ଜିଲ୍ଲାପାଳ ଭିଡିଓ କନଫରେନ୍ସ ଜରିଆରେ ସରପଞ୍ଚ ମାନଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନ କଲେ – ପାରଳାଖେମୁଣ୍ଡି

ଓଡିଶା ତାଜା ନ୍ୟୁଜ୍ (୨୧ ଜୁନ ୨୦୨୦ ରବିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାପାଳ ଅନୁପମ ସାହା ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରତି ପଞ୍ଚାୟତ ସମିତିର ସରପଞ୍ଚ ମାନଙ୍କ ସହ କରୋନା ସ୍ଥିତି ନେଇ ଅନୁଧ୍ୟାନ କରିବା ସହ ଆଗାମୀ ଦିନରେ କରୋନାର ମୁକାବିଲା ପାଇଁ ଆହୁରି ଅଧିକା ସଜାଗ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ପ୍ରାରମ୍ଭରେ ସରପଞ୍ଚମାନଙ୍କୁ ସ୍ୱାଗତ କରିବା ସହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଠିକ ଭାବେ ଚଲାଉଥିବା ଯୋଗୁଁ ଧନ୍ୟବାଦ ମଧ୍ୟ ଦେଇଥିଲେ । ମଇ ମାସ ୨୩ ତାରିଖରେ ଜିଲାର ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଜୁନ୍ ୧୯ ତାରିଖରେ ଏହା ୧୯୧ରେ ପହଂଚି ଥିଲା । ଏହି ଘଟଣାକୁ ସମସ୍ତେ ଗୁରୁତର ସହ ନେବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ ।

ପ୍ରତ୍ୟେକ ଜନସାଧାରଣ ଏଥିରେ ସହଯୋଗ କରିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ । ଜିଲ୍ଲାରେ ବଢୁଥିବା କରୋନା ରୋଗୀଙ୍କ ସଙ୍ଖ୍ୟାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରେ ଅଧିକ ସଚେତନ ହେବା ସହ ସଙ୍ଗରୋଧରୁ ଫେରିଲା ପରେ ପୁଣି ନିଜ ଘରେ ସଙ୍ଗରୋଧରେ ରହିବା ସହ ସାମାଜିକ ଦୂରତା ଓ ମାସ୍କ ପରିଧାନ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଏହା ଉପରେ ନିରୀକ୍ଷଣ କରୁଥିବା ଦଳ ଯଥା ଆଶା, ଅଙ୍ଗନବାଡି ଏବଂ ଏ.ଏନ୍‌.ଏମ୍‌. କିପରି ସବୁ ଲୋକଙ୍କ ପାଖରେ ପହଂଚିବା ସହ ସେମାନଙ୍କ ଲକ୍ଷ୍ୟଣ ଗୁଡିକୁ ଚିହ୍ନଟ କରିବେ ସେ ଉପରେ ଆଲୋଚନା କରିଥିଲେ । ସରକାରଙ୍କ ପକ୍ଷରୁ ପ୍ରତି ୱାର୍ଡରେ ୱାର୍ଡସ୍ତରୀୟ କମିଟି ଗଠନ କରି ତାର ଦାୟିତ୍ୱ ୱାର୍ଡ ମେମ୍ବରଙ୍କ ଉପରେ ନ୍ୟସ୍ତ କରିବା ସହ କମିଟି କିପରି ଅଧିକ ସକ୍ରିୟ ହେବ ସେ ଉପରେ ସେ ସରପଞ୍ଚମାନଙ୍କ ସହ କଥା ବାର୍ତ୍ତା କରିଥିଲେ ।

ଏହି ବିଷୟ ଉପରେ ବିଭିନ୍ନ ବ୍ଲକ ର ବିଡିଓ ମାନଙ୍କୁ ପଚାରି ଜିଲ୍ଲାପାଳ ବୁଝିଥିଲେ ଯେ ଜିଲ୍ଲାରେ ଆବଶ୍ୟକଥିବା ୧୮୬୫ ସଂଖ୍ୟକ ୱାର୍ଡସ୍ତରୀୟ କମିଟି ଭିତରୁ ୧୧୮୦ ଗୋଟି ୱାର୍ଡରେ କମିଟି ତିଆରି ହୋଇଛି । ୱାର୍ଡ କମିଟିର ୱାର୍ଡ ମେମ୍ବର ଅଧ୍ୟକ୍ଷ ଥିବାବେଳେ ଜଣେ ଶିକ୍ଷକ ଆବାହକ ଭାବେ ଏବଂ ଆଶା, ଅଙ୍ଗନବାଡି ସ୍ୱେଚ୍ଛାସେବୀ ଅନୁଷ୍ଠାନରୁ ଜଣେ ଲେଖାଁଏ ସଭ୍ୟ ରହିଛନ୍ତି । ଆଗାମୀ ଦିନରେ ପ୍ରତି ପଞ୍ଚାୟତରେ ଚାଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଭିଡ୍ କେୟାର ସେଣ୍ଟାର ଭାବେ କାମ କରିବା ସହ ଏହାର ଦାୟିତ୍ୱ ସରପଞ୍ଚ ନେବେ ବୋଲି କୁହାଯାଇଥିଲା । ସରପଞ୍ଚମାନେ ପ୍ରତି ୱାର୍ଡରେ ୱାର୍ଡ ମେମ୍ବର ମାନଙ୍କୁ ଧରି ବୈଠକ କରିବା ସହ ଡାକବାଜି ଯନ୍ତ୍ର ଜରିଆରେ ଲୋକମାନଙ୍କୁ ସଚେତନତା କରିବା ଆବଶ୍ୟକ ବୋଲି ଶ୍ରୀ ଶାହା କହିଥିଲେ l (ଗରୁଡ଼ ଧ୍ୱଜ ଚୌଧୁରୀ-ଗଜପତି ଜିଲ୍ଲା )

Exit mobile version