Home ଓଡ଼ିଶା ଦୟାମୟୀ ରଥ ଦୟା ଓ କରୁଣାର ଅବତାର ଥିଲେ : ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୧ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଓଡ଼ିଶା :- ସ୍ୱର୍ଗତଃ ଦୟାମୟୀ ରଥ ଜଣେ ଧର୍ମପରାୟଣା ମହିଳା, ଆଦର୍ଶ ନାରୀନେତ୍ରୀ ତଥା ଆଗଧାଡ଼ିର ସମାଜ ସେବୀ ଥିଲେ। ଓଡ଼ିଶାରେ ନାରୀ ଶିକ୍ଷା ଏବଂ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସେମାନଙ୍କର ଉତଥାନ ପଛରେ ଶ୍ରୀମତୀ ରଥଙ୍କର ବ୍ୟାପକ ଅବଦାନ ଥିଲା। ତାଙ୍କର ଅଦମ୍ୟ ଇଚ୍ଛା ଶକ୍ତି ଓ ଅନନ୍ୟ କର୍ତ୍ତବ୍ୟବୋଧ ନିକଟରେ ସାମାଜିକ କଟକଣା ହାର ମାନିଥିଲା। ସ୍ୱର୍ଗତଃ ଦୟାମୟୀଙ୍କର ଦୃଢ଼ ମନୋବଳ, ଉତ୍ସର୍ଗୀକୃତ ସଂକଳ୍ପ ଓ ନିରବିଚ୍ଛିନ୍ନ ପ୍ରୟାସ, ଅନେକ ଅସହାୟ ମହିଳା ମାନଙ୍କ ପାଇଁ ଆଶାର କିରଣ ଆଣିଦେଇଥିଲା। ଶ୍ରୀମତୀ ରଥଙ୍କର ସେବା ଓ ତ୍ୟାଗର ପଟ୍ଟାନ୍ତର ନଥିଲା। ସେ ଥିଲେ ସ୍ୱାଭିମାନ ଓ ସ୍ୱେଚ୍ଛାସେବାର ଜଣେ ମୂର୍ତ୍ତିମନ୍ତ ପ୍ରତୀକ। ଅଜସ୍ର ପ୍ରେରଣାର ଉତ୍ସ ଏବଂ ସର୍ବଗୁଣ ସଂପର୍ଣ୍ଣା ଦୟାମୟୀ ରଥଙ୍କର ଦେହାନ୍ତ ୭୩ ବର୍ଷ ବୟସରେ ୨୦୧୯ ମସିହା ଜୁନ ମାସ ୨୬ ତାରିଖ ଆଷାଢ଼ କୃଷ୍ଣ ପକ୍ଷ ନବମୀ ତିଥିରେ ଘଟିଥିଲା। ତୁଳସୀ ଦୁଇ ପତ୍ରରୁ ବସିଲା ପରି ବାଲ୍ୟ କାଳରୁ ଦୟାମୟୀଙ୍କର ପରୋପକାର ମନୋବୃତ୍ତି ଲୋକଲୋଚନକୁ ଆସିଥିଲା। ପ୍ରକୃତରେ ସେ ଦୟା ଓ କରୁଣାର ଅବତାର ଥିଲେ। ସ୍ୱର୍ଗତଃ ଦୟାମୟୀ ରଥ କଟକ ସହରର ସ୍ୱର୍ଗତଃ ଇଞ୍ଜିନିୟର ଗଣେଶ୍ୱର ନନ୍ଦ ଓ ଶ୍ରୀମତୀ ସାରଳା ଦେବୀଙ୍କର ପଞ୍ଚମ ସନ୍ତାନ ଭାବେ ୧୯୪୬ ମସିହା ନଭେମ୍ବର ମାସ ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ୧୯୬୫ ମସିହା ନଭେମ୍ବର ମାସ ୧୮ ତାରିଖରେ କଟକ ଜିଲ୍ଲା ଆଠଗଡ଼ ସବଡିଭିଜନସ୍ଥିତ କଟକିଆ ସାହି ଗ୍ରାମ ପଞ୍ଚାୟତର ପାଟେଣୀ ଗାଁ ନିବାସୀ ସ୍ବର୍ଗତଃ ଭଗବାନ ରଥଙ୍କର କନିଷ୍ଠ ପୁତ୍ର ତଥା ଉକ୍ତ ଗ୍ରାମର ପ୍ରଥମ ଇଞ୍ଜିନିୟର ଓ “ବାସକଳା” ପୁସ୍ତକର ରଚୟିତା ସ୍ୱର୍ଗତଃ ପୂର୍ଣ୍ଣଚନ୍ଦ୍ର ରଥଙ୍କୁ ସେ ବିବାହ କରିଥିଲେ। ସ୍ବାମୀଙ୍କର ଅବିରତ ପ୍ରେରଣାକ୍ରମେ ଦୟାମୟୀ ପାଠ ପଢିବା ଓ ଗୀତ ଶିଖିବା ସାଙ୍ଗକୁ କଳାରେ ସ୍ନାତକ ଏବଂ ଭୁବନେଶ୍ଵରସ୍ଥିତ ସଙ୍ଗୀତ ମହାବିଦ୍ୟାଳୟରୁ ସଙ୍ଗୀତରେ ସଫଳତାର ସହିତ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଏହାପରେ ବିଭିନ୍ନ ସ୍ଥାନରେ ଚାକିରି କରି ନିଜର ପେଶାକୁ ଜାରି ରଖିବା ସାଙ୍ଗକୁ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ଓ ପରିଚାଳିତ ବହୁ ଅନୁଷ୍ଠାନ ଯଥା ପୂର୍ଣ୍ଣାଙ୍ଗ ସିଲେଇ ଶିକ୍ଷା କେନ୍ଦ୍ର, ସାରଳା ମହିଳା ସମିତି, ସାରଳା ଶିଳ୍ପ ସମବାୟ ସମିତି ଇତ୍ୟାଦି ଜରିଆରେ ସେ ବହୁ କନ୍ୟା ଓ ମହିଳାଙ୍କୁ ଗୀତ, ନୃତ୍ୟ ଓ ସିଲେଇ ଆଦି ବୈଷୟିକ ଶିକ୍ଷା ପ୍ରଦାନ କରି ଆତ୍ମନିର୍ଭର କରାଇବାକୁ ସକ୍ଷମ ହୋଇଥିଲେ। ଏହି ସମୟରେ ଜଣେ କବି ଭାବରେ ନିଜର ସୃଜନଶୀଳ ପ୍ରତିଭା ଓ ପାରଦର୍ଶିତାର ପ୍ରଦର୍ଶନ କରି ସେ ଉଚ୍ଚ ପ୍ରଶଂସିତ ହୋଇଥିଲେ। ବିଭିନ୍ନ କବିତା ଆସରରେ ତାଙ୍କର କବିତା ଆବୃତ୍ତି, ଶ୍ରୋତା ମାନଙ୍କ ଦ୍ଵାରା ଖୁବ ଆଦୃତ ହେଉଥିଲା। ଶ୍ରୀମତୀ ରଥଙ୍କର ବହୁବିଧ ଉଜ୍ଜ୍ବଳ ଓ ଉତ୍ତୁଙ୍ଗ ବ୍ୟକ୍ତିତ୍ଵ ମଧ୍ୟରେ ରାଜନୀତି ବି ସାମିଲ ଥିଲା। ରାଜନୀତିକୁ ସେ ଦେଶ ଓ ସମାଜସେବା ପାଇଁ ଆୟୁଧ କରିଥିଲେ। ସେ ସକ୍ରୀୟ ରାଜନୀତିରେ ଯୋଗଦେଇ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସର ସଭାନେତ୍ରୀ ଓ ଓଡ଼ିଶା ରାଜ୍ୟ ମହିଳା କଂଗ୍ରେସର ସମ୍ପାଦିକା ରୂପେ ଦଶ ବର୍ଷ ଧରି କାର୍ଯ୍ୟରତ ଥିଲେ। ଜଣେ ଅଗ୍ରଣୀ ସମାଜ ସେବୀ ଭାବରେ ସେ ଭାରତୀୟ କୃଷକ ସମାଜର କାଉନସିଲ ସଦସ୍ୟ, ଭାରତ ସ୍କାଉଟସ ଓ ଗାଇଡ ତଥା ରେଡକ୍ରସର ଆଜୀବନ ସଭ୍ୟ ହେବାର ଗୌରବ ଅର୍ଜନ କରିଥିଲେ। ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ସେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ତରଫରୁ ବହୁବାର ସମ୍ବର୍ଦ୍ଧିତ ଓ ସମ୍ମାନିତ ହୋଇଛନ୍ତି। ବିଶେଷ କରି ସମାଜର ଦୀନ,ହୀନ ଓ ଦୁଃଖୀ,ରଙ୍କି ମହିଳା ମାନଙ୍କର କଲ୍ୟାଣ ନିମନ୍ତେ ତାଙ୍କର ନିରନ୍ତର ଓ ନିଷ୍ଠାପର ଉଦ୍ୟମ ଅତୁଳନୀୟ ଥିଲା। ଉଭୟ ବାପ ଘରେ ଓ ଶାଶୁ ଘରେ ନିଜ ଜୀବଦଶା ମଧ୍ୟରେ ସେ ଯେଉଁ ଜନହୀତକର କାର୍ଯ୍ୟ କରିଯାଇଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ରହିବ। ୧୯୯୯ ମସିହାର ମହାବାତ୍ୟା ବିପତ୍ତି ସମୟରେ ଶ୍ରୀମତୀ ରଥ କଟକ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ଗାଁ ଗାଁ ବୁଲି ଚାଉଳ, ଚୁଡ଼ା, ପାଉଁରୁଟି,ପାଣି ଓ ଲୁଗା ଇତ୍ୟାଦି ବାତ୍ୟା ବିପନ୍ନଙ୍କୁ ବଣ୍ଟନ କରିବା ବିଷୟକୁ ସେ ଅଞ୍ଚଳର ବାସୀନ୍ଦାମାନେ ଏବେବି ମନେ ରଖିଛନ୍ତି। ସ୍ୱର୍ଗତଃ ଦୟାମୟୀ ରଥଙ୍କର ଦୁଇ ପୁତ୍ର ଡଃ ପ୍ରଭାତ କୁମାର ରଥ ଓ ଇଂ ପ୍ରଦୀପ କୁମାର ରଥ ଏବଂ କନ୍ୟା ଡାକ୍ତର ପଦ୍ମାଳୟା ରଥ ତାଙ୍କର ଉପଯୁକ୍ତ ଦାୟାଦ ଭାବେ ଉଚ୍ଚ ପଦପଦବୀରେ ଆସୀନ ହୋଇ ଏବେ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରି ଆସୁଛନ୍ତି। ଦୟାମୟୀଙ୍କର ସ୍ଥୂଳ ଶରୀର ଗତ ଚାରି ବର୍ଷ ଧରି ସୂକ୍ଷ୍ମ ଓ ଶାନ୍ତ ହୋଇଯାଇଥିଲେ ସୁଦ୍ଧା ତାଙ୍କର ବହୁ ଅବିସ୍ମରଣୀୟ ସ୍ମୃତି ଏବେବି ପରିଜନମାନଙ୍କ ହୃଦୟରେ ଉଜ୍ଜୀବିତ ହୋଇ ରହିଛି। ନାରୀନେତ୍ରୀ ଓ ସମାଜସେବୀ ଦୟାମୟୀ ରଥଙ୍କର ଅମର ଆତ୍ମା ସଦଗତି ଲାଭକରୁ, ଏହାହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା। Categories: ଓଡ଼ିଶା, ମହାନଗର, ହୋମ୍ Related Content ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି by Proprietor Abhimanyu Maharana June 30, 2026 ରଥଖଳାରେ ରଥନିର୍ମାଣ ଶୈଳୀ ଦେଖିଲେ ମୂଖ୍ଯମନ୍ତ୍ରୀ by Proprietor Abhimanyu Maharana June 30, 2026 ଜଗନ୍ନାଥଙ୍କୁ ପଛ କରି ଭକ୍ତଙ୍କୁ ଦର୍ଶନ ଦେଲେ ମନ୍ତ୍ରୀ by Proprietor Abhimanyu Maharana June 30, 2026 ପୋଲିସ ପକ୍ଷରୁ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଦର୍ଶନ by Proprietor Abhimanyu Maharana June 30, 2026 ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତି ୪ଲକ୍ଷ ଭକ୍ତଙ୍କ ଦୁର୍ଲଭ ଦର୍ଶନ - ପୁରୀ by Proprietor Abhimanyu Maharana June 29, 2026 ଓଡିଶାର ସ୍ୱଚ୍ଛ ଶକ୍ତି ଓ ଇଣ୍ଡଷ୍ଟ୍ରିଆଲ ଡିକାର୍ବନାଇଜେଶନ ଯାତ୍ରା ପାଇଁ ରୋଡମ୍ୟାପ ପ୍ରସ୍ତୁତ - ସିଆଇଆଇ ଏନର୍ଜି କନ୍କ୍ଲେଭ by Proprietor Abhimanyu Maharana June 29, 2026