
୯ମେ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ସଦର ଥାନା ସିଏମସି ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ନିକଟସ୍ଥ କାଚରାମାଳ ଗ୍ରାମ ଉତ୍ସବ ମୁଖର ହୋଇଛି । ଶ୍ରୀ ଶ୍ରୀ ଲକ୍ଷେଶ୍ୱର ମହାଦେବଙ୍କ ପ୍ରସିଦ୍ଧ ଚନ୍ଦନ ଚାପ ଏବଂ ଯାତ୍ରା ମଙ୍ଗଳବାର ସନ୍ଧ୍ୟା ଠାରୁ ଆରମ୍ଭ ହୋଇଛି । ଏହା ଆସନ୍ତା ୧୩ ତାରିଖରେ ଶେଷ ହେବ । ଆଜି ଥିଲା ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କର ପହିଲି ଚନ୍ଦନ ଚାପ ଏବଂ ଅପେରା ଦେଖା । ଅପରାହ୍ନରେ କାଚରାମାଳ ଗ୍ରାମର କେତେକ ମୁରବୀ ଚନ୍ଦନ ଚାପ ପାଇଁ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମାକୁ ସୁଶୋଭିତ ବିମାନରେ ବସାଇ ଚନ୍ଦନ ଚାପକୁ ଆସିବା ପାଇଁ ନିମନ୍ତ୍ରଣ ଥାଳି ନେଇ ମନ୍ଦିରରେ ପହଞ୍ଚିଥିଲେ । ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମା ଚନ୍ଦନ ଚାପ ଖେଳିବାକୁ ଯିବାର କାର୍ଯ୍ୟକ୍ରମ ଥିବାରୁ ସେବାୟତ ମାନେ ଲକ୍ଷେଶ୍ୱରଙ୍କ ସାନ୍ଧ୍ୟ ନିତିକାନ୍ତି ଶେଷ କରିଥିଲେ । ନିତିକାନ୍ତି ଶେଷ ହେବା ପରେ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ର ଶେଖରଙ୍କୁ ମନ୍ଦିରରୁ ବାହାର କରାଯାଇ ପୂର୍ବରୁ ଚନ୍ଦନ ଚାପ ପାଇଁ ପ୍ରସ୍ତୁତ ହୋଇ ରହିଥିବା ବିମାନରେ ବସାଇ ମନ୍ଦିର ଚାରିପଟ ପରିକ୍ରମା କରାଯାଇଥିଲା । ମନ୍ଦିର ପରିକ୍ରମା ସାରିବା ପରେ ବାଜା ଘଣ୍ଟ ବଜାଇ ଏକ ଶୋଭାଯାତ୍ରାରେ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମା ବିମାନକୁ ବେହେରା ମାନେ କାନ୍ଧେଇ ପୁରୁଣା କାଚରାମାଳ ନିକଟସ୍ଥ କୁଆଖାଇ ନଦୀର ଚନ୍ଦନ ଘାଟ ମଣ୍ଡପକୁ ଆଣିଥିଲେ । ଚନ୍ଦନ ଘାଟ ମଣ୍ଡପରେ ବିମାନକୁ ଅବସ୍ଥାନ କରାଯାଇଥିଲା । ପରେ ପରେ ବିମାନରୁ ଚଳନ୍ତି ପ୍ରତିମା ଚନ୍ଦ୍ର ଶେଖରଙ୍କୁ ବାହାର କରାଯାଇ , ଚାପ ଖେଳିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ନୌକାରେ ବସାଇ, କୁଆଖାଇ ନଦୀରେ ପ୍ରଥମେ ଦିନ ଚାପ ଏବଂ ପରେପରେ ରାତି ଚାପଖେଳ ଅନୁଷ୍ଠିତ ହୋଇଥିଲା । ଚାପ ଶେଷ ହେବା ପରେ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମାକୁ ସେବାୟତ ମାନେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା, ମେଣ୍ଢା କୁଡିଆରେ ହଳଦୀ ପାଣିରେ ସ୍ନାନ କରାଯାଇ ଚନ୍ଦନ ବେଷ କରାଯାଇଥିଲା । ଏହି ଦୃଶ୍ୟ ଦେଖିବା ପାଇଁ ଦୀର୍ଘ ଏକ ବର୍ଷ ଧରି ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ମାନେ ଏହାକୁ ଦେଖିବାର ସୁଯୋଗ ପାଇଥିଲେ । ପରେ ପରେ ଚନ୍ଦନ ଘାଟ ମଣ୍ଡପରେ ଚଳନ୍ତି ପ୍ରତିମାକୁ ବିମାନରେ ବସାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇ ଭୋଗ ଲାଗି କରାଯାଇଥିଲା । ଭୋଗ ଖାଇସାରିବା ପରେ ଲକ୍ଷେଶ୍ୱରଙ୍କ ବିମାନକୁ ବେହେରା ମାନେ କାନ୍ଧେଇ ବାଜା ବାଣ ରେଷଣୀ କରି ଗ୍ରାମ ଭୀତର ରାସ୍ତାରେ ଆସି ଚନ୍ଦନ ଯାତ୍ରା ପଡ଼ିଆରେ ପହଞ୍ଚି ମଣ୍ଡପରେ ଅବସ୍ଥାନ କରିଥିଲେ । ଗ୍ରାମ ଭିତରେ ଶୋଭାଯାତ୍ରାରେ ବିମାନ ଆସିଲା ବେଳେ ଶ୍ରଦ୍ଧାଳୁ ମାନେ ଲକ୍ଷେଶ୍ୱରଙ୍କୁ ଭୋଗ ଖୁଆଇଥିଲେ । ଚନ୍ଦନ ଯାତ୍ରା ପଡ଼ିଆରେ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମାଙ୍କୁ ପ୍ରଥମ ଦିନ ପୁରୁଣା କାଚରାମାଳ ଗ୍ରାମର ବ୍ରାହ୍ମଣ ପରିବାରଙ୍କ ପକ୍ଷରୁ ପକଂନ୍ତି ଭୋଗ ଖୁଆଇଥିଲେ । ଏହି ଅବସରରେ କିଛି ସମୟ ପାଇଁ ପାରମ୍ପରିକ ସଂକୀର୍ତ୍ତନ କାର୍ଯ୍ୟକ୍ରମ କରାଯାଇଥିଲା । ପରେ ପରେ ଦର୍ଶକଙ୍କ ମନୋରଞ ପାଇଁ ଅପେରା ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ କୁ ପୁରୁଣା କାଚରାମାଳ ଗ୍ରାମ୍ୟ କମିଟିର ସଭାପତି, ସଂପାଦକ, ସମସ୍ତ ସଦସ୍ୟ ଏବଂ ଗ୍ରାମର ସମସ୍ତ ଯୁବକ ପରିଚାଳନା କରିବାରେ ସହଯୋଗ କରିଥିଲେ ।

