୬ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଲୋକସେବା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ-୨୦୨୩ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି ଯେ’ବିଟ୍ ପ୍ଲାଷ୍ଟିକ୍ ପଲୁ୍ୟସନ’ଅଭିଯାନ ଅଧିନରେ ଏ ବର୍ଷର ବିଷୟବସ୍ତୁ ହେଉଛି ‘ପ୍ଲାଷ୍ଟିକ ପ୍ରଦୂଷଣର ସମାଧାନ’ । ପରିବେଶ ସଂପର୍କିତ ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟ କରିବା ଆଜି ସମୟର ଆହ୍ୱାନ । ଆମର ଦୈନନ୍ଦିନ ଜୀବନରେ ପରିବର୍ତ୍ତନ ଆଣି ପ୍ଲାଷ୍ଟିକ ପ୍ରଦୂଷଣର ପ୍ରଭାବ ହ୍ରାସ କରିବା ପାଇଁ ଏ ବର୍ଷର ବିଷୟବସ୍ତୁ ଆମ ସମସ୍ତଙ୍କୁ ଆହ୍ୱାନ କରୁଛି । ସ୍ୱାସ୍ଥ୍ୟ, ଅର୍ଥନୀତି ଏବଂ ପରିବେଶ ଉପରେ ଏହାର ହାନିକାରକ ପ୍ରଭାବକୁ ଅଣଦେଖା କରାଯାଇପାରିବ ନାହିଁ । ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ପାଇଁ ଆମ ସରକାର ‘ଦ୍ୱିତୀୟ ରାଜ୍ୟ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଯୋଜନା’ପ୍ରଣୟନ କରିଛନ୍ତି, ଯାହା ଆମର ସ୍ୱଚ୍ଛ ଏବଂ ସବୁଜ ରାଜ୍ୟ ପ୍ରତିବଦ୍ଧତାକୁ ଦୋହରାଉଛି । ମୋ ସରକାର ୨୦୧୮ ମସିହାରୁ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ବନ୍ଦ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଇଛନ୍ତି . ପ୍ଲାଷ୍ଟିକ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ସହ ବ୍ୟାପକ ବୃକ୍ଷରୋପଣ କରାଯାଉଛି ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପରିବେଶ ଅଧ୍ୟୟନ କେନ୍ଦ୍ର, ବିଦ୍ୟାଳୟର ଇକୋ କ୍ଲବ୍ ଏବଂ ସ୍ଥାନୀୟ ଗୋଷ୍ଠୀଙ୍କ ସହଯୋଗରେ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ହଟାଇବା ପାଇଁ କରୁଥିବା କାର୍ଯ୍ୟ ବାସ୍ତବରେ ପ୍ରଶଂସାଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଉପରେ ନିଷେଧାଦେଶ ଲାଗୁ କରିବାକୁ ରାଜ୍ୟ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଲିଥିନ୍ ବ୍ୟାଗ୍ ଏବଂ ଏକକ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ବିରୋଧରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କରାଯାଉଛି । ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ସଠିକ୍ ସଂଗ୍ରହଣ ଓ ପରିଚାଳନା ସହ ପୃଥକୀକରଣ ଓ ପୁନଃବ୍ୟବହାର କେନ୍ଦ୍ରଗୁଡ଼ିକର କ୍ଷମତା ବୃଦ୍ଧି ଆମ କାର୍ଯ୍ୟ ଯୋଜନାର ଏକ ଅଂଶ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ବ୍ୟବହାର ନକରିବା ଏବଂ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା ସହ ପ୍ଲାଷ୍ଟିକ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସବୁସ୍ତରରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ପରିବେଶ ସୁରକ୍ଷା ଓ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଭିନ୍ନ ଜିଲ୍ଲାର ୧୭୩ ଜଣ ପ୍ରକୃତି ମିତ୍ର ଏବଂ ୧୮୭ ଜଣ ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି । ସେମାନଙ୍କର ଅବଦାନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ । ‘ବିଟ୍ ପ୍ଲାଷ୍ଟିକ୍ ପଲୁ୍ୟସନ’ ଉପରେ ରାଜ୍ୟସ୍ତରର ଇକୋ-ମଡେଲ ପ୍ରଦର୍ଶନର ସମସ୍ତ ଅଂଶଗ୍ରହଣକାରୀ ଓ ବିଜେତା ଏବଂ ଆମର ଭବିଷ୍ୟତକୁ ଉନ୍ନତ କରିବା ପାଇଁ ‘ଜଳସଂଚୟ କରିବାର ଚିନ୍ତାଧାରା’ ଉପରେ ହୋଇଥିବା ହାକାଥନ୍ର ସମସ୍ତ ଅଂଶଗ୍ରହଣକାରୀ ଓ ବିଜେତାମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପରିବେଶ ସଂରକ୍ଷଣ ଓ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ବିସ୍ତାର କରିବା ନିମନ୍ତେ ଏହି ଦିବସଟି ଉତ୍ସର୍ଗୀକୃତ । ପ୍ଲାଷ୍ଟିକ ବ୍ୟବହାର ପରିବେଶ ପ୍ରଦୂଷଣର ଏକ ପ୍ରଧାନ କାରଣ ।

