
୧୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବେଙ୍ଗାଲୁର :- କର୍ଣ୍ଣାଟକା ବିବାଦରେ ଶାନ୍ତି ବାହକ ସାଜିଲେ ସୋନିଆ ଗାନ୍ଧ , କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ଟଣାଓଟରାରେ ଶାନ୍ତି ବାହକ ସାଜିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି । ତାଙ୍କ ହସ୍ତକ୍ଷେପ ଯୋଗୁ ସପ୍ତାହେ ଧରି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା ସସପେନ୍ସରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ସିଦ୍ଦରମୈୟା ଓ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାକୁ ଜିଦ ଧରି ବସିଥିବାରୁ କଂଗ୍ରେସର ବରିଷ୍ଠ ନେତାମାନେ ଉଭୟଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, କେସି ଭେନୁଗୋପାଲ ଓ ରଣଦୀପ ସୂର୍ଯ୍ୟେୱାଲାଙ୍କ ଭଳି ହେଭିୱେଟ ବିବାଦ ସାମାଧାନ କରିବାକୁ ଚେଷ୍ଟା କରିଥିଲେ । ସେମାନେ ଦୁଇ ନେତାଙ୍କ ସହ ବୈଠକ କରି ସମାଧାନର ଫର୍ମୁଲା ବାହାର କରିବାକ ଚାହିଁଥିଲେ । ହେଲେ ଶିବକୁମାର ଓ ସିଦ୍ଦରମୈୟା ସେମାନଙ୍କ କଥାରେ ରାଜି ହୋଇ ନଥିଲେ । ଶେଷରେ ବିବାଦରେ ହସ୍ତକ୍ଷେପ କରିଥିଲେ ସୋନିଆ ଗାନ୍ଧି । ସୋନିଆ ଗାନ୍ଧି ସିଧାସଳଖ ବୁଧବାର ସନ୍ଧ୍ୟାରେ ଡିକେ ଶିବକୁମାରଙ୍କ ସହ କଥା ହୋଇଥିଲେ । ଏହି ସମୟରେ ସୋନିଆ ତାଙ୍କ ଠାରୁ ସବୁ କିଛି ତଥ୍ୟ ସଂଗ୍ରହ କରିଥିଲା । ଶେଷରେ ଦଳର ସ୍ୱାର୍ଥ କଥା କହି ତାଙ୍କୁ ବୁଝାଇଥିଲେ । ସୋନିଆଙ୍କ ପ୍ରତିଶ୍ରୁତି ଓ ବୁଝାସୁଝା ପରେ ମୁଖ୍ୟମନ୍ତ୍ରୀ ହେବା ଜିଦରୁ ଓହରି ଥିଲେ ଶିବକୁମାର । ଏହାପରେ ସେ ସିଦ୍ଦରମୈୟାଙ୍କ ଡେପୁଟି ଭାବେ କାମ କରିବାକୁ ରାଜି ହୋଇଛନ୍ତି । ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଶିବକୁମାର ସବୁବେଳେ ସୋନିଆଙ୍କୁ ତାଙ୍କ ପରିବାରର ସଦସ୍ୟ ଭାବେ ବିବେଚନା କରିଆସିଛନ୍ତି । ସୋନିଆଙ୍କୁ ସେ ମା’ଙ୍କ ଭଳି ସମ୍ମାନ କରନ୍ତି । ଏକଦା ଦୁର୍ନୀତି ମାମଲାରେ ଶିବକୁମାର ଗିରଫ ହୋଇ ତିହାର ଜେଲରେ କିଛି ଦିନ ବିତାଇଥିଲେ । ଏହି ସମୟରେ ସୋନିଆ ତାଙ୍କୁ ଭେଟିବାକୁ ଯାଇଥିଲେ । କର୍ଣ୍ଣାଟକା ରେଜଲ୍ଟ ବାହାରିବା ଦିନ ଅର୍ଥାତ ମେ’ ୧୩ରେ ଶିବକୁମାର ବିଜୟ ଉତ୍ସବ ପାଳିବା ପରେ ସୋନିଆଙ୍କ କଥା କହି କାନ୍ଦି ପକାଇଥିଲେ । ସେ ସୋନିଆଙ୍କ ସବୁ କଥାକୁ ସମ୍ମାନ ଓ ମାନି ଥାଆନ୍ତି । ଏବେ ସୋନିଆ ତାଙ୍କୁ ପାୱାର ଶେୟାରିଂ ଫର୍ମୁଲାରେ ଦଳର ସ୍ୱାର୍ଥ ପାଇଁ ରାଜି ହେବାକୁ କହିବାରୁ ସେ ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଥିବା ଜଣାପଡ଼ିଛି ।

