x. ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମିକୁ ଆହୁରି ସୁଦୃଢ କରାଯିବ ।
x. ଚିକିତ୍ସିତଙ୍କ ଚିକିତ୍ସା ଓ ମୃତକଙ୍କ ଚିହ୍ନଟକରଣକୁ ପ୍ରାଥମିକତା
x. ଓଡିଶା ସରକାରଙ୍କଖର୍ଚ୍ଚରେ ମୃତଦେହଗୁଡିକୁପହଁଚାଇବାର ବ୍ୟବସ୍ଥା
x. ସୂଚନାଓ ଅନୁସନ୍ଧାନ ପାଇଁ
www.osdma.org,www.srcodisha.nic.in,www.bmc.gov.in ଓ୍ୱେବ୍ ସାଇଟ୍ ଏବଂ ନିଃଶୁଳ୍ପ ଟେଲିଫୋନ୍ ନଂ-୧୮୦୦୩୪୫୦୦୬୧ ଏବଂ ୧୯୨୯ ବ୍ୟବହାର ଜାରି ରହିଛି ।
୫ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଗତ ଦୁଇ ତାରିଖରେ ବାଲେଶ୍ୱରର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣା ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ସରକାରଙ୍କ ତରଫରୁ କରାଯାଉଥିବା ଉଦ୍ଧାର ପରବର୍ତ୍ତୀ ସହାୟତା ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ପରିପ୍ରକ୍ଷୀରେ ଶ୍ରୀ ଜେନା କହିଛନ୍ତି ଯେ, ଆଜି ସଂଧ୍ୟା ସୁଦ୍ଧା ଏହି ଦୁର୍ଘଟଣାରେ ୧୭୬ ଟି ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କର ସଂପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଛି ।
ସେଥିମଧ୍ୟରୁପୂର୍ବରୁ ବାଲେଶ୍ୱରରେ ୮୫ଟି ମୃତଦେହ ଚିହ୍ନଟ କରାଯାଇଥିବା ବେଳେ ଭୁବନେଶ୍ୱର ଆସିଥିବା ୧୯୩ ମୃତଦେହଙ୍କ ମଧ୍ୟରୁ ଆଜି ସନ୍ଧ୍ୟା ସୁଦ୍ଧା ଆଉ ୯୧ଟି ଏହିପରି ମୋଟ ୧୭୬ ଟିର ଚିହ୍ନଟ କରାଯାଇଥିଲା । ବିଭିନ୍ନ ହସ୍ପିଟାଲରେ ରଖାଯାଇଥିବା ମୃତଦେହକୁ ସେମାନଙ୍କର ସଂପର୍କୀୟମାନେ ଚିହ୍ନଟକରଣ ପାଇଁ ଆସୁଛନ୍ତି ଏବଂ ଏହି ପ୍ରକ୍ରିୟା ଚାଲୁରହିଛି ।
ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମୃତକଙ୍କ ପରିଜନମାନେ ମାନସିକ ଦୁଃଖଦ ସ୍ଥିତି ନେଇ ଓଡିଶାରେ ପହଁଚୁଛନ୍ତି । ଏଠାରେ ଯେପରି ସେମାନଙ୍କର କୌଣସି ଅସୁବିଧା ନହୁଏ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୃତଦେହ ଚିହ୍ନଟକରଣ ପରେ ସେସବୁକୁ ଓଡିଶା ରାଜ୍ୟ ସରକାରଙ୍କଖର୍ଚ୍ଚରେ ସେମାନଙ୍କ ଗନ୍ତବ୍ୟ ସ୍ଥାନରେ ପହଁଚାଇବାର ବ୍ୟବସ୍ଥା କରାଯାଇଛି ।
ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ପରେ ମୃତ୍ୟୁ ପ୍ରମାଣ ପତ୍ର ଯଥାଶୀଘ୍ର ସେମାନଙ୍କ ପରିବାରଙ୍କୁ ପ୍ରଦାନ ପାଇଁ ରାଜ୍ୟ ସରକାରବ୍ୟବସ୍ଥା ଗ୍ରହଣ କରିବେ । ଅନ୍ ଲାଇନ୍ ଏବଂ ଆବଶ୍ୟକସ୍ଥଳେ ସ୍ପିଡପୋଷ୍ଟ ଜରିଆରେ ସେମାନଙ୍କ ପରିଜନମାନଙ୍କୁ ମୃତ୍ୟୁ ପ୍ରମାଣପତ୍ର ପଠାଇଦିଆଯିବ । ମୃତଦେହସବୁର ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜନସାଧାରଣଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନିଃଶୁଳ୍ପ ଟେଲିଫୋନ୍ ନଂ- ୧୮୦୦୩୪୫୦୦୬୧ ଓ ନଂ-୧୯୨୯ ଜାରି କରାଯାଇଥିଲା ଓ ଏହା କାର୍ୟ୍ୟକାରୀ ରହିଛି ।
ଏହି ନମ୍ବରକୁ ଦେଶର ଯେ କୌଣସି ସ୍ଥାନରୁ ଲୋକମାନେ ବ୍ୟବହାର କରି ଆହତ ବା ମୃତକଙ୍କ ସଂପର୍କରେ ଅନୁସନ୍ଧାନ କରିପାରିବେ । ସେହିପରି ମୃତକଙ୍କ ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁତିନୋଟି ଓ୍ୱେବ୍ ସାଇଟ୍ www.osdma. org, www.srcodisha.nic.in ଏବଂ www.bmc.gov.in ଜାରିଲ କରାଯାଇଛି । ଏହି ସବୁ ଟୋଲ୍ ଫ୍ରି ନମ୍ବର ଏବଂ ଓ୍ୱେବ୍ ସାଇଟ୍ ର ବହୁଳ ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମର ସହଯୋଗ ଅତ୍ୟନ୍ତ ପ୍ରଶଂସନୀୟ ଓ ଚିହ୍ନଟପ୍ରକ୍ରିୟା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେମାନେ ଏହା ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଅନୁରୋଧ କରିଛନ୍ତି ।
ବିଭିନ୍ନ ସ୍ଥାନରୁ ମୃତକଙ୍କୁ ଚିହ୍ନଟ କରିବା ପାଇଁ ଆସୁଥିବା ସେମାନଙ୍କର ସଂପର୍କୀୟମାନଙ୍କୁ ସହାୟତା କରିବା ପାଇଁ ରେଳଷ୍ଟେସନ , ବସ୍ ଷ୍ଟାଣ୍ଡ ଏବଂ ବିମାନ ବନ୍ଦରରେ ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ସଜାଗ ରହିଛନ୍ତି । ସଂପର୍କୀୟମାନେ ପହଁଚିବା ପରେ ସେମାନଙ୍କୁ ମୃତଦେହ ରହିଥିବା ବିଭିନ୍ନ ଡାକ୍ତରଖାନାକୁ ନେଇ ମୃତଦେହ ଚିହ୍ନଟ ପ୍ରକ୍ରିୟାରେ ସମସ୍ତ ସହାୟତା ପ୍ରଦାନ କରୁଛନ୍ତି । ସବୁଠୁ ଅଧିକମୃତଦେହ ରହିଥିବା ଏମ୍ସ ହସ୍ପିଟାଲ ଠାରେ ବ୍ୟବସ୍ଥିତ ଢଙ୍ଗରେ ଏକ ବଡ ଏଲ୍ଇଡି ସ୍କ୍ରିନ୍ ଲଗାଯାଇ ମୃତକଙ୍କ ଫଟୋ ପ୍ରଦର୍ଶନ କରାଯାଉଛି, ସେଥିପାଇଁ ସମସ୍ତଙ୍କୁ ଶବ ସଂରକ୍ଷଣ ଗୃହକୁ ଯିବାକୁ ଆବଶ୍ୟକ ପଡୁନାହିଁ ।
ସେଠାରେ ଅଭିଜ୍ଞ ଅଧିକାରୀ ଓ ପୋଲିସ୍ ଷ୍ଠାଫ୍ ମାନେ ଉପସ୍ଥିତ ରହି ମୃତଦେହ ଚିହ୍ନଟକରଣ ଓ ହସ୍ତାନ୍ତର ବ୍ୟବସ୍ଥାକୁ ସୁଗମ କରୁଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଆହୁରି ମଧ୍ୟ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି କହିଛନ୍ତି । ଚିକିତ୍ସିତ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ହେଉ କିମ୍ବା ମୃତଦେହ ଚିହ୍ନଟ କରି ସେମାନଙ୍କର ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରିବା ହେଉ, ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତ୍ୱ ଦେଇ କାର୍ଯ୍ୟକରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସାପାଇଁ ରକ୍ତର ଆବଶ୍ୟକତା ପୂରଣ ନିମନ୍ତେ ବାଲେଶ୍ୱର , ଭଦ୍ରକ, ସ୍ଥାନୀୟ ଏବଂ ଓଡିଶାର ଜନସାଧାରଣ ଯେପରି ଆଗେଇ ଆସିଛନ୍ତି, ଆମର ବିଶ୍ୱାସ ଓଡିଶାରେ ଚିକିତ୍ସା ପାଇଁ କେବେ ରକ୍ତର ଅଭାବ ରହିବ ନାହିଁ । ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କର ପ୍ରସ୍ତୁତି ଓ ରାଜ୍ୟର ଜନସାଧାରଣଙ୍କ ସହଯୋଗ ଆମକୁ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସର୍ବଦା ସଫଳତା ଦେଇଆସିଛି । ଆଗାମୀ ଦିନରେ ଆମର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି, ଦକ୍ଷତାର ବିକାଶ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟକୁ ଆହୁରି ଅଧିକ ସୁଦୃଢ କରିବାକୁ ଆମର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ।
ଦୁର୍ଘଟଣା ଘଟିବା ପରେ ପରେ ବାହାନଗା ଠାରେ ପହଁଚି ସେଠାରେ ବିଭିନ୍ନ କାର୍ୟ୍ୟକୁ ତଦାରଖ ଓ ତ୍ୱରାନ୍ୱତି କରିଥିବା କରିଥିବା ସ୍ୱତନ୍ତ୍ର ରିଲିଫ କମିଶନର ତଥା ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁପ୍ରେସ୍ ବିବୃତ୍ତିରେ କହିଲେ ଯେ,ଦୁର୍ଘଟଣାରେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ତାହା ଆମପାଇଁ ସବୁଠାରୁ ଦୁଃଖଦ ବିଷୟ । କିନ୍ତୁ ଏଥି ସଙ୍ଗେ ସଙ୍ଗେ ସ୍ଥାନୀୟ ଜନସାଧାରଣ, ଅଗ୍ମିଶମ ବାହିନୀ, ଓଡ୍ରାଫ୍ ଟିମ୍, ଆର୍ .ପି. ଏଫ୍ ଏବଂ ଏନଡିଆରଏଫର ତ୍ୱରିତ ଓ ସମ୍ମିଳିତ ଉଦ୍ୟମରେ ଯେପରି ଭାବେ ପାଖାପାଖି ୧୨୦୦ ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର ଜୀବନ ରକ୍ଷା ସମ୍ଭବ ହୋଇପାରିଲା ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ କହିଥିଲେ ।
