ନଳାଘାଟ ଗ୍ରାମରେ ତାଣ୍ଡବ ରଚିଲା କାଳବୈଶାଖୀ ଘରର ଟିଣ ଉଡାଇବା ସହ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ

୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :- ଗଜପତି ଜିଲ୍ଲାର ମୋହନା ବ୍ଲକର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ବର୍ଷା ପ୍ରଭାବରେ ବହୁ ଲୋକଙ୍କ ଘର ସହ ଆବଶ୍ୟକୀୟ ସାମଗ୍ରୀ ନଷ୍ଟ ହୋଇଛି l ମଧ୍ୟାହ୍ନ ସମୟରେ କାଳବୈଶାଖୀ ଆସିବା ସହ ପ୍ରବଳ ବର୍ଷା ହୋଇଥିଲା। ଯାହାଫଳରେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଖାରିଗୁଡା ପଞ୍ଚାୟତ ଅଧିନ ନଳାଘାଟ ଗ୍ରାମର ଗୋପବନ୍ଧୁ ବିଷୋୟୀ, ବବିତା ରଥ ଓ ସୁଦର୍ଶନ ସାହୁଙ୍କ ଟିଣ ଛପର ଘର କାଳବୈଶାଖୀର ପ୍ରଭାବରେ ଉଡ଼ିଯାଇଛି। ଘରେ ରଖାଯାଇଥିବା ଚାଉଳ, ଧାନ ସମେତ ଆବଶ୍ୟକୀୟ ଅସବାବପତ୍ର ବର୍ଷାପାଣିରେ ନଷ୍ଟ ହୋଇଯାଇଛି ।

କାଳବୈଶାଖୀ ପ୍ରଭାବରେ ସମସ୍ତ ପରିବାର ଗୁଡିକର ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ଘଟିଛି। ସେହିପରି ବିରିକୋଟ ପଞ୍ଚାୟତ ଅଧିନ ଆଶ୍ରୟପୁର ଗ୍ରାମର ଇସ୍ରାଏଲ ରଇତ ଓ ଲମ୍ବା ଶବରଙ୍କ ଟିଣଛପର ଘର କାଳବୈଶାଖୀର ତାଣ୍ଡବରେ ଉଡିଯାଇଥିବା ସହ ଧନସମ୍ପତ୍ତି ନଷ୍ଟ ହୋଇଛି। ଖବର ପାଇ ବିରି କୋଟ ରାଜସ୍ୱ ନିରୀକ୍ଷକ ୟୁ.ସୁଧାକର ରାଓ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କୁ ଭେଟି ପଲିଥିନ ବଣ୍ଟନ କରିଛନ୍ତି। କ୍ଷତିଗ୍ରସ୍ତ ସମସ୍ତ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Exit mobile version