୨ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପଦ୍ମପୁର :- ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ଶ୍ରୀ ନୃସିଂହନାଥଠାରେ ବୈଶାଖ ମେଳା ସୋମବାର ଆରମ୍ଭ ହୋଇଯାଇଛି । ଏକ ଭବ୍ୟ କଳସ ଶୋଭାଯାତ୍ରାରେ ବାହାରି ମା’, ଭଉଣୀ ତଥା ଭକ୍ତମାନେ ଝରଣାର ଗଣେଶ ଘାଟରେ ପବିତ୍ର ପାଣି କଳସରେ ଆଣି ବିଶ୍ୱଶାନ୍ତି ମହାଯଜ୍ଞ ପୀଠରେ ସ୍ଥାପନ କରିଥିଲେ । କର୍ତ୍ତା ଭାବେ ଚୂଡ଼ାମଣି ଭୁଏ ଓ ତାଙ୍କ ଧର୍ମପତ୍ନୀ ସନ୍ତୋଷିନୀ ଭୁଏ ଦାୟିତ୍ୱ ତୁଲାଉଛନ୍ତି । ମୁଖ୍ୟ ପଣ୍ଡିତ ଡ଼ିଗ୍ରୀଧର ଦେବତାଙ୍କ ସହ ୧୧ ଜଣ ଦକ୍ଷ ପଣ୍ଡିତ ପୂଜାପାଠ ସହ ବିଶ୍ଵଶାନ୍ତି ମହାଯଜ୍ଞ ଓ ନୃସିଂହ ବୀଜ ମନ୍ତ୍ର ଜପ କରି ନିଜ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି । 
ବୈଶାଖ ମେଳାର ଦ୍ୱିତୀୟ ଦିବସ ଦିନରେ ଯଜ୍ଞ ପୀଠରେ ରୀତିନୀତି ସହ ପୂଜା ପାଠ, ହୋମ, ଆଳତୀ କରାଯାଇ ବିଶ୍ଵର ଶାନ୍ତି ଓ ମଙ୍ଗଳ ପାଇଁ ବିଶ୍ଵଶାନ୍ତି ମହାଯଜ୍ଞ ପୀଠରେ ହବନ କରାଯାଉଛି । ଆଜି ଭୋର୍ରୁ ମନ୍ଦିର ବାଳ ବ୍ରହ୍ମଚାରୀ ପଣ୍ଡିତମାନେ ନୃସିଂହନାଥ ମହାପ୍ରଭୁଙ୍କୁ ଯଥା ରୀତିରେ ପୂଜାର୍ଚ୍ଚନା କରି ହଜାର ହଜାର ଭକ୍ତ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବାରୁ ତାଙ୍କ ଦର୍ଶନ କରାଇଥିଲେ ।
