ମାନବିକ ଅଧିକାର କାହାର ଦୟା କିମ୍ବା ଅନୁକମ୍ପା ନୁହେଁ : ବିଶ୍ୱଭୂଷଣ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ବିଶ୍ୱ ମାନିବିକ ଅଧିକାର ସୁରକ୍ଷା ସଂସ୍ଥା ଆନୁକୂଲ୍ୟରେ ଅନୁଷ୍ଠିତ ମାଟି, ମା’ ଓ ମଣିଷର ସୁରକ୍ଷା ପାଇଁ ମାନବିକ ଅଧିକାର ଉପରେ ହୋଟେଲ୍ ନ୍ୟୁମାରିଅନ ଠାରେ ହୋଇଥିବା ଆଲୋଚନା ଚକ୍ରରେ ଛତିଶଗଡ଼଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ କହିଛନ୍ତି ଯେ ମାଟି, ମା’, ବନ, ଲତା, ପାହାଡ଼, ନଦନଦୀ ଆଦି ପ୍ରାକୃତିକ ସଂପଦ ଉପରେ ତୁମର ଅଧିକାର ଅଛି । ଏହି ଅଧିକାରକୁ କିଏ କାହାକୁ ଦିଏ ନାହିଁ, ଅଧିକାର ସାବ୍ୟସ୍ତ କରିବାକୁ ପଡ଼େ । କେବଳ ପୀଡ଼ିତ, ଦଳିତ, ନିଷ୍ପେସିତ ମାନବିକ ଅଧିକାରରୁ ବଂଚିତ ହେଉନାହାନ୍ତି ବରଂ ଆମର ଚତୁଃପାଶ୍ୱର୍ରେ ଥିବା ପ୍ରାଣୀ ସଂପଦ, ଜଗଲ ସଂପଦ, ଜଳ ସଂପଦ ଆଦି ଅପବ୍ୟୟିତ ଓ ପ୍ରଦ୍ୟୁଷିତ ହେଉଅଛି ।

ଆମ ଚତୁଃପାଶ୍ୱର୍ରୁ ଦିନକୁ ଦିନ ଗଛଲତା ଆଦି ହ୍ରାସ ପାଇବାରେ ଲାଗିଛି ଯାହାର ପ୍ରଭାବ ଏବେ ଆମ ଉପରେ ପଡ଼ିବାରେ ଲାଗିଛି । ବର୍ତ୍ତମାନ ପୃଥିବୀର ଉତ୍ତାପ ଯେଉଁଭଳି ବୃଦ୍ଧି ପାଉଛି ତାହା ବିଶ୍ୱବାସୀଙ୍କୁ ଚିନ୍ତିତ କରିପକାଇଛି । ଉତ୍ତାପ ବୃଦ୍ଧି କାରଣରୁ ପ୍ୟାରିସ୍‌ରେ ଅନୁଷ୍ଠିତ କନ୍‌କ୍ଲେଭରେ ପୃଥିବୀର ଉତ୍ତାପକୁ ୨ ଶତକଡ଼ା କମାଇବା ପାଇଁ ବିଶ୍ୱର ସବୁଦେଶମାନେ ଯଦିଓ ରାଜି ହୋଇଥିଲେ କିନ୍ତୁ ତାହା ପାଳନ କଲେନାହିଁ । ମାଟି, ମା’, ମଣିଷ ଓ ପ୍ରାକୃତିକ ସଂପଦର ସୁରକ୍ଷା ଆମର ପରମ ଦାୟିତ୍ୱ ଓ ଏହା ଆମର ଅଧିକାର । ଆମ ମା, ମାଟିର ମାନବିକ ଅଧିକାର ଉଲଂଘନ ହେଉଛି ବୋଲି କହି କେବଳ କ୍ରନ୍ଦନ କଲେ ତୁମ ମୁହଁକୁ କେହି ଚାହିଁବେ ନାହିଁ ବରଂ ତୁମର ଏହି ଅଧିକାରକୁ ହାସଲ କରିବା ପାଇଁ ମୁହଁ ଖୋଲ, ପ୍ରତିବାଦ କର, ଲଢ଼େଇ କର ବୋଲି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଉପସ୍ଥିତ ସଭାସଦ୍‌କୁ ଉଦ୍‌ବୋଧନ ଦେଇଥିଲେ ।

ସମ୍ବିଧାନର ଆର୍ଟିକିଲ ୧୪ର ଧାରାନୁଯାୟୀ ଆଇନ ଆଗରେ ପ୍ରତ୍ୟେକ ନାଗରିକ ସମାନ ଓ ସମାନ ଅଧିକାର ସହିତ ବଂଚିବାର ଅଧିକାର ତାହାର ଅଛି । ମାନବିକ ଅଧିକାର ମଣିଷର ଜନ୍ମଗତ  ଅଧିକାର । କିନ୍ତୁ ତାହା ସେ ପାଉନାହିଁ । ତାକୁ ତା ଅଧିକାର ପାଇଁ କୋର୍ଟକଚେରିର ଦ୍ୱାରସ୍ଥ ହେବାକୁ ପଡ଼ୁଛି । କୋର୍ଟ କଚେରିର ଧାଁଧୌଡ ଭିତରେ ଗରିବ ଲୋକଟିଏ ତଳିତଳାନ୍ତ ହେଉଛି ପଛେ ତା’ର ଅଧିକାର ପାଉନାହିଁ । ତା ଅଧିକାରକୁ ତା ନିଟକରେ ଉପଲବ୍ଧ କରାଇବାର ପ୍ରଥମ ଦାୟିତ୍ୱ ଶାସନର । ଶାସନ ଦଳିତ ମଣିଷକୁ ତାର ଉପଯୁକ୍ତ ଅଧିକାର ଦେଇ ସୁସ୍ଥ ମାନସିକତାର ସହ ବଂଚିବାକୁ ଦେଉ । ଓଡ଼ିଆ ଜାତି ଏକ ସାମରିକ ଜାତି, ଏକ ଲଢ଼ୁଆ ଜାତି ।

ସେ ଅନ୍ୟାୟ, ଅତ୍ୟାଚାର, ଦୁର୍ନିତୀ ବିରୋଧରେ ଲଢ଼େଇ କରୁ, ସାଧାରଣ ମଣିଷର ମାନବିକ ଅଧିକାର ପାଇଁ ଲଢ଼େଇ କରୁ । ଏହା ବିରୁଧରେ ସଂଗ୍ରାମ ନକରିବା, ତୁମର ଅଧିକାର ଓ ଅନ୍ୟାୟ ବିରୁଧରେ ଲଢ଼େଇ ନକରିବା ଦୁର୍ଭାଗ୍ୟ ଜନକ ବୋଲି ରାଜ୍ୟପାଳ ତାଙ୍କ ବକ୍ତବ୍ୟରେ କହିଥିଲେ । ରାଜ୍ୟପାଳ ଉପସ୍ଥିତ ସଭାକୁ ସମାଜର ତଳବର୍ଗର ଲୋକମାନଙ୍କ ପାଇଁ, ସମାଜ ପାଇଁ, ନିଜର ଅଧିକାର ପାଇଁ ଲଢ଼େଇ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଉକ୍ତ ବୈଠକରେ ରାଜ୍ୟପାଳଙ୍କ ସମେତ ବିଶ୍ୱ ମାନବିକ ଅଧିକାର ସୁରକ୍ଷା ସଂସ୍ଥାର ସଭାପତି ଅଭିନ୍ନ ହୋତାଙ୍କ ସମେତ ଅନ୍ୟ ଅତିଥିମାନେ ସଭାରେ ଯୋଗଦେଇ ମାନବିକ ସୁରକ୍ଷା ଉପରେ ନିଜସ୍ୱ ମତାମତ ରଖିଥିଲେ ।

Exit mobile version