୨୨ ମଇ,୨୦୨୩ (ଓଡ଼ିଶା ତାଜାନ୍ୟୁଜ) ଭୁବନେଶ୍ୱର :- ସମବାୟ ବିଭାଗର ବିଭିନ୍ନ ଉପଲବ୍ଧ ମଧ୍ୟରୁ ରାଜ୍ୟର ଚାଷୀମାନଙ୍କୁ କୃଷିଋଣ ଯୋଗାଣ ଅନ୍ୟତମ । ଆମ ରାଜ୍ୟରେ ତ୍ରିସ୍ତରୀୟ ସ୍ୱଳ୍ପମିଆଦି ସମବାୟ ଋଣ ବ୍ୟବସ୍ଥା ଅନ୍ତର୍ଗତ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ, ୧୭ ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କ ଓ ୨୭୧୦ ଗୋଟି ପ୍ରାଥମିକ କୃଷି ଋଣ ସମବାୟ ସମିତି (ପାକ୍ସ) ମାନେ ଚାଷୀମାନଙ୍କୁ ତାଙ୍କର ଆବଶ୍ୟକତା ମୁତାବକ ଯଥା ସମୟରେ ଏବଂ ସହଜ ସୁବିଧା କିମ୍ବା ବିନା ସୁଧରେ ଚାଷ ଋଣ ଯୋଗାଇ ଦେଉଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ, ବିନା ସୁଧରେ ଉପଲବ୍ଧ ଋଣର ପରିମାଣ ୫୦,୦୦୦ ଟଙ୍କାରୁ ୧,୦୦,୦୦୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି, ଯାହା ଫଳରେ କି ୨୦୨୨-୨୩ ବର୍ଷରେ ରାଜ୍ୟରେ ୭ ଲକ୍ଷରୁ ଊର୍ଦ୍ଧ୍ଵ ଅତିରିକ୍ତ କ୍ଷ୍ଯୁଦ୍ର ଓ ନାମମାତ୍ର ଚାଷୀ ପରିବାର ଏଥିରୁ ଉପକୃତ ହୋଇ ପାରିଛନ୍ତି । 
ରାଜ୍ୟରେ ବିଗତ ଆର୍ଥିକ ବର୍ଷରେ ୩୪.୫୭ ଲକ୍ଷ ଚାଷୀଙ୍କୁ ମୋଟ ୧୬୬୮୩.୫୭ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରାଯାଇଅଛି । ୨୦୦୦-୦୧ ବର୍ଷରେ ୬.୪୦ ଲକ୍ଷ ଚାଷୀଙ୍କୁ ଦିଆଯାଇଥିବା ୪୩୮.୩୬ କୋଟି ଟଙ୍କା ଋଣ ତୁଳନାରେ ଏହି ଅଭିବୃଦ୍ଧି ବିଭାଗର ସଫଳତାକୁ ସୂଚୀତ କରୁଛି । ଏତଦ୍ ବ୍ୟତୀତ, ରାଜ୍ୟରେ ପାକ୍ସ ମାନେ ଚାଷୀଙ୍କୁ ପ୍ରାମାଣିକ ବିହନ ଓ ସାର ଯୋଗାଣରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି । ପାକ୍ସ ମାନଙ୍କ ଦ୍ଵାରା ସେବା ପ୍ରଦାନକୁ ଆହୁରି ଦକ୍ଷ ଓ ସ୍ଵଚ୍ଛ କରିବା ପାଇଁ ୨୨୯୫ ଗୋଟି ପାକ୍ସର କୋର ବ୍ୟାଙ୍କିଙ୍ଗ ସଲ୍ୟୁସନ ବ୍ୟବସ୍ଥାରେ କମ୍ପ୍ୟୁଟରୀକରଣ କରାଯାଇଅଛି ଯାହାକି ସାରା ଦେଶରେ ପ୍ରଥମ ଅଟେ ।
