୧୭ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ୟୁନିଟ୍-୧ ହାଟରେ ଦୋକାନଗୁଡ଼ିକୁ ବ୍ୟକ୍ତିଗତ ମାଲିକାନାକୁ ନ ଦେବା ପାଇଁ ସର୍ତ୍ତ ରହିଥିଲେ ମଧ୍ୟ ବିଏମ୍ସିର ବାବୁମାନେ ୫୦୭ ଦୋକାନକୁ ଦୋକାନୀଙ୍କ ନାମରେ କରି ଦେଇଛନ୍ତି । ତା’ ସହିତ ‘ଲାଇସେନ୍ସ ହୋଲ୍ଡର’ ଶବ୍ଦକୁ ହଟାଇ ‘ଆଲଟି’ ଶବ୍ଦ ବ୍ୟବହାର କରି ସବୁ ଦୋଷକୁ ପୋଛି ଦେବା ପାଇଁ ଉଦ୍ୟମ କରିଛନ୍ତି। ଏହାକୁ ନେଇ ମାମଲା ଲୋକାୟୁକ୍ତରେ ପହଞ୍ଚିଥିବା ବେଳେ ପୁଣି ଥରେ ଏହି ହାଟ ଚର୍ଚ୍ଚାକୁ ଆସିଛି । ମାର୍କେଟ୍ ଦାୟିତ୍ୱରେ ରହି ଆସିଥିବା ଅଧିକାରୀମାନଙ୍କର ଅପାରଗତା ହେଉ ବା ମୋଟା ଅଙ୍କର ହାତଗୁଞ୍ଜା ଯୋଗୁଁ ବିଏମ୍ସି ବର୍ଷକୁ ୨୪ ଲକ୍ଷ ହିସାବରେ ଅଢ଼େଇ ବର୍ଷ ଭିତରେ ୬୦ ଲକ୍ଷ କ୍ଷତି ସହିଲାଣି। ଗୋଟିଏ ପଟେ ଏହି ଲୋକପ୍ରିୟ ମାର୍କେଟ୍ର ନବକଳେବର ଯୋଜନା ବିଏମ୍ସିର ନାଲିଫିତା ତଳେ ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୋଗ ବିଏମ୍ସିକୁ ବଦନାମ କରୁଛି। କମିସନରଙ୍କୁ ଏ ନେଇ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ ହୋଇଛି ।

ଅଢ଼େଇ ବର୍ଷରେ ରାଜସ୍ୱ କ୍ଷତି ୬୦ ଲକ୍ଷ ୟୁନିଟ୍-୧ରେ ହଜାରରୁ ଉର୍ଦ୍ଧ୍ଵ ଦୋକାନ ରହିଛି । ସେ ସବୁକୁ ନିୟମିତ କରିବା ପାଇଁ ବ୍ୟବସାୟୀ ସଂଘ ପକ୍ଷରୁ ହାଇକୋର୍ଟରେ ଆବେଦନ ହୋଇଥିଲା । ସଂଘ ସହ ଆଲୋଚନା କରି ଦୋକାନଗୁଡ଼ିକୁ ନିୟମିତ କରିବା ପାଇଁ ହାଇକୋର୍ଟ ଆଦେଶ ଦେଇଥିଲେ । ବିଏମ୍ସି ୩ଟି ଟିମ୍ ଗଠନ କରି ହାଟ ଯାଞ୍ଚ କରିବା ସହ ମୂଳ ବ୍ୟବସାୟୀଙ୍କ ତାଲିକା କରିଥିଲା । କେତେ ପରିମିତ ଜାଗାରେ ବ୍ୟବସାୟ କରୁଛନ୍ତି, କି’ ପ୍ରକାର ବ୍ୟବସାୟ କରୁଛନ୍ତି; ଏ ସବୁ ଅନୁଧ୍ୟାନ କରିବା ପରେ କମିଟି ରିପୋର୍ଟ ପ୍ରଦାନ କରିଥିଲା । ରିପୋର୍ଟ ଆଧାରରେ ଥିବା ହାଟରେ ୨୦୧୯ରୁ ୨୦୨୧ ମଧ୍ୟରେ ତିନି ଦଫାରେ ବିଏମ୍ସି ୧ ନମ୍ବର ହାଟରେ ଥିବା ଦୋକାନୀଙ୍କ ମଧ୍ୟରୁ ୫୦୭ ଜଣଙ୍କ ନାମରେ ମ୍ୟୁଟେସନ କରିଦେଲା । କେତେକ ମୂଳ ଆଲଟିଙ୍କୁ ଛାଡ଼ିଦେଲେ ଅଧାରୁ ଅଧିକ ନାମକୁ କାଟି ଅନ୍ୟ ଜଣଙ୍କ ନାମରେ କରି ଦିଆଯାଇଥିବା ଦେଖାଯାଇଥିଲା । ବିଏମ୍ସି କହିଥିଲା କି ଯାହାଙ୍କ ନାମରେ ଦୋକାନ ରହିଥିଲା ସେମାନେ ନଥିଲେ ବରଂ ଅନ୍ୟମାନେ ବ୍ୟବସାୟ କରୁଥିଲେ। ଫଳରେ ଦୀର୍ଘ ଦିନ ହେବ ଭଡ଼ା ଧାର୍ୟ୍ୟ କରିବା ସମ୍ଭବ ହେଉନଥିଲା । ମୂଳ ଲାଇସେନ୍ସ ହୋଲ୍ଡରଙ୍କୁ ଅଭିଯୋଗ କରିବା ପାଇଁ ପର୍ୟ୍ୟାପ୍ତ ସୁଯୋଗ ଦିଆଯାଇ ଏହି ମ୍ୟୁଟେସନ କରାଯାଇଛି ବୋଲି କହିଥିଲା । ନୂଆ ମ୍ୟୁଟେସନ ପରେ ଭଡ଼ା ଧାର୍ୟ୍ୟ ହୋଇଥିଲା । କିନ୍ତୁ ପାଖାପାଖି ୨ ଶହ ଦୋକାନରେ ଅଣ୍ଡରଗ୍ରାଉଣ୍ଡ ପାଇଁ ବିଏମ୍ସି ଭଡ଼ା ଧାର୍ୟ୍ୟ କରିନଥିଲା ।
