୪ ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର/ବାଲେଶ୍ୱର :- ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ଘଟିଥିବା ଏହି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସମଗ୍ର ଦେଶକୁ ଚକିତ କରି ଦେଇଛି । ଏଭଳି ଏକ ବିପଦ ସମୟରେ କେନ୍ଦ୍ର ପ୍ରଶାସନ ସହିତ ବେଦାନ୍ତ ଆଲୁମିନିୟମ ଲୋକଙ୍କୁ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ଯୋଗ ଦେଇଛି ।
ଦୁର୍ଘଟଣା ଖବର ପାଇବା ସଙ୍ଗେ ସଙ୍ଗେ ଭାରତର ସର୍ବ ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏବଂ ଏହାର ସହଯୋଗୀ ସଂସ୍ଥା ବେଦାନ୍ତ ଫେକର ସେମାନଙ୍କ ଦଳ ଓ ଜରୁରୀକାଳୀନ ସହାୟତା ପରିଚାଳନା ବିଭାଗ ତୁରନ୍ତ ଘଟଣା ସ୍ଥଳରେ ପହଁଚି ଲୋକମାନଙ୍କୁ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରୀ ରଖିଥିଲେ ।
ବିପର୍ଯ୍ୟୟ ପରିଚାଳନା ଓ ଜରୁରୀକାଳୀନ ପରସ୍ଥିତିରେ ତାଲିମପ୍ରାପ୍ତ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ କଂପାନିର ସୁରକ୍ଷା ଦଳର ବିଶେଷଜ୍ଞମାନେ ତୁରନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ ଓ ସେମାନେ ଲୋକମାନଙ୍କୁ ଖାଦ୍ୟ, ଜଳ, ବସ୍ତ୍ର ଓ ଲଜିଷ୍ଟିକ ସହାୟତା ଯୋଗାଇ ଦେଇଥିଲେ ।
ଏହି ଦୁଃଖଦାୟକ ପରିସ୍ଥିତିରେ ସେମାନେ ୧୦୦୦ରୁ ଅଧିକ ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୩୦୦ ଲୋକଙ୍କ ଜୀବନ ବଂଚାଇବା ପାଇଁ ପ୍ରୟାସ କରିଥିଲେ ଏବଂ ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଆମ୍ବୁଲାନସ ଯୋଗେ ବାହାନଗା, ସୋର, ଭଦ୍ରକ ଓ ବାଲେଶ୍ୱର ଡାକ୍ତରଖାନାକୁ ପଠାଇଥିଲେ । କମ୍ପାନି ପକ୍ଷରୁ ରକ୍ତଦାନ ପାଇଁ ମଧ୍ୟ ୨୦୦ରୁ ଅଧିକ ସ୍ୱେଛାସେବୀ କର୍ମଚାରୀଙ୍କୁ ସଂଗ୍ରହ କରାଯାଇଥିଲା, ଯେଉଁମାନେ ହସପିଟାଲକୁ ଯାଇ ରୋଗୀଙ୍କ ଜୀବନ ରକ୍ଷା ପାଇଁ ରକ୍ତଦାନ କରିଛନ୍ତି ।
