୨୪ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ବୟାଲିଶମୌଜା/କଟକ ଜିଲ୍ଲା :- କଟକ ସଦର ବ୍ଲକ ଅନ୍ତର୍ଗତ ୬ ଗୋଟି ପଞ୍ଚାୟତକୁ ନେଇ ଗଠିତ ୪୨ ମୌଜାରେ କ୍ରମବର୍ଦ୍ଧିସୁ ଜନସଂଖ୍ୟା ୮୫ ହଜାରରୁ ଉର୍ଦ୍ଧ୍ଵରେ ପହଞ୍ଚିଲାଣି । ବହୁଳ ଜନସଂଖ୍ୟା ପାଇଁ ଏହି ଅଞ୍ଚଳରେ ପ୍ରାୟ ଅଧିକାଂଶ ସମୟରେ ରାସ୍ତା ଦୁର୍ଘଟଣା, ଝଡତୋଫାନ ଜନିତ ଗଛ ଭାଙ୍ଗିପଡ଼ିବା, ଚାରିପଟରେ ନଦୀ ଥିବାରୁ ଜଳରେ ମନୁଷ୍ୟ ଓ ଜୀବଜନ୍ତୁ ବୁଡିଯିବା ଜନିତ ବିପଦ ସହିତ ଅନେକ ଚାଷ, ଘର, ଅନୁଷ୍ଠାନ ଓ କାର୍ଯ୍ୟାଳୟ ପ୍ରଭୃତିରେ ନିଆଁ ଲାଗିଯିବା ଏବଂ ଘଡଘଡି ପଡ଼ି ପ୍ରାୟ ପ୍ରତିବର୍ଷ ଘରପୋଡି ପରି ବିପଦ ସୃଷ୍ଟି ହୋଇ ବହୁମାତ୍ରାରେ ଧନଜୀବନ ହାନି ହେଉଛି ।
ଯାହାଦ୍ବାରା ଏହି ଅଞ୍ଚଳରେ ଅଗ୍ନି ନିରାପତ୍ତା ପାଇଁ ଦମକଳ କେନ୍ଦ୍ର ନିତ୍ୟାନ୍ତ ଆବଶ୍ୟକ ହୋଇପଡିଛି । ୪୨ ମୌଜାକୁ ବର୍ତ୍ତମାନ ସହଯୋଗ ଯୋଗାଉଥିବା ଦମକଳ କେନ୍ଦ୍ରର ଦୂରତା ୨୫ କିମିରୁ ଅଧିକ ଅଟେ । ଏଥିପାଇଁ ୪୨ ମୌଜାରେ କୌଣସି ଦୁର୍ଘଟଣା ଘଟିଲେ ଅଥବା ଅଗ୍ନିଶମ ବିଭାଗର ଆବଶ୍ୟକତା ପଡ଼ିଲେ ବିଶେଷ ଭାବରେ ଦୂରତା ଓ ରାସ୍ତାଜାମ୍ ସମସ୍ୟା ଯୋଗୁଁ ଧନ ଜନ ସମ୍ପତ୍ତି ହାନିରୁ ରକ୍ଷା ହୋଇପାରୁନାହିଁ । ଯାହାକି ଦୁର୍ଘଟଣା ସ୍ଥଳରେ ପହଁଞ୍ଚିବାକୁ ପ୍ରାୟତଃ ଏକ ଘଣ୍ଟା ଲାଗିଯାଉଛି । ଦିନକୁ ଦିନ ଏହି ସମସ୍ୟା ଗୁରୁତର ରୂପ ଧାରଣ କରିଚାଲିଛି । 
ଅଞ୍ଚଳରେ ଅନେକ ସମୟରେ ଅଗ୍ନି ଦ୍ଵାରା ଦୁର୍ଘଟଣା ଘଟି ବହୁ ପରିମାଣରେ ଧନଜୀବନ ହାନି ଘଟୁଥିବା ବୁଦ୍ଧିଜିବୀ ମହଲରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି । ଏଥିପାଇଁ ୪୨ ମୌଜାବାସୀ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କ ସହଯୋଗରେ ଏବଂ କଟକ ସାଂସଦ ଭର୍ତ୍ତୁହରି ମହତାବଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ, ୫ ଟି ସଚିବ, ତଥା ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଗ୍ନିଶମ ଅଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ ପୂର୍ବକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
