ରଥରେ ବିଜେ ହେବେ ଚତୁର୍ଦ୍ଧା ମୂର୍ତ୍ତି

୨୦ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ  :-  ରଥ ପ୍ରସ୍ତୁତ ହୋଇ ରହିଛି ଖାଲି ଅପେକ୍ଷା ମହାପ୍ରଭୁଙ୍କର … ଶ୍ରୀ ଗୁଣ୍ଡିଚା ରେ ଚଳଚଂଚଳ ହୋଇଯାଇଛି ଶ୍ରୀକ୍ଷେତ୍ର । ରାଜ୍ୟ ଓ ରାଜ୍ୟବାହାରୁ ଶ୍ରଦ୍ଧାଳୁ ଆସି ପୁରୀରେ ଭିଡ଼ ଜମାଇଛନ୍ତି । ଭକ୍ତ ର ମନରେ ଗୋଟିଏ ଆଶା, ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରେ ଦେଖିବେ । ମହାପାତକରୁ ମୁକୁଳିବେ । ଭକ୍ତିର ସହିତ ମହାପ୍ରଭୁ ଙ୍କ ରଥ ଟାଣିବେ ।ଆଜି ସକାଳ ସାଢେ଼ ୯ଟାରେ ତିନିଠାକୁରଙ୍କର ପହଣ୍ଡି ଆରମ୍ଭ ହେବ । ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡିରେ ଆସି ରଥ ଉପରେ ବିଜେ କରିବେ । ଦିନ ସାଢେ଼ ୧୨ଟା ସୁଦ୍ଧା ପହଣ୍ଡି ସରିବ ।ଅପରାହ୍ନ ଚାରିଟାରେ ଶ୍ରୀଗୁଣ୍ଡିଚା ଅଭିମୁଖେ ରଥ ଗଡ଼ିବା ଆରମ୍ଭ କରିବ।ମନ୍ଦିର ପ୍ରଶାସନ ସୂଚନା ମୁତାବକ ରଥଯାତ୍ରା ପାଇଁ ନୀତି ଘୋଷଣା କରାଯାଇଛି । ମଙ୍ଗଳବାର ସକାଳ ୬ଟାରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି କରାଯିବ । ସାଢେ଼ ୬ଟାରେ ତଡ଼ପ ଲାଗି, ରୋଷହୋମ କରାଯିବ । ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢେ଼ ୭ଟାରେ ଦ୍ୱାରପାଳ ପୂଜା ଓ ବେଶ କରାଯିବ । ସକାଳ ୮ଟାରୁ ୯ଟା ଭିତରେ ଗୋପାଳ ବଲ୍ଲଭ ଓ ଖେଚୁଡ଼ି ଭୋଗ ସରିବ । ୯ଟା ୧୫ ମିନିଟରେ ମଙ୍ଗଳାର୍ପଣ କରାଯିବ। ପହଣ୍ଡି ଶେଷ ହେଲାପରେ ସାଢେ଼ ୧୨ଟାରୁ ଅପରାହ୍ଣ ଗୋଟାଏ ଭିତରେ ଶ୍ରୀ ଶ୍ରୀ ମଦନମୋହନ, ଶ୍ରୀଶ୍ରୀ ରାମ ଓ ଶ୍ରୀଶ୍ରୀ କୃଷ୍ଣ ବିଜେ, ସାଢେ଼ ଗୋଟାଏରୁ ସାଢେ଼ ଦୁଇଟା ଭିତରେ ଚିତାଲାଗି, ବେଶ ଶେଷ ହେବ ।ସାଢେ଼ ଦୁଇଟାରୁ ସାଢେ଼ ତିନିଟା ଯାଏ ଛେରାପହଁରା, ୩ଟାରୁ ୪ଟା ଭିତରେ ଚାରମାଳ ଫିଟାଯିବ । ଘୋଡ଼ା ଯୋଚାଯିବ ଓ ସାରଥୀ ବସିବେ। ରଥଯାତ୍ରାକୁ ସଫଳତାର ସହ ସାରିବାକୁ ରାଜ୍ୟ ସରକାର ଠୁଁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁବିଧ ପଦକ୍ଷେପ ହାତକୁ ନିଆଯାଇଥିବା ବେଳେ ବହୁ ସାମାଜିକ ସଂଗଠନ ଓ ସ୍ବେଛାସେବୀ ସଂଗଠନ ରଥଯାତ୍ରାରେ ପ୍ରଶାସନକୁ ସାହାଯ୍ୟ ସହଯୋଗ କରୁଛନ୍ତି । ପ୍ରଶାସନ ପକ୍ଷରୁ ଏଥର ରଥଯାତ୍ରାରେ ପ୍ରାୟ ୩୦ ଲକ୍ଷ ଲୋକଙ୍କ ସମାଗମ ହେବାର ଅନୁମାନ କରାଯାଉଛି କରାଯାଉଛି । ରଥ ଯାତ୍ରା ର ବ୍ୟାପକ ପ୍ରସ୍ତୁତି ମଧ୍ୟରେ ଆମ୍ବୁଲାନ୍ସ , ପାନୀୟ ଜଳ ଟ୍ୟାଙ୍କ , ଅଗ୍ନିଶମ ବିଭାଗ , ପୋଲିସ ପ୍ରଶାସନ ର ଜରୁରୀକାଳୀନ ସେବା ବ୍ୟବସ୍ଥା କରାଯାଇଛି ।

Exit mobile version