ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖାଲଘୁ ମାନଙ୍କ ନେତୃତ୍ୱ ବିକାଶ ପାଇଁ ଗୁରୁତ୍ୱ ଦିଆଯିବ – ଶରତ ପଟ୍ଟନାୟକ

୨୨ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଆଜି ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ବିଭାଗ ରାଜ୍ୟ ଅଧ୍ୟକ୍ଷ, ଜାତୀୟ ସଂଯୋଜକ ମାନଙ୍କ ବୈଠକ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଯୋଗଦେଇ କହିଲେ ଯେ ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ଜନସାଧାରଣଙ୍କର ବିକାଶ ତଥା ସେମାନଙ୍କୁ କଂଗ୍ରେସ ଦଳ ପକ୍ଷରୁ ସେବା ଯୋଗାଇବା ଏବଂ ସେହି ବର୍ଗର ଲୋକମାନଙ୍କୁ କଂଗ୍ରେସ ଦଳ ମଧ୍ୟରେ ଅଧିକ କ୍ରିୟାଶିଳ କରିବାର ଆବଶ୍ୟକତା ରହିଛି । ରାଜ୍ୟରେ ଏ ବର୍ଗର ଲୋକମାନେ ୯୪%ରୁ ଅଧିକ ରହିଥିବା ବେଳେ ଏହି ବର୍ଗକୁ ଗୁରୁତ୍ୱ ଦେଇ ତାଙ୍କର ବିକାଶ ପାଇଁ ଉତମ ଓ ଦକ୍ଷ ନେତୃତ୍ୱ ନେଇ ପାରୁଥିବା ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି । ଏଣୁ ଓଡ଼ିଶାରେ ଉପରୋକ୍ତ ବର୍ଗରୁ ଉତମ ଓ ଦକ୍ଷତା ସଂପନ୍ନ ନେତୃତ୍ୱ ସୃଷ୍ଟିକରିବା ଦିଗରେ ପ୍ରଦେଶ କଂଗ୍ରେସ ପକ୍ଷରୁ ସମସ୍ତ ଅନୁସୂଚିତ ଜାତି / ଜନଜାତି ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ।

ଏଥିପାଇଁ ରାଜ୍ୟରେ ଥିବା ୩ଟି ଅନୁସୂଚିତ ଜାତି ଲୋକସଭା, ୨୪ଟି ଅନୁସୂଚିତ ଜାତି ବିଧାନ ସଭା, ୫ଟି ଅନୁସୂଚିତ ଜନଜାତି ଲୋକସଭା ଓ ୩୩ ଟି ଜନଜାତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ବିକାଶ ପାଇଁ ଜଣେ ଲେଖାଏ ସଂଯୋଜକ ନିଯୁକ୍ତି କରାଯିବ । ସେମାନେ ଜିଲ୍ଲା କଂଗ୍ରେସ କମିଟି, ବ୍ଲକ /ନଗର କଂଗ୍ରେସ କମିଟି ଓ ନିର୍ବାଚନ ମଣ୍ଡଳୀର ନେତୃମଣ୍ଡଳୀଙ୍କ ସହିତ ପରାମର୍ଶ କରି ତୃଣମୁଳ ସ୍ତରରୁ ସଂଗଠନକୁ ସୁଦୃଢ଼ କରିବାପାଇଁ ଯତ୍ନବାନ ହେବେ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । ଆଜିର ଏହି ବୈଠକର ସଂଯୋଜକ ତଥା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା, ଜନଜାତି ବିଭାଗ ଅଧ୍ୟକ୍ଷ ଭୁଜବଳ ମାଝୀ, ସଂଖ୍ୟାଲଘୁ ବିଭାଗ ଜାତୀୟ ସଂଯୋଜକ ଅବୁଦୁଲ କାଲାମ, ଅନୁସୂଚିତଜାତି ବିଭାଗ ସଂଯୋଜକ ମାନସ ମଲ୍ଲିକ, ପଛୁଆବର୍ଗ ବିଭାଗ ସଂଯୋଜକ ରାଜକିଶୋର ବାରିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

Exit mobile version