୯ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଯୁବ ମନ ମଧ୍ୟରେ ବିଜ୍ଞାନ ସମ୍ପର୍କିତ ବିଷୟରେ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୁଭଦ୍ରା ଚାରିଟେବଲ୍ ଟ୍ରଷ୍ଟ (ଏକ ଅଣ ଲାଭଜନକ ସଂଗଠନ) ପକ୍ଷରୁ କୋହେନ୍ ଇଣ୍ଟରନ୍ୟାସନାଲ ସ୍କୁଲ, ଜଟଣୀ ସହିତ ମିଶି ଚଳିତ ମାସ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ‘ସାଇନ୍ସ ମୁଭ୍ମେଣ୍ଟ-୨୦୨୩’ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୁଦ୍ଧ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟିକରିବ ଯେଉଁଠାରେ ସେମାନେ ଟାଟା ଇନ୍ଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ, ନାଇଜର, ଭାବା ଆଣବିକ ଗବେଷଣା କେନ୍ଦ୍ର ଏବଂ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ଇଣ୍ଡିଆନ୍ ଲାଇଫ ସାଇନ୍ସ (ଆଇଏଲ୍ଏସ) ଆଦି ଭଳି ଖ୍ୟାତିସମ୍ପନ୍ନ ପ୍ରତିଷ୍ଠାନର ବିଭିନ୍ନ ବୈଜ୍ଞାନିକ, ଶିକ୍ଷାବିତ୍ ଏବଂ ଗବେଷକଙ୍କ ସହିତ ଭାବ ବିନିମୟ କରିବେ । ତାହାସହିତ ସେମାନେ ସିଧା ବିଜ୍ଞାନଭିତ୍ତିକ ପ୍ରଦର୍ଶନଗୁଡିକ ଜରିଆରେ ବାସ୍ତବ ଅନୁଭୂତି ଲାଭକରିବେ ।
ନବମ ଏବଂ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମନୋନୀତ ଛାତ୍ରଛାତ୍ରୀ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ସୁଭଦ୍ରା ଚାରିଟେବଲ୍ ଟ୍ରଷ୍ଟ କ୍ରମାଗତ ପଞ୍ଚମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ସୌଭାଗ୍ୟ ଲାଭ କରିଛି, ଯେଉଁଠାରେ ଆମନ୍ତ୍ରିତ ଛାତ୍ରଛାତ୍ରୀ ଟାଟା ଇନ୍ଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ, ନାଇଜର, ଭାବା ଆଣବିକ ଗବେଷଣା କେନ୍ଦ୍ର ଏବଂ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଭଳି ଖ୍ୟାତିସମ୍ପନ୍ନ ପ୍ରତିଷ୍ଠାନଗୁଡିକର ବିଶିଷ୍ଟ ବୈଜ୍ଞାନିକ, ଶିକ୍ଷାବିତ୍ ଏବଂ ଗବେଷକଙ୍କ ସହିତ ଭାବ ବିନିମୟ କରୁଛନ୍ତି ଏବଂ ତାହାସହିତ ସିଧା ପ୍ରଦର୍ଶନ ଜରିଆରେ ବାସ୍ତବ ଅନୁଭୂତି ହାସଲ ସହିତ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଉପକୃତ ହେଉଛନ୍ତି । ସାଇନ୍ସ ମୁଭ୍ମେଣ୍ଟର ପ୍ରଥମ ଦିବସର କାର୍ଯ୍ୟକ୍ରମ ଆମର ବାହାରୁ ଆସିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ସମୃଦ୍ଧ ହୋଇଥିଲା, ଯେଉଁମାନେ ପିଲାମାନଙ୍କୁ ବିଭିନ୍ନ ଦୃଷ୍ଟିକୋଣରୁ ସମ୍ବୋଧିତ କରିଥିଲେ । ପ୍ରଫେସର ଅଜିତ ମୋହନ ଶ୍ରୀବାସ୍ତବ ‘ଦି ୟୁନିଭର୍ସ, ଏଲିମେଣ୍ଟାରୀ ପାର୍ଟିକଲ୍ସ୍, ଆଣ୍ଡ ବ୍ଲାକ୍ ହୋଲ୍ସ୍’ ଉପରେ ଆଲୋଚନା କରିଥିଲେ । ପ୍ରଫେସର ଏସ.ଆର.ସନ୍ଥନମ୍ ଆମକୁ ‘ମ୍ୟାଥେମାଟିକ୍ସ ଇନ୍ ଟେକ୍ନୋଲୋଜି ଆଣ୍ଡ୍ ଟେକ୍ନୋଲୋଜି ଇନ୍ ମ୍ୟାଥେମାଟିକ୍ସ’ ଉପରେ ଅନେକ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । ଶ୍ରୀ ସଂଗ୍ରାମ ଦଳେଇ ‘ରୋଗ ପ୍ରତିରୋଧ ବ୍ୟବସ୍ଥା, ରୋଗ ଓ ଟୀକା’ ଉପରେ ଆଲୋକପାତ କରିଥିଲେ । ଡା.ଶୁଭୋଜିତ୍ ସେନ୍ ‘ଅଣ୍ଡରଷ୍ଟାଣ୍ଡିଂ ଡିଏନ୍ଏ: ଟପୋଲୋଜି ଇନ୍ଫ୍ଲଏନ୍ସେସ୍ ହାଓ ୱି ରିଡ୍ ଆୱାର ଜିନ୍ସ୍’ ଉପରେ ତାଙ୍କର ବିଷୟବସ୍ତୁ ଉପସ୍ଥାପନ କରିଥିଲେ ।
