ସରିଆଁ ଉ.ପ୍ରା ବିଦ୍ୟାଳୟରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :- ପିତାମାତା ହେଉଛନ୍ତି ଶିଶୁର ପ୍ରଥମ ଗୁରୁ । ସେମାନଙ୍କ ଭାଗିଦାରୀ ପିଲାର ପଢ଼ାରେ ସହାୟକ ହେବା ସହ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍) ହାସଲ କରିବାରେ ସହାୟକ ହେବ । ତେଣୁ ସେମାନଙ୍କୁ ପିଲାର ଶିକ୍ଷଣ ପ୍ରକ୍ରିୟାରେ ସାମିଲ କରିବାକୁ ଆରମ୍ଭ ହୋଇଛି ଜନ ଭାଗିଦାରୀ କାର୍ଯ୍ୟକ୍ରମ । ଆସନ୍ତା ୧୯ରୁ ୨୨ ତାରିଖ ଯାଏଁ ପୁନେ ଠାରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ଏଜୁକେସନ୍ ୱାର୍କିଙ୍ଗ ଗ୍ରୁପ୍ ଶିଖର ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଆୟୋଜିତ ହେଉଛି ଏହି ସଚେତନତାମୂଳକ କାର୍ଯ୍ୟକ୍ରମ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ୍ ଅନ୍ତର୍ଗତ ସରିଆଁ କ୍ଲଷ୍ଟର୍ ପକ୍ଷରୁ ସରିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସରିଆଁର ପ୍ରଧାନଶିକ୍ଷକ ସାଧୁରାମ ଭୋଇ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ସାହା ଯୋଗ ଦେଇଥିଲେ । ଏହି ଅବସରରେ ପିଲାମାନେ ଖରାଛୁଟିରେ ନିଜ ଅନୁଭୂତି ବଖାଣିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଓ କୁଇଜରେ ଅଂଶଗ୍ରହଣ ସହ ଗପ କହିଥିଲେ । ଆୟୋଜିତ କର୍ମଶାଳାରେ ଅତିଥିମାନେ ଏଫ୍ଏଲ୍ଏନର ଗୁରୁତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଘର ପରିବେଶରେ ଅଭିଭାବକମାନେ ପିଲାଙ୍କ ସାକ୍ଷରତା ଓ ସଂଖ୍ୟାଜ୍ଞାନ କୌଶଳ ବିକାଶ ତଥା ପଠନ ଅଭ୍ୟାସ ବୃଦ୍ଧିରେ କିପରି ସହାୟକ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ସେହିପରି ସଚେତନତା ସୃଷ୍ଟି ପାଇଁ ଏଫ୍ଏଲ୍ଏନ୍ ପ୍ଲାକାର୍ଡ ଓ ସ୍ଲୋଗାନ୍ ପ୍ରଦର୍ଶିତ ହୋଇଥିଲା ଏବଂ ଅଭିଭାବକମାନଙ୍କୁ ଏଫ୍ଏଲ୍ଏନ୍ ସମ୍ପର୍କିତ ଲିଫଲେଟ୍ ବଣ୍ଟନ କରାଯାଇଥିଲା । ଅଭିଭାବକ ଓ ଶିକ୍ଷକମାନେ ଏଫ୍ଏଲ୍ଏନ୍ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ପିଲାଙ୍କୁ ଶିକ୍ଷଣରେ ସହାୟତା କରିବାକୁ ଅଭିଭାବକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ଆୟୋଜନରେ ଶିକ୍ଷକ କିଶୋର ତ୍ରିପାଠୀ, ସୁଧୀର ରାଉତ, ବାସୁଦେବ ବାଗ, ଦୟାନିଧି ପଧାନ, ବଳଭଦ୍ର ହରିଜନ ପ୍ରମୁଖ ସହାୟତା କରିଥିଲେ ।

Exit mobile version