୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ଉପଯୁକ୍ତ ପ୍ରତିଭା ସୃଷ୍ଟି ସହିତ ଯୁବବର୍ଗଙ୍କୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳରେ ଦକ୍ଷ ଏବଂ ନିପୁଣ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ନାସକମ୍ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଆଜି ସ୍ଥାନୀୟ ଲୋକସେବା ଭବନଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏକ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ସ୍ୱରୂପ ରାଜ୍ୟର ୮ ଲକ୍ଷ ଛାତ୍ରଛାତ୍ରୀମାନଙ୍କୁ “ଫ୍ୟୁଚର ସ୍କିଲ୍ସ ପ୍ରାଇମ୍” ମାଧ୍ୟମରେ ଦକ୍ଷତାଭିତ୍ତିକ ତାଲିମ ପ୍ରଦାନ କରାଯିବ ଯଦ୍ଦ୍ୱାରା ସେମାନେ ଭବିଷ୍ୟତରେ ପ୍ରଯୁକ୍ତି ବିଦ୍ୟା ସମ୍ପର୍କିତ ବିଭିନ୍ନ ଆହ୍ୱାନର ସଫଳ ମୁକାବିଲା କରିପାରିବେ ।
ଆଜିର ଡିଜିଟାଲ ଇକୋସିଷ୍ଟମରେ ଆବଶ୍ୟକ ହେଉଥିବା ପ୍ରମୁଖ ଜ୍ଞାନକୌଶଳରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ପ୍ରଶିକ୍ଷକ-ଅଧ୍ୟାପକମାନଙ୍କୁ ଦକ୍ଷ କରିବା ଏବଂ ଭାରତକୁ ଏକ ଡିଜିଟାଲ ପ୍ରତିଭାସମ୍ପନ୍ନ ରାଷ୍ଟ୍ରରେ ପରିଣତ କରିବା ହେଉଛି ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ।
“ଫ୍ୟୁଚର ସ୍କିଲ୍ସ ପ୍ରାଇମ୍” ହେଉଛି ନାସକମ ଏବଂ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଏକ ମିଳିତ ଉପକ୍ରମ । ଏହା ଭାରତର ଏପରି ଏକ ବୈଷୟିକ ଦକ୍ଷତା ବୃଦ୍ଧି ହବ୍ ଯାହା ଶିକ୍ଷାର ଗଣତାନ୍ତ୍ରିକୀକରଣକୁ ସାକାର କରିବା ସହିତ ଉଭୟ ଛାତ୍ରଛାତ୍ରୀ ଏବଂ ପେସାଦାରମାନଙ୍କୁ ବିଭିନ୍ନ ବିଷୟରେ ଦକ୍ଷତା ବୃଦ୍ଧି କରିବା, ପୁନଃଦକ୍ଷ ହେବା ଏବଂ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ସୁଯୋଗ ପ୍ରଦାନ କରୁଛି ।
ଡିଜିଟାଲ ପ୍ରବାହ ଏବଂ ଶିଳ୍ପ ଅନୁକୂଳ ବିଷୟବସ୍ତୁ ସହିତ ସମସ୍ତ କ୍ଷେତ୍ରରେ ବୈଷୟିକ ଦକ୍ଷତା ସୃଷ୍ଟି କରିବା ହେଉଛି ଏହି ବୁଝାମଣାର ଲକ୍ଷ୍ୟ । ଛାତ୍ରଛାତ୍ରୀମାନଙ୍କର ଉପଯୁକ୍ତ କ୍ୟାରିୟର ଗଠନ ସହିତ ଶିଳ୍ପାନୁଷ୍ଠାନମାନଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ନାସକମ୍ ସାର୍ଟିଫାଏଡ୍ ପ୍ରଫେସନାଲ ହେବା ପାଇଁ ଏହା ସୁଯୋଗ ସୃଷ୍ଟି କରିବ । ଏହି ସହଭାଗିତାର ଲକ୍ଷ୍ୟ ହେଉଛି ଏନ.ଏସ.କ୍ୟୁ.ଏଫ. ଏବଂ ଏନ.ଓ.ଏସ. ସଂଯୁକ୍ତ ପାଠ୍ୟକ୍ରମ ମାଧ୍ୟମରେ ନୂତନ ପ୍ରଯୁକ୍ତି କାର୍ଯ୍ୟକ୍ରମଗୁଡିକୁ ସମନ୍ୱିତ କରି ରାଜ୍ୟ ପାଇଁ ଏକ ଭବିଷ୍ୟତ ପ୍ରତିଭା ସମୂହ ତିଆରି କରିବା, ଯାହା ଜାତୀୟ ଶିକ୍ଷା ନୀତି ୨୦୨୦ ସହ ଉପଯୁକ୍ତ ସମନ୍ୱୟ ଓ ତାଳମେଳ ରଖି କାର୍ଯ୍ୟ କରିପାରିବ ।
