‘ମମତା ଯୋଜନା’ରେ ବର୍ତ୍ତମାନ ସୁଦ୍ଧା ୨୭୧୧.୬୭ କୋଟିରୁ ଅଧିକ ଅର୍ଥରାଶି ଇ-ଟ୍ରାନ୍ସଫର ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ଜମା ଖାତାକୁ ପଠାଯାଇଛି.
୨୦୦୦-୨୦୦୧ ବଜେଟ୍ରେ ବିଭାଗ ପାଇଁ ୩୭୬.୮୬ କୋଟି ଟଙ୍କା ଥିବାବେଳେ ୨୦୨୩-୨୪ରେ ଏହା ୩,୬୭୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି.

୩୧ ମଇ ,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ବିଭାଗୀୟ ସଫଳତା ସମ୍ବନ୍ଧରେ ବିଶଦ ତଥ୍ୟ ଉପସ୍ଥାପନ କରିଥିଲେ । ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ କହିଲେ ଯେ, ଓଡ଼ିଶା ସରକାରଙ୍କର ଅଭିନବ ଓ ଯୁଗାନ୍ତକାରୀ ଯୋଜନା “ମମତା’’ ୨୦୨୧ ମସିହାରେ କାର୍ଯ୍ୟକାରୀ ହେବାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୫୬.୮୨ ଲକ୍ଷରୁ ଅଧିକ ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କ ହିତସାଧନ କରିପାରିଛି । ବର୍ତ୍ତମାନ ସୁଦ୍ଧା ୨୭୧୧.୬୭ କୋଟିରୁ ଅଧିକ ଅର୍ଥରାଶି ଇ-ଟ୍ରାନ୍ସଫର ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ଜମା ଖାତାକୁ ପଠାଯାଇଛି । ଏହା ଗର୍ଭବତୀ ମହିଳା, ଶିଶୁ ଏବଂ ପ୍ରସୂତି ମା’ମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସିଧାସଳଖ ସହାୟକ ହୋଇଛି ।
