ନେଭା ଜାତୀୟ କର୍ମଶାଳା ଉଦ୍‌ଘାଟିତ

୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ଆଜି ନୂଆଦିଲ୍ଲୀସ୍ଥିତ ହୋଟେଲ ଅଶୋକାଠାରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ଦୁଇଦିନିଆ ନ୍ୟାସନାଲ୍‌ ଇ-ବିଧାନ (ନେଭା)ର ଜାତୀୟ କର୍ମଶାଳା ଉଦ୍‌ଘାଟିତ ହୋଇଛି । ଏହି କର୍ମଶାଳାରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲ୍‌, ଶ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ଶ୍ରୀ ଭି. ମୁରଲୀଧରନ ଅତିଥି ଭାବେ ଯୋଗଦେଇ କାଗଜବିହୀନ ବିଧାନସଭା କିପରି ସୁଚାରୁ ରୂପେ ପରିଚାଳନା କରିହେବ ସେ ସଂପର୍କରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଶ୍ରୀ ଗୁଡ଼େ ଶ୍ରୀନିବାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।କର୍ମଶାଳାରେ ଓଡ଼ିଶା ବିଧାନସଭା ପକ୍ଷରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଏବଂ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଇ-ବଜେଟ୍‌ କାର୍ଯ୍ୟକାରୀ କରିଥିବା ବିଷୟରେ ଅବଗତ ହୋଇ ଅତିଥି ଏବଂ ପ୍ରତିନିଧିମାନେ ଖୁସିବ୍ୟକ୍ତ କରିଥିଲେ । ଏହି କର୍ମଶାଳାରେ ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ଦାଶରଥି ଶତପଥୀ, ଓଡ଼ିଶା ରାଜ୍ୟ ସୂଚନା ପ୍ରଯୁକ୍ତି ଅଧିକାରୀ ଡ. ଅଶୋକ କୁମାର ହୋତା ଏବଂ ଜାତୀୟ ସୂଚନା କେନ୍ଦ୍ର, ଭୁବନେଶ୍ୱରର ବରିଷ୍ଠ ଅଧିକାରୀ ଶ୍ରୀମତୀ ସରିତା ସାହୁ, ଶ୍ରୀ ଅଶୋକ କୁମାର ବେହେରା ଏବଂ ଶ୍ରୀ ସୁଦୀପ୍ତ ସାମନ୍ତ ଯୋଗଦେଇଛନ୍ତି ।

Exit mobile version