ଖାରିଗୁମା ରଙ୍ଗମାଟି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ

ଜୁନ୍ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ )ଆର,ଉଦୟଗିରି :- ଦିନକୁ ଦିନ ଗ୍ରାମାଞ୍ଚଳର ବିକାଶକୁ ନେଇ ରାଜ୍ୟ ସରକାର ବହୁ ପ୍ରଚାର କରୁଥିବା ବେଳେ ଏବେ ବି ଲୋକେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ। ଏପରି ଏକ ଆଦିବାସୀ ଗ୍ରାମ ହେଉଛି ବଡ ସିନ୍ଧବା ପଞ୍ଚାୟତ ଅନ୍ତର୍ଗତ ଖାରିଗୁମା ଗ୍ରାମ ନିକଟ ରଙ୍ଗମାଟି ସାହି । ଏହି ସାହିରେ ୭ଟି ପରିବାରର ୫୦ ଜଣ ଲୋକ ବସବାସ କରନ୍ତି। ସମସ୍ତେ ଗରୀବ ଶ୍ରେଣୀର। ଏମାନେ କୁଲି ମଜୁରୀ ଖଟି ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରନ୍ତି। ଏହି ଗ୍ରାମରେ ଦୀର୍ଘବର୍ଷ ଧରି ଲାଗିରହିଛି ବହୁ ସମସ୍ୟା। ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ । ବର୍ଷ ବର୍ଷ ଧରି ଏଠି ଲାଗିରହିଛି ପାନୀୟ ଜଳର ଉତ୍କଟ ଅଭାବ ସାଙ୍ଗକୁ ରାସ୍ତା, ବିଦ୍ୟୁତ, ଆବାସ ଯୋଜନା ଓ ସ୍ଵାସ୍ଥ୍ୟ ସମସ୍ୟା। ଖରାଦିନ ଆସିଲେ ଏଠାକାର ଲୋକମାନେ ମୁନ୍ଦାଏ ଜଳ ପାଇଁ ଡହଳ ବିକଳ ହୁଅନ୍ତି। ଦୀର୍ଘ ୫୦ ବର୍ଷ ପୂର୍ବେ ସାହିଠାରୁ ଅଧା କିମି ଦୂର ବିଲ ମଧ୍ୟରେ ଖୋଳାଯାଇଥିବା ଏକ ପରିତ୍ୟକ୍ତ ପଥର କୂଅର ଦୂଷିତ ଜଳକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରନ୍ତି। ଯାହାଫଳରେ ଲୋକେ ବିଭିନ୍ନ ସମୟରେ ପେଟ ରୋଗରେ ଆକ୍ରାନ୍ତ ହେବାର ନଜିର ରହିଛି। ୧୫ ବର୍ଷର ଉର୍ଦଖରାଦିନେ କୂଅ ପାଣି ଶୁଷ୍କ । ତେଣୁ ସାହିର ମହିଳା ଓ ପୁରୁଷମାନେ ବାଧ୍ୟ ହୋଇ ଜଙ୍ଗଲୀ ରାସ୍ତା ପାର ହୋଇ ୧କିମି ଦୂରତାରେ ରହିଥିବା ଶବର ସାହିକୁ ଯାଇ ଉଦୁଉଦିଆ ଖରାରେ ନଳକୂପରୁ ପାଣି ଆଣି ବ୍ୟବହାର କରନ୍ତି। ଜଳକଷ୍ଟ ଏମାନଙ୍କ ପାଇଁ ଯମ ଯନ୍ତ୍ରଣା ବୋଲି ସାହିବାସୀ ଅଭିଯୋଗ କରିଛନ୍ତି। ସାହିଠାରୁ ୧ କିମି ଦୂରତାରେ ରହିଥିବା ବେଲେଶ୍ଵର ମନ୍ଦିର ପର୍ଯ୍ୟନ୍ତ ମନରେଗା ରାସ୍ତା ଅବସ୍ଥା ଶୋଚନୀୟ। ରାସ୍ତା ସାରା ଖାଲ, ଖମା, ପଥର ଓ ଲଟାବୁଦାରେ ପରିପୂର୍ଣ୍ଣ। ବିପଦ ସଙ୍କୁଳ ରାସ୍ତାରେ ଏମାନେ ଯିବାଆସିବା କରନ୍ତି। ଗାଁଠାରୁ ୨ କିମି ଦୂରରେ ରାଜ୍ୟ ରାଜପଥ ରହିଛି। କିନ୍ତୁ ଗାଁକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଏଣୁ ଏହି ରାସ୍ତାକୁ ପକ୍କା ସଡ଼କ ନିର୍ମାଣ କରିବାପାଇଁ ଲୋକେ ପ୍ରଶାସନକୁ ଅନୁରୋଧ କରିଛନ୍ତି। ସେହିପରି ଘରକୁ ବିଜୁଳିବତୀ ଏମାନଙ୍କ ପାଇଁ ସ୍ବପ୍ନ। ସାହିଠାରୁ ୧ କିମି ଦୂରତାରେ ରହିଥିବା ଶବର ସାହିରେ ବିଦ୍ୟୁତ ସରବରାହ ରହିଛି। କିନ୍ତୁ ଏହି ସାହିକୁ ପୋଲଖୁଣ୍ଟ ପୋତାଯାଇନି କି ତାର ମଧ୍ୟ ଟଣାଯାଇନି। ଯାହାଫଳରେ ବିଦ୍ୟୁତ ଆଲୋକ ଦେଖିବାରୁ ଏଠାକାର ଲୋକେ ବଞ୍ଚିତ । ଆବାସ ଯୋଜନା ଏମାନଙ୍କ ପାଇଁ ସାତସପନ। ଗାଁରେ ସମସ୍ତଙ୍କ ଘର ନଡା ଓ ଟିଣଛପର ଘର । ପକ୍କା ଘର କାହାର ନାହିଁ। ଲୋକେ ଆବାସ ଯୋଜନା କ’ଣ ଜାଣନ୍ତି ନାହିଁ। ଦେହ ଅସୁସ୍ଥ ହେଲେ ସାଧାରଣତଃ ଏମାନେ ଦେଶୀ ଚେରମୂଳୀ ଔଷଧ ଉପରେ ନିର୍ଭର କରନ୍ତି। ଜରୁରୀ ଚିକିତ୍ସା ପାଇଁ ୧୨ରୁ ୧୩ କିମି ଦୂରରେ ଅବସ୍ଥିତ ମୋହନା ଓ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ଏଣୁ ରଙ୍ଗମାଟି ସାହିରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ସାହିର ଗୌରୀ ଦଳାଇ, ଯମ୍ବୁବତୀ ଦଳାଇ, ସାବିତ୍ରୀ ଦଳାଇ, ଉଦ୍ଧବ ମଳିକ, ତୁଳସୀ ଦଳାଇ, କୁନି ଦଳାଇ, ଲକ୍ଷ୍ମୀ ଦଳାଇ, ସାଟି ମଳିକ, ଆନନ୍ଦ ମଳିକ, ଉମା ଦଳାଇ, ପ୍ରତିମା ମଳିକ, ପ୍ରଭାକର ଦଳାଇ ପ୍ରମୁଖ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Exit mobile version