୧୭ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ହେ ବିପ୍ରଗଣ ! ତିନିକ୍ରୋଶ ଆୟତନ ପବିତ୍ର ଶ୍ରୀପୁରୁଷୋତ୍ତମ କ୍ଷେତ୍ରକୁ ସ୍ପର୍ଶ କରିଯିବା ଯୋଗୁ ଏଠାରେ ସମୁଦ୍ର ‘ତୀର୍ଥରାଜ’ ଭାବରେ ପ୍ରସିଦ୍ଧ । ହେ ବ୍ରାହ୍ମଣଗଣ ! ଏହି କ୍ଷେତ୍ର ଶଙ୍ଖାକାର ହେଲେ ମଧ୍ୟ ଏଥିରେ ନୀଳପର୍ବତ ଶୋଭାପାଉଅଛି । ସେହି ନୀଳାଚଳରେ ‘ରୋହିଣୀ’ ନାମକ ଏକ କୁଣ୍ଡ ରହିଛି ।
ସେହି (ରୋହିଣୀ)କୁଣ୍ଡରେ କରୁଣାବାରି ପରିପୂର୍ଣ୍ଣ ହୋଇ ରହିଅଛି । ତାହାକୁ ସ୍ପର୍ଶ କରୁଥିବା ଲୋକମାନଙ୍କର ପାପ ନାଶଯାଏ । କାରଣ ଏହି କୁଣ୍ଡରେ ଥିବା ଜଳର ସ୍ପର୍ଶଦ୍ୱାରା ବ୍ରହ୍ମାଙ୍କର ପ୍ରଳୟ ହୁଏ । ଏହି କୁଣ୍ଡର ଉତ୍ତରଦିଗରେ ସାକ୍ଷାତ୍ ବିଷ୍ଣୁଙ୍କର ସ୍ୱରୂପ ବହନ କରିଥିବା କଳ୍ପବୃକ୍ଷ ବିଦ୍ୟମାନ । ତାହାର ଛାୟାତଳେ ଉପବେଶନକରି ତାହାକୁ ସ୍ପର୍ଶ ଓ ଦର୍ଶନ କରିବା ଦ୍ୱାରା ପାପଧ୍ୱଂସ ହୁଏ । କଳ୍ପବୃକ୍ଷ ବ୍ରହ୍ମହତ୍ୟାଜନିତ ପାପକୁ ଧ୍ୱଂସ କରେ । ତା’ ମୂଳରେ ଅତି ମଞ୍ଜୁଳ ମନୋରମ ରତ୍ନ ଖଚିତ ଦିବ୍ୟ ରତ୍ନସିଂହାସନରେ ନୀଳମାଧବ ଅଧିଷ୍ଠିତ । ତାଙ୍କର ଉଭୟ ପାର୍ଶ୍ୱରେ ଧରା (ଭୂଦେବୀ) ଓ ଲକ୍ଷ୍ମୀ (ଶ୍ରୀଦେବୀ) ରହିଛନ୍ତି । ସେଠାରୁ ଶହେ ହାତ ଦୂରରେ କଳ୍ପବୃକ୍ଷର ବାୟୁକୋଣରେ ଅର୍ଥାତ୍ ପଶ୍ଚିମୋତ୍ତର କୋଣରେ ମାଧବ ଓ ତାଙ୍କର ଦକ୍ଷିଣକୁ ନୃସିଂହ ବିଦ୍ୟମାନ ।
