୧୪ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗ୍ରାମରେ ମା ଠାକୁରାଣୀ ଘଟପର୍ବ ଶୁଭାରମ୍ଭ ହୋଇଯାଇଛି । ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ମଣ୍ଡପରେ ପୂଜା ପାଇବେ ମାଁ । ମାଆଙ୍କ ଯାତ୍ରାକୁ ନେଇ ଉତ୍ସବ ମୂଖର ହୋଇ ଆନନ୍ଦଉଲ୍ଲାସ ହୋଇ ପଡିଛନ୍ତି ଖଜୁରୀପଦା ତଥା ଆଖ ପାଖ ଅଞ୍ଚଳବାସୀ । ସାହି, ବଜାର ରଙ୍ଗବେରଙ୍ଗ ଆଲୋକ ମାଳରେ ସୁସଜ୍ଜିତ ହୋଇଛି। ଏହି ପରମ୍ପରାକୁ ବଜାୟରଖି ଆଗେଇ ନେଇ ଚାଲିଛନ୍ତି ଗ୍ରାମବାସୀ । ପାରମ୍ପାରିକ ରିତିନିତି ଅନୁସାରେ ଶୁକ୍ରବାର ରାତି ପ୍ରାୟ ଆଠଟା ବେଳେ କନକଦୂର୍ଗା ମାଁ ଠାକୁରାଣୀ ମନ୍ଦିରରେ ଆବାହନ କରାଯାଇଥିଲା । ଏବଂ ମଧ୍ୟରାତ୍ରରେ ମାଁ ନିଜ ମନ୍ଦିରରୁ ବାହାରି ଅସ୍ଥାୟୀ ମଣ୍ଡପରେ ବିଜେ କରିଛନ୍ତି ।
ଏହି ଅବସରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ପଟୁଆର ଢୋଲ, ଚାଙ୍ଗୁ ବାଦ୍ୟର ତାଳେ ତାଳେ ନାଚି ଶ୍ରଦ୍ଧାଳୁ ବହୁ ଆଡ଼ମ୍ବରରେ ମାଁଙ୍କୁ ବରଣ କରି ଆଣି ପ୍ରତ୍ୟେକ ଘର ମାନଙ୍କରେ ବନ୍ଦାପନା କରି ପାତ୍ର ସାହି ସ୍ଥିତ ଅସ୍ଥାୟୀ ପୁଜାମଣ୍ଡପରେ ସ୍ଥାପନା କରଯାଇଥିଲା । ଏହି ଶୋଭାଯାତ୍ରାରେ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶତାଧିକ ଭକ୍ତ ଶାମିଲ ହେଇଥିଲେ । ଯାତ୍ରା କମିଟିର ସଭାପତି ଅଭିମନ୍ୟୁ ଦଳାଇ, ଉପ ସଭାପତି ସୋମନାଥ ପ୍ରଧାନ, ସମ୍ପାଦକ ଜିତୁ ପାଇକ, କୋଷାଧ୍ୟକ୍ଷ ଗୋପାଳ ମାଝି, ଗ୍ରାମର ପାତ୍ର(ମୁଖିଆ) ସାଗର ଚନ୍ଦ୍ର ପାତ୍ର ଏବଂ ସଂଘର ସମସ୍ତ ସଭ୍ୟମାନଙ୍କ ସମେତ ଆଖ ପାଖ ଅଞ୍ଚଳର ଶତାଧିକ ଭକ୍ତ କନକଦୂର୍ଗା ମନ୍ଦିରକୁ ଯାଇ ମାଁ ଠାକୁରାଣୀଙ୍କୁ ବରଣ କରି ଆଣିଥିଲେ । ପ୍ରତ୍ୟେକ ଦିନ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିବା ଜଣାପଡିଛି । ଏହି ଯାତ୍ରାରେ ମୁଖ୍ୟ ଆକର୍ଷଣ ରହିବ ୧୪ ତରିଖରେ ମଞ୍ଚସ୍ଥ ହେବାକୁ ଥିବା ସାମାଜିକନାଟକ “ସାତ ସୁରେ ବନ୍ଧା ଏ ଜୀବନ”। ଶେଷଥର ପାଇଁ ୨୦୧୭ ରେ ଏହି ଯାତ୍ରା ହୋଇଥିବା ବେଳେ ଚଳିତ ବର୍ଷ ବହୁ ଆଡମ୍ବର ସହକାରେ ଶୁଭାରମ୍ଭ ହୋଇଛି ।

