ଭକ୍ତି ସଂଗୀତରେ ଶରଧାବାଲି ମୁଖରିତ ; ଶ୍ରଦ୍ଧାଳୁ ବିମୋହିତ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବିବିଧ କାର୍ଯ୍ୟକ୍ରମ ଆୟୋଜନ

୨୨ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-  ଶ୍ରୀକ୍ଷେତ୍ର ପୁରୀରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ତିନିରଥ ଗୁଣ୍ଡିଚା ଦ୍ୱାରରେ ପହଞ୍ଚିବା ପରେ ଚଳଚଞ୍ଚଳ ହୋଇଛି ଶରଧାବାଲି । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ନବଦିନାତ୍ମକ ଯାତ୍ରା ଅବସରରେ ଗୁଣ୍ଡିଚାବାଡ଼ି ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଛି ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ । ପ୍ରଥମ ସନ୍ଧ୍ୟାରେ ଭକ୍ତି ଓ ଭାବରସରେ ନିମଜ୍ଜିତ ଭଜନ ସନ୍ଧ୍ୟାରେ ଓଡ଼ିଶାର ସୁପ୍ରସିଦ୍ଧ ଭଜନ ଗାୟିକା ଶ୍ରୀମତୀ ଶାନ୍ତିଲତା ଛୋଟରାୟ, ମନ୍ମଥ ମିଶ୍ର ପ୍ରମୁଖ ଭଜନ ପରିବେଷଣ କରି ଦର୍ଶକ, ଭକ୍ତ, ଶ୍ରଦ୍ଧାଳୁ ଓ ଭଜନପ୍ରେମୀମାନଙ୍କୁ ବିମୋହିତ କରିଥିଲେ ।ବାହୁଡ଼ା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଭଜନ କାର୍ଯ୍ୟକ୍ରମରେ ପ୍ରତ୍ୟହ ବିଭିନ୍ନ ସଂଗୀତ ଅନୁଷ୍ଠାନର ପରିଚାଳନାରେ ଓଡ଼ିଶାର ଭଜନ ଓ ଆଧ୍ୟାତ୍ମିକ ସଂଗୀତ ଜଗତର ଖ୍ୟାତନାମା କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିବେ । ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଶରଧାବାଲିରେ ସଂଗୀତ ପରିବେଷଣ କରିବାକୁ ସୁଯୋଗ ଦେଇଥିବାରୁ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ମନ୍ମଥ ମିଶ୍ର ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି କହିଥିଲେ ।ସେହିପରି ପୁରୀର ୯ଟି ସ୍ଥାନ ଯଥା-ଜଗନ୍ନାଥ ବଲ୍ଲଭ ମଠ, ବଡ଼ଶଙ୍ଖ, ବଳଗଣ୍ଡି, ରେଲେୱ ଷ୍ଟେସନ୍‌, ସୁବାସ ବୋଷ ଛକ, ଦିଗବାରେଣୀ, ପାନ୍ଥଭବନ, ତାଳବଣିଆ, ମାଳତୀପାଟପୁରଠାରେ ଥିବା ସୂଚନା କେନ୍ଦ୍ରଗୁଡ଼ିକରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟହ ସ୍ଥାନୀୟ କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ପାଲା, ଦାସକାଠିଆ, ଘୋଡ଼ାନାଚ, ସଂକୀର୍ତ୍ତନ ଆଦି ପରିବେଷଣ କରାଯାଉଛି, ଯାହାକୁ ଦେଖିବା ନିମନ୍ତେ ପ୍ରବଳ ଜନଗହଳି ପରିଲକ୍ଷିତ ହେଉଛି ।ଏହିସବୁ ସୂଚନା କେନ୍ଦ୍ରଗୁଡ଼ିକରେ ବିଭାଗ ଦ୍ୱାରା ପ୍ରକାଶିତ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ରଥଯାତ୍ରା ବିଶେଷାଙ୍କ କିଣିନେବା ପାଇଁ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ଅସାଧାରଣ ଆଗ୍ରହ ଦେଖିବାକୁ ମିଳୁଛି । ଭୋଳାନାଥ ବିଦ୍ୟାପୀଠ ପରିସରରେ ପଲ୍ଲୀଶ୍ରୀ ମେଳାରେ ମଧ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଚେତନା ତଥା ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀକୁ ଦେଖିବା ନିମନ୍ତେ ମଧ୍ୟ ବହୁସଂଖ୍ୟାରେ ଜନସାଧାରଣ ଆସୁଥିବା ଦେଖିବାକୁ ମିଳୁଛି ।

Exit mobile version