ଜିଲ୍ଲା ସ୍ତରୀୟ ଧାଡ଼ି ବୁଣା ଧାନଚାଷ ତାଲିମ ଶିବିର

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :- କୃଷି ଓ କୃଷକମାନଙ୍କର ଉନ୍ନତି ପାଇଁ ବିଶ୍ଵ ବ୍ୟାଙ୍କ ଓ ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଆନୁକୁଲ୍ୟରେ ଆଇ. ଆର୍. ଡି. ଏମ୍. ଏସ ସ୍ଵେଚ୍ଛାସେବୀ ସଂଘଠନର ସହଯୋଗରେ ଓଡ଼ିଶା ସମନ୍ୱିତ ଜଳ ସେଚନ ପ୍ରକଳ୍ପ ଓ ଜଳବାୟୁ ସହନଶୀଳ କୃଷି କାର୍ଯ୍ୟକାରୀ ଚାଲିଛି । ତେଣୁ ଏହି ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ଭବାନୀପାଟଣା ସହର ଟାଉନ୍ ହଲ୍ ଠାରେ ଏକ ଦିବସୀୟ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ ବ୍ଲକରୁ ନିଆଯାଇଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଥିବା ପାଣିପଞ୍ଚାୟତର ସଦସ୍ୟ/ସଦସ୍ୟା ସମେତ ଅଗ୍ରଣୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ , ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କଳାହାଣ୍ଡି, ନିବେଦକ ଯନ୍ତ୍ରୀ (କୃଷି) ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ବୈଜ୍ଞାନିକ, ଏ.ଡି. ଆର୍, ଆର୍. ଆର୍. ଟି. ଟି. ଏସ. ଭବାନୀପାଟଣା , କୀଟତତ୍ଵ ବିଭାଗ ଅଧ୍ୟାପକ ଓୟୁଏଟି ଭବାନୀପାଟଣା , ବ୍ଲକ ସ୍ତରୀୟ କୃଷି ଅଧିକାରୀ ଓ ଜଳ ସମ୍ପଦ ବିଭାଗର ଅଧକାରୀ ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ତାଲିମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । ଓଡ଼ିଶା ଜଳ ସେଚନ ପ୍ରକଳ୍ପ ଓ ଜଳବାୟୁ ସହନଶିଳ କୃଷି ବିଷୟରେ ଅଧିକ୍ଷଣ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ ଅସିତ୍ ବରନ୍ ଚକ୍ରବର୍ତ୍ତୀ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନଙ୍କୁ ବୁଝାଇଥିଲେ । ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଦିଲୀପ କୁମାର ରାଉତ ଶୁଷ୍କ ଧାନ ବୁଣା ଉପରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଥିଲେ ।ଉଚ୍ଚା ଜମିରେ ରବି ଋତୁରେ ଧାନଚାଷ ପରିବର୍ତ୍ତେ ଅଣଧାନ ଫସଲ ଡାଲି ଓ ତୈଳବୀଜ ଜାତୀୟ ଫସଲ କରି ଅଧିକ ଲାଭବାନ ହୋଇପାରିବ ବୋଲି ଏଡିଆର, ଆରଆରଟିଟିଏସ ଭବାନୀପାଟଣା ଆଲୋକପାତ କରିଥିଲେ । ଏଥି ସହ ଧାଡ଼ି ବୁଣା ଧାନରେ ଲାଗୁଥିଲା କ୍ଷତିକାରକ କୀଟ ଓ ଏହାର ପରିଚାଳନା ବିଷୟରେ ଓୟୁଏଟି ଭବାନୀପାଟଣାର ଅଧ୍ୟାପକ ସନ୍ଦିପ୍ତ କୁମାର ନାୟକ ଚାଷୀ ମାନଙ୍କୁ ବୁଝାଇଥିଲେ । ସହକାରୀ କୃଷି ଯନ୍ତ୍ରୀ ନର୍ଲା ଧାନ ରୁଆ ଓ ଧାନବୁଣା ସମ୍ପର୍କରେ ଏକ ତୁଳନାତ୍ମକ ଆଲୋଚନା କରି ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁ ପରିପ୍ରେକ୍ଷୀରେ ଉଚ୍ଚା ଓ ମଧ୍ୟମ ଜମିରେ ଟ୍ରାକଟର ଓ ହାତଟଣା ଯନ୍ତ୍ର ବ୍ୟବହାର କରିବା , ଧାନର ଅମଳ ସମୟ କୁ ୧୦ ରୁ ୧୫ ଦିନ କମ କରିବା, ଜଳ ସଂରକ୍ଷଣତା ସହିତ ସମୟ, ଶକ୍ତି ସଞ୍ଚୟ କରି ହେବ ବୋଲି କହିଥିଲେ ।

ପରିଶେଷରେ ତାଲିମକୁ ଆସିଥିବା ଚାଷୀ ଭାଇ ଓ ପାଣି ପଞ୍ଚାୟତର ସଦସ୍ୟ ମାନଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ତାଲିମ ଶିବିରକୁ ସହଯୋଗୀ ଅନୁଷ୍ଠାନ ଆଇଆରଡିଏମଏସର ଟିମ ଲିଡର ବିଭୁ ପ୍ରସାଦ ମିଶ୍ର, କୃଷି ବିଶେଷଜ୍ଞ ଦିବ୍ୟ ପ୍ରସାଦ ନାୟକ , ସାମାଜିକ ବିଶେଷଜ୍ଞ ସନ୍ତୋଷ ପ୍ରସାଦ ମାରାଣ୍ଡି, ଦିଲୀପ କୁମାର ଷଡଙ୍ଗୀ ଓ କ୍ଲଷ୍ଟର ଫେସିଲେଟ ଟିମ୍ କେସିଙ୍ଗା ଓ ଜୁନାଗଡର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଜିଲ୍ଲା କୃଷି ଅଧିକାରୀ ଧର୍ମଗଡ ସମସ୍ତଙ୍କୁ ଧନ୍ୟବାଦ ଦେଇ ଉକ୍ତ ତାମିଲ ଶିବିରକୁ ସମାପନ କରିଥିଲେ ।

Exit mobile version