ରଣପୁର NAC : ସାବିତ୍ରୀ ବ୍ରତରେ ଦୁଇଜଣ ସାବିତ୍ରୀଙ୍କ ମହତ୍ୱପୂର୍ଣ୍ଣ ବାର୍ତ୍ତା …

୧୯ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର /ଏନ.ଏସି :- ସାବିତ୍ରୀ ବ୍ରତରେ ଦୁଇଜଣ ସାବିତ୍ରୀଙ୍କ ମହତ୍ୱପୂର୍ଣ୍ଣ ବାର୍ତ୍ତା ରହିଛି । ଜଣେ ହେଉଛନ୍ତି ଦେବୀ ଏବଂ ଅନ୍ୟ ଜଣକ ମାନବୀ । ମାନବୀ ସାବିତ୍ରୀ ଯିଏ ସତ୍ୟବାନଙ୍କ ପତ୍ନୀ,ନିଜ ସ୍ୱାମୀଙ୍କ ଜୀବନ ଫେରି ପାଇବାକୁ ଦେବୀ ସାବିତ୍ରୀଙ୍କ ଆରାଧନା କରିଥିଲେ । ଅବଶ୍ୟ ମାନବ ହୋଇ ସୁଦ୍ଧା ସାବିତ୍ରୀ ଓ ସତ୍ୟବାନ ଯୁଗଯୁଗ ଧରି ଚଳି ଆସିଥିବା ଲୋକ ବିଶ୍ୱାସରେ ଦେବୀ ଓ ଦେବତାର ସ୍ତରକୁ ପହଂଚି ଯାଇଛନ୍ତି । ପୌରାଣିକ କଥାବସ୍ତୁ ଅନୁଯାୟୀ ବର୍ତ୍ତମାନର ନାରୀ ମାନଙ୍କ ଭଳି ମାନବୀ ସାବିତ୍ରୀ ମଧ୍ୟ ସାବିତ୍ରୀ ବ୍ରତର ଉପାସିକା ଥିଲେ ଓ ଏ ବ୍ରତର ପ୍ରକ୍ରୁତ ଉପାସ୍‌୍ୟା ହେଉଛନ୍ତି ଦେବୀ ସାବିତ୍ରୀ । ବିଶ୍ୱାସ ଅନୁସାରେ ଦେବୀ ସାବିତ୍ରୀ ହେଉଛନ୍ତି ଗାୟତ୍ରୀ, ସରସ୍ୱତୀ ତଥା ଶତରୂପାଙ୍କ ପ୍ରତିରୂପ । ସେ ସୂର୍ଯ୍ୟଦେବଙ୍କ ପୁତ୍ରୀ ଓ ବ୍ରହ୍ମାଙ୍କର ପତ୍ନୀ । ଦେବୀ ସାବିତ୍ରୀଙ୍କୁ ଗାୟତ୍ରୀ ମଂତ୍ରର ଅଧିଷ୍ଠାତ୍ରୀ ଦେବୀଙ୍କର ଦ୍ୱିପ୍ରହର ସମୟର ରୂପ ବୋଲି କୁହାଯାଏ । ଏହି ଦେବୀ ସାବିତ୍ରୀଙ୍କୁ ଉପାସନା କରି ମାନବୀ ସାବିତ୍ରୀଙ୍କ ପିତା ଅଶ୍ୱପତି ସାବିତ୍ରୀଙ୍କୁ କନ୍‌୍ୟା ରୂପେ ପାଇଥିଲେ । ତେଣୁ ଦେବୀ ସାବିତ୍ରୀ, ଏହି ବ୍ରତର ପ୍ରକ୍ରୁତ ଉପାସ୍ୟା କିନ୍ତୁ ମାନବୀ ସାବିତ୍ରୀ ଚିର ବନ୍ଦନୀୟା ଓ ଅନୁକରଣୀୟା । ଦେବୀ ସାବିତ୍ରୀଙ୍କ ଆଶୀର୍ବାଦ ଓ କରୁଣା କୁ ପାଥେୟ କରି ମାନବୀ ସାବିତ୍ରୀ ନିଜ ନିଷ୍ଠାପର ସାଧନା, ଆଦର୍ଶ ଗୁଣବତ୍ତା ଏବଂ ବୁଦ୍ଧିମତ୍ତା ବଳରେ କିପରି ସତ୍ୟବାନଙ୍କୁ ମ୍ରୁତ୍ୟୁମୁଖରୁ ଫେରାଇ ଆଣି ପାରିଲେ ତାହା ହିଁ ସାବିତ୍ରୀ ବ୍ରତର ମୁଖ୍ୟ ପ୍ରସଙ୍ଗ । ସତୀତ୍ୱର ଅପାର ପରାକାଷ୍ଠା, ବିଚକ୍ଷଣ ବୁଦ୍ଧି ଏବଂ ନିଷ୍ଠାପର ସେବା ସାଧନାର ଫଳ ସ୍ୱରୂପ ଧର୍ମାବତାର ଯମରାଜଙ୍କୁ ନିରୁପାୟ କରି ଗୋଟିଏ ପରେ ଗୋଟିଏ ବର ପ୍ରାପ୍ତ ହୋଇ ଶେଷରେ ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିବା ମାନବୀ ସାବିତ୍ରୀ ଯେ ଦେବୀ ତୁଲ୍ୟ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ସ୍ୱାମୀଙ୍କୁ ଫେରି ପାଇ ସେଦିନ ବିଳମ୍ୱିତ ସଂଧ୍ୟାରେ ଯେତେବେଳେ ସାବିତ୍ରୀ ଘରକୁ ପହଂଚିଲେ ସେତେବେଳେ ଯମରାଜ ଦେଇଥିବା ସମସ୍ତ ବରଦାନ ଫଳବତୀ ହୋଇ ସାରିଥାଏ । ଶ୍ୱଶୁର ଦ୍ୟୁମତସେନ ରାଜ୍‌ଯଭାର ଫେରି ପାଇବା ସହ ପୂର୍ବ ଦ୍ରୁଷ୍ଟିଶକ୍ତି ପ୍ରାପ୍ତ ହୋଇଥିଲେ । ଏସବୁ ଚମତ୍କାରିତାରେ ଆଚମ୍ୱିତ ନିଜଲୋକଙ୍କ ଉତ୍କଣ୍ଠିତ ପ୍ରଶ୍ନର ଉତ୍ତରରେ ଜଙ୍ଗଳରେ ଘଟିଥିବା ସମସ୍ତ ବ୍ରୁତାନ୍ତକୁ ସାବିତ୍ରୀ ବର୍ଣ୍ଣନା କରିଥିଲେ ।ଘଟଣା ଶୁଣି ସମସ୍ତେ ସାବିତ୍ରୀଙ୍କୁ ଧନ୍ୟ ଧନ୍ୟ କରି ତୁ ପୁଜ୍‌୍ୟାର ଯୋଗ୍ୟ ବୋଲି କହିଥିଲେ । ସାବିତ୍ରୀ କିନ୍ତୁ ନିଜ ପ୍ରଶଂସାରେ ବିଚଳିତ ହୋଇ କହିଲେ ମୁଁ ପୂଜ୍ୟନୁହେଁ, ପୂଜ୍‌୍ୟା ହେଉଛନ୍ତି ଆମ ସମସ୍ତଙ୍କ ଆରଧ୍ୟା ଦେବୀ ମାଁ ସାବିତ୍ରୀ । ଯାହାଙ୍କ ପ୍ରସାଦରୁ ମୋର ପିତା ମୋତେ ପ୍ରାପ୍ତ ହୋଇ ମୋର ନାଁ ସାବିତ୍ରୀ ରଖିଛନ୍ତି । ଆଜି ତାଙ୍କରି ଆଶୀର୍ବାଦରେ ଏତେ ସବୁ ଅସମ୍ଭବ ସମ୍ଭବ ହୋଇ ପାରିଛି । ବର୍ତ୍ତମାନ ସମାଜର ସମସ୍ତ ବର୍ଗର ଲୋକ କଥା ପ୍ରସଙ୍ଗରେ ଯାହା କହନ୍ତି, କାମରେ କଲାବେଳେ ପ୍ରାୟ ତାର ଓଲଟା କରୁଥିବା ଦେଖିବାକୁ ମିଳେ ।

ସଂପ୍ରତି ମଣିଷ ମନରେ ବ୍ୟାପକତାର ଘୋର ଅଭାବ ପରିଲିକ୍ଷିତ ହେଉଥିବା ବେଳେ ପ୍ରାୟ ସମସ୍ତଙ୍କୁ ସଂକୀର୍ଣ୍ଣତା ଗ୍ରାସ କରିନେଇଛି । ସେଥିପାଇଁ ତ ଅନେକାଂଶରେ ଚିତ୍ର ଓ ଚରିତ୍ର ଭିତରେ ଯୋଜନ ଯୋଜନ ର ପାର୍ଥକ୍‌ଯ ଅନୁଭବ ହେଉଛି । ଆମ ସମାଜରେ ଦିନୁଦିନ ଆଡ଼ମ୍ବର ସହକାରେ ସାବିତ୍ରୀ ବ୍ରତ ପାଳନ ହେଉଛି । କିନ୍ତୁ ଏହା ଭିତରର ସାରଗର୍ଭକ ତତ୍ୱକୁ ଆହରଣ କରିବାରେ କିଏ କେତେ ସମର୍ଥ ହେଉଛନ୍ତି ତାହା ଠିକରେ କହି ହେବ ନାହିଁ । ଅପରପକ୍ଷେ ପ୍ରକ୍ରୁତ ତତ୍ୱକୁ ଜାଣିବାରେ କେତେ ଜଣ ଚେଷ୍ଟିତ ଅଛନ୍ତି କି ନାହିଁ, ତାହା ବି ସନ୍ଦେହ ଘେରରେ । ଏହି ବ୍ରତରେ ଦେବୀ ସାବିତ୍ରୀଙ୍କ ପ୍ରତି ଯେତିକି ନିଷ୍ଠାଭରା ଭକ୍ତିଭାବର ଆବଶ୍ୟକତା ଅଛି, ଠିକ୍‌ ସେତିକି ଅଶ୍ୱପତିଙ୍କ କନ୍‌୍ୟା ତଥା ସତ୍ୟବାନଙ୍କ ଅର୍ଦ୍ଧାଙ୍ଗିନୀ ମାନବୀ ସାବିତ୍ରୀଙ୍କ କର୍ମ ସାଧନାର ଅନୁକରଣ ମଧ୍ୟ ସୁନିଶ୍ଚିତ ହେବା ଦରକାର । କିନ୍ତୁ ପରିତାପର ବିଷୟ ଯେ, ଆଜି ସାବିତ୍ରୀ ବ୍ରତରେ ଆଧୁନିକତାର ଅନୁକରଣ ଘଟୁଛି । ଆଧୁନିକ ସାବିତ୍ରୀ ମାନଙ୍କ ଏ ବ୍ରତ କେବଳ ଲୋକ ଦେଖାଣିଆ କହିଲେ ଅତ୍‌୍ୟୁକ୍ତି ହେବ ନାହିଁ । କାହାର ଜୀବନ ଫେରାଇ ଆଣିବା ପରିବର୍ତ୍ତେ,ଅନେକେ ଦେଖାଇ ଦିଅନ୍ତି ମ୍ରୁତ୍‌ଯୁର ପଥ । ଉଭୟ ପିତ୍ରାଳୟ ଓ ଶ୍ୱଶୁରାଳୟ ର ହିତ ସାଧନା ପାଇଁ ପ୍ରତିଶ୍ରୁତିବଦ୍ଧ ଦୁହୀତା କଥା କଥାରେ ସ୍ୱାମୀ ଘର ଲୋକଙ୍କୁ ଦେଖାଇ ଥାନ୍ତି ଆଇନର ବାଟ । କେବଳ ନାରୀ ହିଁ ସର୍ବଗୁଣାସମ୍ପନ୍ନା ରହିବା କଥା, ପ୍ରସଙ୍ଗରେ ଆମେ ଆଦୌ ଏକମତ ନହୁଁ । ପୁରୁଷମାନେ ସହଯୋଗୀସମ୍ପନ୍ନ ନ ହେବେ, ତେବେ ଆମ ସମସ୍ତଙ୍କ ଇପସିତ ସୁସ୍ଥ ସମାଜ ଗଠନ କେବେ ବି ସମ୍ଭବ ହେବ ନାହିଁ । ପୁନଶ୍ଚ ଯୁଗେ ଯୁଗେ କେବଳ ବିଶ୍ୱାସ ନୁହଁ ବରଂ ସମସ୍ତେ ଦେଖି ଆସିଛୁ ଯେ ନାରୀ ନିକଟରେ ସେହି ଶକ୍ତି ନିହିତ ରହିଛି, ଯାହା ବଳରେ ସେ ଅନେକ ବିଭ୍ରାନ୍ତ ଓ ଉଦଭ୍ରାନ୍ତ ପୁରୁଷ ସମାଜକୁ ସଠିକ୍ ରାସ୍ତାକୁ ଫେରାଇ ଆଣିବାରେ ସଫଳ ହୋଇଛି । ତେଣୁ ଏ କ୍ଷେତ୍ରରେ ନାରୀ ପ୍ରତି ଅନେକଙ୍କ ଦ୍ରୁଢ଼ ବିଶ୍ୱାସ ରହିବା ଅତ୍ୟନ୍ତ ସ୍ୱାଭାବିକ । ସାବିତ୍ରୀ ଯେଉଁ ଗୁଣ ଓ ଚରିତ୍ରକୁ ପାଥେୟ କରି ଦେବୀ ସାବିତ୍ରୀଙ୍କ ଆଶୀର୍ବାଦ ପ୍ରାପ୍ତ କରିଥିଲେ, ସେହି ଗୁଣ ଓ ଚରିତ୍ରକୁ ଯଦି ଆମେ ନିଜ ଜୀବନରେ ପଲ୍ଲବିତ କରିପାରିବା ତେବେ ସଂସାରର ସମସ୍ତଙ୍କ ହ୍ରୁଦୟ ଜିଣିବା ସହଜ ହୋଇଯିବ । କେବଳ ସ୍ୱାମୀ ନୁହଁନ୍ତି ଅନ୍ୟ ସମସ୍ତଙ୍କ ପ୍ରତି ଉଦାରଭାବ ପୋଷଣ କରିବା ହେଉଛି ସାବିତ୍ରୀ ବ୍ରତ ପାଳନର ମୂଳ ଉଦ୍ଦେଶ୍ୟ । ଏହି ଧାରଣା ଯଦି ନାରୀ ସମାଜକୁ ଉଦବେଳିତ କରେ ତେବେ ଧ୍ୱଂସାଭିମୁଖୀ ମଣିଷ ସମାଜର ଗତିପଥକୁ ରୋକ ଲଗାଇବାରେ ବେଶୀ ସମୟ ଲାଗିବ ନାହିଁ ଯିଏ ଯେତିକି କଠୋର ହୁଅନ୍ତୁ ନା କାହିଁକି, ପ୍ରେମ ଆଉ ଭଳପାଇବା ଦ୍ୱାରା ସେମାନଙ୍କୁ ପରିବର୍ତ୍ତନ କରାଯାଇ ପାରେ, ଏକଥା ନାରୀ ଠାରୁ ଅଧିକ ଆଉ କାହାକୁ ବା ଜଣା । ନିଜର ଭକ୍ତି, ଜ୍ଞାନ ଓ ଉତ୍ତମ ବ୍ୟବହାରରେ ଯିଏ ସ୍ୱୟଂ ଯମ କୁ ପରାସ୍ତ କରିପାରେ, ଏହି ମାର୍ଗରେ ଅନ୍ୟ ମାନଙ୍କୁ ଜିଣିବା ବି ତା ପକ୍ଷେ ସହଜ ସାପେକ୍ଷ । ତେଣୁ ସାଂପ୍ରତିକ ସମୟରେ ଦେବୀ ସାବିତ୍ରୀଙ୍କ ଉପାସନାର ଯେତିକି ଗୁରୁତ୍ୱ ରହିଛି ମାନବୀ ସାବିତ୍ରୀଙ୍କ ଆଦର୍ଶତା ର ଅନୁଗାମୀ ହେବା ଅଧିକ ମହତ୍ୱପୂର୍ଣ୍ଣ ମନେ ହୁଏ ।

 

Exit mobile version