛି l

Exit mobile version