୧୩ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ହିଞ୍ଜିଳିକାଟୁ :- ଗତ କିଛି ଦିନ ଧରି ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ନୂଆଁ ମୋଟରଯାନ ଆଇନକୁ କଡାକଡି କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚଳାଚଳ କରୁଥିବା ଯାନ ଗୁଡିକ ଉପରେ ବିଭାଗ ପକ୍ଷରୁ ଆବଶ୍ୟକୀୟ ତଥା ବୈଧ କାଗଜପତ୍ରର ଯାଞ୍ଚ କରାଯାଇଛି ।ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ପରିବହନ ଗାଡି ଗୁଡିକର କାଗଜପତ୍ର କଡାକଡି ଯାଞ୍ଚ ସହ ଜୋରିମାନା ଆଦାୟ କରୁଥିବା ଦେଖିବାକୁ ମିଳିଛି । ଏଥି ପୂର୍ବରୁ ପରିବହନ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ମୃତ୍ୟୁଶୂନ୍ୟ ସପ୍ତାହ ଅଭିଯାନକୁ କଡାକଡି ଭାବେ ଅନୁପାଳନ କରା ଯାଇଥିଲା । ଅମାନିଆ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ଆବଶ୍ୟକ ଜୋରିମାନା ଆଦାୟ ସହ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇ ଦଣ୍ଡିତ କରା ଯାଇଥିଲା। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପୋଲିସ ପ୍ରଶାସନ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇ ଗାଡି ଚାଳକଙ୍କୁ ସଚେତନତା କରାଯାଇଥିଲା । 
ଗତ କିଛି ଦିନ ଧରି ହିଞ୍ଜିଳି ପୋଲିସ ଟିମ ପକ୍ଷରୁ ବିଭିନ୍ନ ସ୍ଥାନରେ ୨ ଚକିଆ ଯାନ ଉପରେ ଜୋରଦାର ଧରପଗଡ କରାଯାଇ ଜୋରିମାନା ଆଦାୟ କରାଯାଇ ଥିଲା । ସମ୍ପ୍ରତି ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗ, ଛତ୍ରପୁର ପକ୍ଷରୁ ଗୁରୁବାର ହିଞ୍ଜିଳିକାଟୁ ଅଞ୍ଚଳରେ ଯାତ୍ରୀବାହୀ ବସ୍, ମାଲ ପରିବହନକାରୀ ଟ୍ରକ୍, ଟ୍ରାକ୍ଟର, ଅଟୋ ଆଦି ଯାନବାହାନ ଗୁଡ଼ିକୁ ଯାଞ୍ଚ କରାଯାଇ ଚାଲାଣ କଟାଯାଇଥିବା ଦେଖିବାକୁ ମିଳିଥିଲା । ଯାଞ୍ଚ ସମୟରେ ଆସିକା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ (ଓଆର୦୭ଇ ୫୮୮୮) ବସର ଫିଟନେସ, ବୀମା, ଚାଳକଙ୍କ ଗାଡି ଚାଳନା ପ୍ରମାଣପତ୍ର ଓ ପରମିଟ ନଥିବା ଜଣାପଡିଥିଲା । ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସଂପୃକ୍ତ ଯାତ୍ରୀବାହୀ ବସ୍ କୁ ଜବତ କରାଯିବା ସହ ହିଞ୍ଜିଳି ଥାନାକୁ ହସ୍ତାନ୍ତର କରାଯାଇ ଥିବା ଜଣାପଡିଛି । ଚଢ଼ାଉ ବେଳେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ କେ. ଭେଙ୍କେଟେସ, କନିଷ୍ଠ ଏମଭିଆଇ ରତିକାନ୍ତ ନାହାକଙ୍କ ସମେତ ପରିବହନ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ ।
