ନୂଆ ଦିଲ୍ଲୀର ବିଜ୍ଞାନ ଭବନ ଠାରେ ବିପର‌ର୍ଯ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ସମ୍ପର୍କିତ ବୈଠକ

୧୩ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :– ନୂଆ ଦିଲ୍ଲୀର ବିଜ୍ଞାନ ଭବନଠାରେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏବଂ ଜାତୀୟ ବିପର‌ର୍ଯ୍ୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ବିପର‌ର୍ଯ୍ୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ସଂପର୍କିତ ଏକ ଜାତୀୟ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶା ରାଜ୍ୟ ରାଜସ୍ୱ ତଥା ବିପର‌ର୍ଯ୍ୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଯୋଗ ଦେଇ ବିଭିନ୍ନ ଦାବୀ ଉପସ୍ଥାପନ କରି କହିଲେ ଯେ, ଅନ୍ୟ ଉପକୂଳବର୍ତ୍ତୀ ରାଜ୍ୟ ଭଳି ଓଡ଼ିଶା ମଧ୍ୟ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଉପକୂଳ କ୍ଷୟ ଓ ତତ୍‌ଜନିତ ଜଳମଗ୍ନ ସମସ୍ୟାର ସମ୍ମୁଖୀନ ହେଉଛି । କେନ୍ଦ୍ରାପଡା ଜିଲ୍ଲାରେ ସମୁଦ୍ର କ୍ଷୟ ଯୋଗୁଁ ହୋଇଥିବା ୦୭ ଟି ଗାଁ ଏବଂ ପ୍ରାୟ ୬୦୦ ବିସ୍ଥାପିତ ପରିବାରଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ପ୍ୟାକେଜ ଅନୁଯାୟୀ ବଗପଟିଆରେ ସ୍ଥାନାନ୍ତର କରାଯାଇ ଥଇଥାନ କରାଯାଇଛି । ଓଡ଼ିଶାର ଗଞ୍ଜାମ, ପୁରୀ ଓ ଜଗସିଂହପୁର ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ଉପକୂଳ କ୍ଷୟ ରୋକିବା ଏବଂ ବିପର‌ର୍ଯ୍ୟ ପ୍ରଶମନ କାର୍ଯ୍ୟ କଳାପ ସହିତ ବିସ୍ଥାପିତ ଲୋକଙ୍କୁ ସ୍ଥାନାନ୍ତର, ଥଇଥାନ ଏବଂ ଜୀବିକା ଅର୍ଜନ କାର୍ଯ୍ୟକଳାପ ଯୋଗାଇ ଦେବା ପାଇଁ ଜାତୀୟ ବିପର‌ର୍ଯ୍ୟ ପ୍ରଶମନ ପାଣ୍ଠି ଅଧୀନରେ ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରିବା ଦିଗରେ ଭାରତ ସରକାରଙ୍କ ନିକଟରେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଦାବୀ ଉପସ୍ଥାପନ କରିଥିଲେ । ସେହିପରି ବଜ୍ରପାତର ପ୍ରକୋପ ବୃଦ୍ଧି ପାଉଥିବା ଯୋଗୁଁ ପ୍ରତିବର୍ଷ ସାରା ଦେଶରେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଏ କ୍ଷେତ୍ରରେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବିପର‌ର୍ଯ୍ୟ ସହିତ ଜାତୀୟ ସ୍ତରରେ ବଜ୍ରପାତକୁ ଏକ ବିପର‌ର୍ଯ୍ୟ ଭାବରେ ବିଜ୍ଞପିତ କରିବା ଓ ବିପର‌ର୍ଯ୍ୟ ପ୍ରସ୍ତୁତି ଏବଂ ବିପର‌ର୍ଯ୍ୟ ପ୍ରଶମନ କାର୍ଯ୍ୟକଳାପ ପାଇଁ ଦେଶକୁ ସୁଦୃଢ଼ କରିବା ଦିଗରେ ସେ ମତ ଉପସ୍ଥାପନ କରିଥିଲେ । ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧିମାନେ ଏହି ବୈଠକରେ ଯୋଗ ଦେଇଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଥିଲେ ଯେ, ଓଡ଼ିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉକ୍ତି ହେଉଛି ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ । ଆମ ରାଜ୍ୟର ସମସ୍ତ ବିପର‌ର୍ଯ୍ୟ ପରିଚାଳନାର ଏହା ହେଉଛି ମୁଳ ମନ୍ତ୍ର । ଏହି ଅବସରରେ ଅନ୍ୟମାନଙ୍କ ଅବଗତି ନିମନ୍ତେ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଥିଲେ ଯେ, ଜୁନ୍ ୨ ତାରିଖରେ ବାଲେଶ୍ୱର ନିକଟରେ କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ସମୟରେ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ସେବା, ସ୍ୱେଚ୍ଛାସେବୀ ଏବଂ ସ୍ଥାନୀୟ ଜନସାଧାରଣଙ୍କର ସାହସ ଓ ନିଷ୍ଠା ଯୋଗୁଁ ୧୨୦୦ ରୁ ଅଧିକ ଆହତ ଯାତ୍ରୀଙ୍କୁ ୨୦୦ରୁ ଅଧିକ ଆମ୍ବୁଲାନ୍ସ ଯୋଗେ ଆଖପାଖ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇ ପାରିଥିଲା । ଫଳରେ ବହୁତ ଅମୂଲ୍ୟ ଜୀବନ ବଂଚାଯାଇ ପାରିଥିଲା ଏବଂ ସମସ୍ତଙ୍କ ଅଂଶଗ୍ରହଣ ଯୋଗୁ ଏହି ଦୁଃଖଦ ଘଟଣାକୁ ସଫଳତାର ସହ ପରିଚାଳନା କରାଯାଇପାରିଲା । ଏହି ବୈଠକରେ ମାନ୍ୟବର ମନ୍ତ୍ରୀଙ୍କ ସହ ଓଡ଼ିଶା ରାଜ୍ୟ ଅତିରିକ୍ତ ରିଲିଫ କମିଶନର ଡଃ ଜ୍ଞାନ ଦାସ ପ୍ରମୁଖ ଯୋଗ ଦେଇଥିଲେ ।  

Exit mobile version