୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମଗୁଡିକର ସମୀକ୍ଷା କରିଛନ୍ତି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗତ ଦୁଇ ଦଶନ୍ଧି ଏବଂ ବିଗତ ଚାରି ବର୍ଷରେ ବିଭିନ୍ନ କ୍ଷେତ୍ରରେ ବିଭାଗର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ସମୀକ୍ଷା ପରେ ଗୀତଗୋବିନ୍ଦ ସଦନଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ ଯେ ସଡ଼କ ସୁରକ୍ଷା ସହ ଗମନାଗମନ ଓ ପରିବହନ କ୍ଷେତ୍ରକୁ ସୁଗମ କରିବା ନିମନ୍ତେ ବିଭାଗ ପକ୍ଷରୁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଓଡ଼ିଶା ଲୋକସେବା ଅଧିକାର ଆଇନ (ଓଆର୍ଟିପିଏସ୍) ଅଧୀନରେ ବିଜ୍ଞାପିତ ୩୨ଟି ସେବା ମଧ୍ୟରୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ୨୦୨୨ ସୁଦ୍ଧା ୩୧ଟି ସେବା ଅନଲାଇନରେ ଯୋଗାଇ ଦିଆଯାଉଛି ।
ଏହି ସେବାଗୁଡିକୁ ନାଗରିକଙ୍କ ପାଇଁ ‘ଭିଜିଟ୍-ଲେସ୍’ କରିବା ଦିଗରେ ଅଧିକ ପଦକ୍ଷେପ ନିଆଯାଉଛି । ଏଥିମଧ୍ୟରୁ ଅଧିକାଂଶ ସେବା ଡ୍ରାଇଭିଂ ଲାଇସେନ୍ସ (ଡି.ଏଲ୍.) ଏବଂ ରେଜିଷ୍ଟ୍ରେସନ ସାର୍ଟିଫିକେଟ (ଆର୍.ସି.) ସହିତ ଜଡିତ । ସୂଚନାଯୋଗ୍ୟ, ଡି.ଏଲ୍. ଓ ଆର.ସି. ପାଇଁ ଚିପ୍ ଆଧାରିତ ସ୍ମାର୍ଟ କାର୍ଡ ପ୍ରଚଳନ ସହିତ ବାହନ (ଯାନ ସମ୍ବନ୍ଧୀୟ ସେବା ପାଇଁ ଆପ୍ଲିକେସନ୍ ସଫଫେୱୟାର୍) ଏବଂ ସାରଥି (ଡ୍ରାଇଭର ସମ୍ବନ୍ଧୀୟ ସେବା ପାଇଁ ଆପ୍ଲିକେସନ୍ ସଫଫେୱୟାର୍) କାର୍ଯ୍ୟକାରୀ କରିବାରେ ଓଡ଼ିଶା ୨୦୦୬ରେ ଏକ ଅଗ୍ରଣୀ ରାଜ୍ୟ ଥିଲା । ତେବେ ୫-‘ଟି’ ପଦକ୍ଷେପ ସ୍ୱରୂପ ଆବେଦନକାରୀଙ୍କୁ ଡି.ଏଲ୍. ଓ ଆର୍.ସି. ପ୍ରଦାନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କାଗଜବିହୀନ ଓ ଅସୁବିଧାମୁକ୍ତ କରିବା ଦିଗରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ।
୨୦୧୯ ସେପେଫମ୍ବର ୨୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର.ଟି.ଓ.)ଗୁଡିକୁ ଦଲାଲମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଗୁଡିକରେ ସୂଚନା କିୟସ୍କୋ ଓ ସ୍ମାର୍ଟ କ୍ୟୁ ପରିଚାଳନା ବ୍ୟବସ୍ଥା (ଏସ.କ୍ୟୁ.ଏମ.ଏସ.) ସ୍ଥାପନ ଜରିଆରେ କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତିବିଶେଷଙ୍କର ମୂଲ୍ୟବାନ ସମୟ ରକ୍ଷା ହେବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରୁଛି ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ । ମନ୍ତ୍ରୀ ଶ୍ରୀମତୀ ସାହୁ ପୁଣି କହିଲେ ଯେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏକ ପ୍ରଥମ ପ୍ରତିକ୍ରିୟାକାରୀ ତାଲିମ କାର୍ଯ୍ୟକ୍ରମ ରକ୍ଷକ ପରିକଳ୍ପନା କରିଛନ୍ତି । 
ଯେଉଁଥିରେ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ବାସ କରୁଥିବା ୩୦ ହଜାର ପ୍ରଥମ ପ୍ରତିକ୍ରିୟାକାରୀଙ୍କୁ ତାଲିମ ପ୍ରଦାନ କରି ସଶକ୍ତ କରାଯାଉଛି । ସେହିଭଳି, ଭାରୀଜାନ ଚାଳକମାନଙ୍କୁ ଅଧିକ ଦକ୍ଷ କରିବା ଉଦ୍ଦେଶ୍ୟରେ ଯାଜପୁର ଛତିଆସ୍ଥିତ ଭାରୀଯାନ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟର ଭାରୀଯାନ ଚାଳକଙ୍କ ପାଇଁ ଏକ ରିଫ୍ରେସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ବାହକ’ ଆରମ୍ଭ କରାଯାଇଛି । ‘ବାହକ’ କାର୍ଯ୍ୟକ୍ରମରେ ଏପ୍ରିଲ ମାସରେ ଭାରୀଯାନ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଛତିଆରେ ପ୍ରାୟ ୧,୬୯୮ ଜଣ ଡ୍ରାଇଭରଙ୍କୁ ତାଲିମ ଦିଆଯାଇଥିବା ବେଳେ ‘ରକ୍ଷକ’ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୧,୯୦୭ ଜଣ ପ୍ରଥମ ପ୍ରତିକ୍ରିୟାକାରୀଙ୍କୁ ତାଲିମ ଦିଆଯାଇଛି । ଦେଶର ପୂର୍ବ ଉପକୂଳରେ ଅବସ୍ଥିତ ଓଡିଶା ଖଣିଜ ଏବଂ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ।
