ମନୁଷ୍ୟ ଓ ପଣୁପକ୍ଷୀଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ଓ ସୁସଙ୍ଗତ ସହାବସ୍ଥାନ ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱ
ଭୁବନେଶ୍ୱର :- ରାଜ୍ୟରେ ମାନବୀୟ ଢଙ୍ଗରେ ବୁଲା ଶ୍ୱାନଙ୍କ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ କରାଯାଉଛି । ଏହା ରାଜ୍ୟର ୧୨ଟି ସହରାଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି । ତାଲିମପ୍ରାପ୍ତ ପ୍ରାଣୀ ଚିକିତ୍ସକ ଏବଂ ଆଧୁନିକ ଚିକିତ୍ସା ସୁବିଧା ସହିତ ଏହି ପଦକ୍ଷେପ ମାଧ୍ୟମରେ ସାରା ରାଜ୍ୟରେ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଏକ ନେଟ୍ୱାର୍କ ପ୍ରତିଷ୍ଠା କରାଯାଇଛି । ବୁଲା ଶ୍ୱାନଙ୍କୁ ସେମାନେ ରହୁଥିବା ଅଞ୍ଚଳରୁ ଧରାଯାଇ ଜନ୍ମ ନିୟନ୍ତ୍ରଣ ଅପରେସନ୍ ଓ ଟିକାକରଣ ପରେ ପୁନର୍ବାର ସେମାନେ ରହୁଥିବା ସ୍ଥାନରେ ଛାଡ଼ି ଦିଆଯାଉଛି । ଏହା ଶ୍ୱାନ-ମନୁଷ୍ୟଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ଓ ସୁସଙ୍ଗତ ସହାବସ୍ଥାନ ଏବଂ ଜଳାତଙ୍କ ପରି ରୋଗର ନିୟନ୍ତ୍ରଣ ଦିଗରେ ସହାୟକ ହୋଇପାରୁଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ଭୁବନେଶ୍ୱରଠାରେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ଏବଂ ରାଜ୍ୟ ପ୍ରାଣିକଲ୍ୟାଣ ବୋର୍ଡର ମିଳିତ ସହଯୋଗରେ ଆୟୋଜିତ ଶ୍ୱାନ ଜନ୍ମ ନିୟନ୍ତ୍ରଣ ଓ ପ୍ରାଣିକଲ୍ୟାଣ କର୍ମଶାଳାକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଶ୍ୱାନ ଜନ୍ମ ନିୟନ୍ତ୍ରଣ ନିୟମ ୨୦୨୩କୁ ରାଜ୍ୟରେ ଯେପରି ଠିକ୍ ରୂପରେ କାର୍ଯ୍ୟକାରୀ କରାଯିବ ସେ ଦିଗରେ ପ୍ରତ୍ୟେକ ସ୍ତରରେ ନିଷ୍ଠାପର ଉଦ୍ୟମ ହେବା ଆବଶ୍ୟକ । ଓଡ଼ିଶା ଜୈବ ବିବିଧତା ଏବଂ ବିବିଧ କୃଷି ପ୍ରଣାଳୀର ରାଜ୍ୟ । ଏଠାରେ ସର୍ବଦା ମନୁଷ୍ୟ ଓ ପଶୁପକ୍ଷୀଙ୍କ ଘନିଷ୍ଠ ସମ୍ବନ୍ଧ ରହିଆସିଛି । ଆମ କ୍ଷେତରେ କାର୍ଯ୍ୟରତ ବଳଦଠାରୁ ଆରମ୍ଭ କରି କୁକୁର, ବିଲେଇ, ଶୁଆ ଆଦି ପଶୁପକ୍ଷୀ ଆମର ଅତ୍ୟନ୍ତ ବିଶ୍ୱସ୍ତ ଓ ସେମାନେ ଆମ ସମାଜରେ ଏକ ଅବିଚ୍ଛେଦ୍ୟ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ନିଶ୍ଚିତ କରିବା ଆମର କର୍ତ୍ତବ୍ୟ ଏବଂ ଦାୟିତ୍ୱ ।
