୩୧ ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଓସ୍ୱ।ନ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱାପ୍ନାରାଣୀ ସ୍ୱାଇଁ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ ପ୍ରମୁଖ ଯୋଗ ଦେଇ ବିଭିନ୍ନ ନଦୀ ବନ୍ଧ ସୁଦୃଢ କରିବା ସହ ବିପର୍ଯ୍ୟୟ ମୁକାବିଲା ପାଇଁ ବିବିଧ ମତାମତ ପ୍ରଦାନ କରିଥିଲେ । ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ ।
ବିଶେଷ କରି ଜନସାଧାରଣ ଙ୍କୁ ସତର୍କ ଓ ସଚେତନ କରିବା ସହ ସ୍ୱାସ୍ଥ୍ୟ, ପାନୀୟ ଜଳ, ପଶୁ ସମ୍ପଦ, କୃଷି ଇତ୍ୟାଦି ବିଭାଗ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ଚଳିତ ବର୍ଷ ଜୁନ ୧ ତାରିଖ ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଅହୋରାତ୍ର ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ହେବ ଓ ବିଡ଼ିଓ, ତହସିଲଦାର ମାନେ ଦୈନିକ ପରିସ୍ଥିତି ବା ସିଚୁଏସନ ରିପୋର୍ଟ ପ୍ରଦାନ କରିବେ । ଜିଲ୍ଲାରେ ୨୯ ଟି ଏସ ଆର ସି ବୋଟ ରହିଛି । ଓସଡାମା ପକ୍ଷରୁ ୧୭୦ ଟି ବାତ୍ୟା ଆଶ୍ରୟ ସ୍ଥଳ ଓ ରେଡକ୍ରସ ପକ୍ଷରୁ ୯ ଟି ବାତ୍ୟା ଆଶ୍ରୟ ସ୍ଥଳ ରହିଛି । ସେହିପରି ୩୭୨ ଟି ବିକଳ୍ପ ଆଶ୍ରୟ ସ୍ଥଳ ମଧ୍ୟ ରହିଛି । ଇତି ମଧ୍ୟରେ ୨୬ ଜଣ ବୋଟ ଚାଳକ ଓ ଖଲାସୀ ଙ୍କୁ ନିଯୁକ୍ତ କରାଯାଇଛି ଯେଉଁ ମାନେ କି ବନ୍ୟା ସମୟରେ ସହଯୋଗ କରିବେ । ସରକାର ଓ ଏସଆରସି ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକା କୁ ସଠିକ ଭାବେ ଅନୁପାଳନ କରିବାକୁ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ ।
