
୧୫ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଆଜି ସଂଧ୍ୟା ୬ଟା ୨୦ରେ ଭୁବନେଶ୍ୱରରୁ ଦୁବାଇ ଅଭିମୁଖେ ଉଡ଼ିଲା ଇଣ୍ଡିଗୋ ଫ୍ଲାଇଟ୍ । ପତାକା ହଲାଇ ଏହି ବହୁ ପ୍ରତୀକ୍ଷିତ ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଫ୍ଲାଇଟରେ ସାଧାରଣ ଯାତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ବିଧାୟକ, ୧୦ ଜଣ ମିଶନ ଶକ୍ତି ମହିଳା, କିଛି କ୍ରୀଡ଼ାବିତ, ପୂର୍ବତନ କ୍ରୀଡ଼ାବିତ ଯାତ୍ରା କରିଛନ୍ତି । ସୋମବାର ପୂର୍ବାହ୍ନରେ ଦୁବାଇରୁ ୧୭୧ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିଲା ଇଣ୍ଡିଗୋ ଫ୍ଲାଇଟ୍ । ସିଧାସଳଖ ଦୁବାଇରୁ ଭୁବନେଶ୍ୱର ଫ୍ଲାଇଟ୍ ଛାଡୁଥିବାରୁ ଓଡ଼ିଆ ଯାତ୍ରୀମାନେ ଖୁସି ହୋଇଥିଲେ । ପୂର୍ବରୁ ଭାୟା ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ହୋଇ ଭୁବନେଶ୍ୱର ଆସିବାକୁ ପଡୁଥିଲା । ୧୦ରୁ ୧୨ ଘଣ୍ଟା ଲାଗୁଥିଲା । ଏବେ ମାତ୍ର ୪ ଘଣ୍ଟାରେ ସିଧାସଳଖ ଦୁବାଇରୁ ଭୁବନେଶ୍ୱରରେ ପହଞ୍ଚି ହେବ । ଦିନ ପ୍ରାୟ ୧ଟା ବେଳେ ଦୁବାଇ ବିମାନ ବନ୍ଦରରୁ ଛାଡ଼ିଥିବା ଫ୍ଲାଇଟ୍ ଭୁବନେଶ୍ୱରର ବିମାନ ବନ୍ଦରରେ ପହଞ୍ଚିଥିଲା ସଂଧ୍ୟା ୫ଟାରେ । ଆଜି ୧୮୬ ଯାତ୍ରୀଙ୍କୁ ଧରି ଦୁବାଇ ଅଭିମୁଖେ ଇଣ୍ଡିଗୋର ଏକ ବିମାନ ଉଡ଼ିଥିବା ବେଳେ, ତା’ ପୂର୍ବରୁ ଦୁବାଇରୁ ୧୭୪ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରେ ପହଞ୍ଚିଥିଲା। ପୂର୍ବରୁ ବିଭିନ୍ନ ସିଟି ଦେଇ ଦୁବାଇ ଯାତ୍ରା କରିବାକୁ ପ୍ରାୟ ୨୪ ଘଣ୍ଟା ଲାଗୁଥିଲା । ଏବେ କିନ୍ତୁ ମାତ୍ର ୪ ଘଣ୍ଟା ଲାଗିବ । ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ଏଭଳି ସପ୍ତାହକୁ ୩ ଥର ବିମାନ ଚାଲିବ। ତେବେ ସରକାର ଦୁବାଇ ଯିବା ଆସିବା ବିମାନ ଭଡ଼ା ୨୦ ହଜାର ଘୋଷଣା କରିଥିବା ବେଳେ ଏହା ବୁକିଂ ବେଳେ ଏହା ୨୬ରୁ ୨୭ ହଜାର ଟଙ୍କା ଦେଖାଉଥିବାରୁ ତାକୁ ନେଇ ଯାତ୍ରୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।

