ଆନ୍ଧ୍ରରେ ଅର୍ଥ କାରବାର ମାମଲାରେ ଗିରଫ ହୋଇ ପାରନ୍ତି ବିଜେପି ନେତା : ବିଜେଡି

1. ଖୁବ୍‍ଶୀଘ୍ର ଆନ୍ଧ୍ରରେ ରୁଜୁ ହେବାକୁ ଯାଉଛି ଫୌଜଦାରୀ ମାମଲା

2. ବିଧାନ ପରିଷଦ ସଦସ୍ୟ କରାଇବାକୁ କହି ଆଦାୟ ହୋଇଛି ଅର୍ଥ

3. ଓଡିଶା ବିଜେପିକୁ ସତର୍କ କରାଇଲେ ବିଜେଡି ପ୍ରବକ୍ତା

4. ରାଜନୈତିକ ମନ୍ତବ୍ୟ ଦେବାରୁ ବିବାଦୀୟ ନେତାଙ୍କୁ ଦୂରେଇ ରଖିବାକୁ ପରାମର୍ଶ

୮ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସମସ୍ତେ ଜାଣନ୍ତି, ଜୀବନରେ ୱାର୍ଡ଼ମେମ୍ବର ନିର୍ବାଚନରେ ବି ଜିତି ପାରିନଥିବା ଓଡ଼ିଶା ବିଜେପିର କୁହାଳିଆ ନେତା ପୃଥ୍ୱୀରାଜ ହରିଚନ୍ଦନ ସବୁବେଳେ ଓଡ଼ିଶା ବିରୋଧୀ ବୟାନ ଦିଅନ୍ତି । ଏଯାଏ ରାଜନୀତିରେ ସାବାଳକ ପ୍ରାପ୍ତ ହୋଇନଥିବା ପୃଥ୍ୱୀରାଜଙ୍କୁ ଓଡ଼ିଶାରେ କେହି ଜଣେ ମଧ୍ୟ ଗୁରୁତ୍ୱର ସହ ନିଅନ୍ତି ନାହିଁ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ତୁମ୍ବନାଥ ପଣ୍ଡା ।  ଆଜି ଏଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶାରେ କେଉଁ ମଡେଲ ଶାସନ ଚାଲିଛି, ସେ ବିଷୟରେ ବଡ଼ ବଡ଼ କଥା କହୁଥିବା ପୃଥ୍ୱୀରାଜ ବାବୁ ନିଶ୍ଚୟ ଭଲ ଭାବରେ ଜାଣିଥିବେ ଯେ ଗୋଟିଏ ଆନ୍ଧ୍ର ମଡେଲ୍ ମଧ୍ୟ ରହିଛି ।

ଯେଉଁ ମଡେଲରେ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର ସଦସ୍ୟ କରିଦେବା ପାଇଁ ଆଶାୟୀମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ ହୋଇଛି । ଶୁଣିବାକୁ ମିଳୁଛି, ଏହି କେଳେଙ୍କାରୀକୁ ନେଇ ଫୌଜଦାରୀ ମାମଲା ମଧ୍ୟ ହେବାକୁ ଯାଉଛି ଏବଂ ଏଥିରେ ସଂପୃକ୍ତ ଲୋକ ଖୁବଶୀଘ୍ର ଗିରଫ ହେବାର ସମ୍ଭାବନା ରହିଛି ।  ଓଡ଼ିଶା ବିଜେପିର କାର୍ଯ୍ୟଶୈଳୀ ଦେଖି ଲାଗୁଛି, ବୋଧହୁଏ ତାଙ୍କ ଦଳର ରାଜ୍ୟ ସଂଗଠନରେ କେହି ବିଧାୟକ କିମ୍ବା ସାଂସଦ ନାହାନ୍ତି ଯିଏକି ରାଜନୈତିକ ପ୍ରସଙ୍ଗରେ ମନ୍ତବ୍ୟ ଦେଇପାରିବେ ।

ନହେଲେ ଫୌଜଦାରୀ ମାମଲାରେ ଛନ୍ଦି ହୋଇ ଯେକୌଣସି ମୁହୂର୍ତ୍ତରେ ଜେଲ ଯିବାର ଆଶଙ୍କା ଥିବା ଜୁନିୟର ଲୋକଙ୍କୁ ଗଣମାଧ୍ୟମରେ ମନ୍ତବ୍ୟ ଦେବାକୁ ଛାଡ଼ି ନଥାନ୍ତେ । ତେଣୁ ଓଡ଼ିଶା ବିଜେପିକୁ ଆମର ପରାମର୍ଶ, ଆଗକୁ ସେମାନେ ଏ ନେଇ ସତର୍କ ରୁହନ୍ତୁ । ନଚେତ ଏଭଳି ବିବାଦୀୟ ଓ କଳଙ୍କିତ ଛବି ଥିବା ନେତାଙ୍କ ଯୋଗୁଁ ଦଳକୁ ବହୁ ମୂଲ୍ୟ ଦେବାକୁ ପଡ଼ିପାରେ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Exit mobile version