କାହିଁକି ମନ୍ତ୍ରୀ ମଣ୍ଡଳରୁ ଦୁଇ ମୁଣ୍ଡ ଗଡାଇଲେ … !!

1. ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସମୀର ଦାସଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା …?

2. ଶ୍ରୀକାନ୍ତ ନାମରେ ବିଜେଡି ଦଳର ଜଣେ ନେତ୍ରୀ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଥିଲେ …?

୧୬ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସମୀର ଦାସଙ୍କୁ ନେଇ କରାଯାଇଥିବା ଆକଳନ ସତ ହୋଇଛି, ତାଙ୍କ ରାଜନୈତିକ ଜୀବନରେ କଳାବାଦଲ ଛାଇ ଯାଇଛି । ସମୀରଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଛି । ମନ୍ତ୍ରୀ ପଦରୁ ଇସ୍ତଫା ପରେ ତାଙ୍କ ରାଜନୈତିକ ଭବିଷ୍ୟତ ବାସ୍ତବରେ ଅନ୍ଧକାର ଭିତରୁ ଠେଲି ହୋଇଯାଇଛି, ଏଥିରେ ସନ୍ଦେହ ନାହିଁ । ପୁରୀ ଜିଲ୍ଲା ନିମାପଡାର ୧୧ ନମ୍ବର ଜୋନ ଜିଲ୍ଲାପରିଷଦ ଧର୍ମେନ୍ଦ୍ର ସାହୁଙ୍କୁ ଅକାଳ ମୃତ୍ୟୁ ପରେ ସେଠାରେ ଉପ-ନିର୍ବାଚନ ହୋଇଥିଲା । ଏହି ଜୋନରୁ କ୍ରମାଗତ ଭାବେ ବିଜେଡି ବିଜୟ ଲାଭ କରିଆସୁଥିଲା । ଗତ ୨ ତାରିଖରେ ଅନୁଷ୍ଠିତ ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ଏକ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ।

ବିଜେଡିର ଏଭଳି ପରାଜୟ ପାଇଁ ସ୍ଥାନୀୟ ନେତାମାନେ ସିଧାସଳକ ମନ୍ତ୍ରୀ ସମୀର ଦାସଙ୍କୁ ଦାୟୀ କରିଛନ୍ତି । ନିର୍ବାଚନ ମଣ୍ଡଳୀକୁ ଅଣଦେଖା କରିବା ଓ ଲୋକଙ୍କ ସହ ନରହିବାର ଏହା ପରିଣାମ ବୋଲି ସ୍ଥାନୀୟ ନେତା ମତ ଦେଇଛନ୍ତି । ଖାଲି ଏତିକି ନୁହେଁ ବରଂ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସମୀର ଦାସଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା । ଏସବୁ ଘଟଣାରେ ବିଜେଡି ବିବାଦୀୟ ହେବା ସହ ଦଳର ସମ୍ମାନହାନୀ ହୋଇଥିଲା । ବିଜେଡି ପାଇଁ ଏହା ସମ୍ମାନର କଥା ହୋଇଥିବାରୁ ଏହାକୁ ନେଇ ଦଳଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ପୁରୀ ଜିଲ୍ଲା ବିଜେଡି ତଥା ରାଜ୍ୟର ଆଗଧାଡିର ନେତାମାନେ ଏହି ପରାଜୟକୁ ସହଜରେ ହଜମ କରିପାରୁନାହାନ୍ତି । ସମୀର ମଧ୍ୟ ଏହି ପରାଜୟ ପାଇଁ ସ୍ପଷ୍ଟ କାରଣ କହିପାରୁନାହାନ୍ତୁ ।

ତେଣୁ ଦଳ ଏକ ପ୍ରକାର ସ୍ପଷ୍ଟ ହୋଇଛି ଯେ, ନିମାପଡା ଲୋକେ ଆଉ ସମୀରଙ୍କୁ ଗ୍ରହଣ କରୁନାହାନ୍ତି । ସମୀର ପରୋକ୍ଷରେ ଏହି ପରାଜୟ ମାଧ୍ୟମରେ ଦଳକୁ ଲଜ୍ଜିତ କରିଛନ୍ତି । ଫଳସ୍ୱରୂପ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରାଯାଇଥିବା କୁହାଯାଉଛି । ସେହିପରି ୨୦୨୨ରେ ହୋଇଥିବା ଅଦଳବଦଳରେ ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନୂଆ ଚେହେରା ଭାବେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ତାଙ୍କୁ ଶ୍ରମ ଓ କର୍ମଚାରୀ ବୀମା ବିଭାଗ(ରାଷ୍ଟ୍ରମନ୍ତ୍ରୀ-ସ୍ୱାଧୀନ) ମିଳିଥିଲା । ମାତ୍ର ମନ୍ତ୍ରୀ ଥିବା ବେଳେ ଶ୍ରୀକାନ୍ତ ନାମରେ ବିଜେଡି ଦଳର ଜଣେ ନେତ୍ରୀ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ଦଳ ଓ ସରକାର ବିବାଦୀ ଘେରକୁ ଆସିଥିଲା । ଏହି କାରଣରୁ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଥିବା କୁହାଯାଉଛି ।

 

Exit mobile version