ଅନ୍ତର୍ଦେଶୀୟ ନୌ-ପରିବହନ ଅଧିନିୟମ ଚିଠା ପ୍ରସ୍ତୁତି ନେଇ କର୍ମଶାଳା

ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ରାଜ୍ୟ ଅନ୍ତର୍ଦେଶୀୟ ନୌ-ପରିବହନ ଅଧିନିୟମ ଚିଠା ପ୍ରସ୍ତୁତ ପୂର୍ବରୁ ଆଜି ସମସ୍ତ ଅଂଶୀଦାରମାନଙ୍କୁ ନେଇ ଭୁବନେଶ୍ୱରଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ା କର୍ମଶାଳାରେ ବିଭିନ୍ନ ମତାମତ ସଂଗ୍ରହ ସମେତ ଅଧିନିୟମର କାର୍ଯ୍ୟକାରିତା ନେଇ ବ୍ୟାପକ ଆଲୋଚନା ହୋଇଥିଲା । ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କର୍ମଶାଳାରେ ଯୋଗଦେଇ କହିଲେ ଯେ ଅଂଶୀଦାରମାନଙ୍କର ମୂଲ୍ୟବାନ ମତାମତ ସଂଗ୍ରହ ହେଉଛି ଏହି କର୍ମଶାଳା ଅୟୋଜନର ମୂଳ ଉଦ୍ଦେଶ୍ୟ ଓ ଏହା ଅଧିନିୟମର ପ୍ରସ୍ତୁତି ଏବଂ କାର୍ଯ୍ୟାନ୍ୱୟନରେ ସହାୟକ ହେବ ।

ସେ ପୁଣି କହିଲେ ଯେ ୨୦୦୪ରେ ପ୍ରଣୀତ ଓଡ଼ିଶା ରାଜ୍ୟ ବୋଟ୍‌ ଅଧିନିୟମ ୧୯ ବର୍ଷ ପରେ ପରିବର୍ତ୍ତିତ ହେଉଛି । କେନ୍ଦ୍ରୀୟ ଆଇନ ଢାଞ୍ଚାରେ ଏହା ନୂଆ ରୂପ ନେବ । ଜଳପଥ ଯାତ୍ରୀ ଏବଂ ମାଲ ପରିବହନ କ୍ଷେତ୍ରରେ ନିରାପତ୍ତା ଓ ବୈଷୟିକ ଜ୍ଞାନକୌଶଳ ଉପରେ ଗୁରୁତ୍ୱ ରଖିଥିବା ଏହି ଅଧିନିୟମ କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଜଳପଥରେ ଉଭୟ ଯାତ୍ରୀ ଓ ପଣ୍ୟ କାରବାର ବୃଦ୍ଧି ଘଟିବ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତ ସରକାରଙ୍କ ଜାହଜ ଚଳାଚଳ ମନ୍ତ୍ରାଳୟର ପୂର୍ବତନ ମହାନିର୍ଦ୍ଦେଶକ ଡ. ପୂର୍ଣ୍ଣେନ୍ଦୁ ମିଶ୍ର କହିଲେ ଯେ ଆନ୍ତର୍ଜାତିକ ସ୍ତରରେ ବହୁ ସୁନ୍ଦର ଓ ଉନ୍ନତ ମାନର ଜଳପଥ ପରିବହନ ବ୍ୟବସ୍ଥା ପ୍ରଚଳିତ ଥିବାବେଳେପ୍ରସ୍ତୁତ ହେବାକୁ ଯାଉଥିବା ଅଧିନିୟମରେ ଉଭୟ ବୃହତ୍‌ ଓ ସାଧାରଣ ଅଂଶୀଦାରଙ୍କ ମତାମତକୁ ଗୁରୁତ୍ୱ ଦେବା ଅପରିହାର୍ଯ୍ୟ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସଂଜୟ ମିଶ୍ର କହିଥିଲେ ଯେ ଅନ୍ତର୍ଦେଶୀୟ ଜଳପଥ ପରିବହନ ବ୍ୟବସ୍ଥା ହେଉଛି ସ୍ୱଳ୍ପ ବ୍ୟୟସଂପନ୍ନ ପରିବହନ ବ୍ୟବସ୍ଥା । ଜଳପଥରେ ସ୍ଥଳପଥ ଅପେକ୍ଷା ଅଧିକ ଓଜନର ପଣ୍ୟସାମଗ୍ରୀ ପରିବହନ ହୋଇଥାଏ ଓ ଏହି ବ୍ୟବସ୍ଥା ମଧ୍ୟ ପରିବେଶ ଅନୁକୂଳ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଜ୍ୟ ବନ୍ଦର ଏବଂ ଅନ୍ତର୍ଦେଶୀୟ ଜଳପଥ ପରିବହନ ନିର୍ଦ୍ଦେଶକ ଇଂ ପଦ୍ମଲୋଚନ ରାଉଳ ସ୍ୱାଗତ ସୂଚନା ଦେଇ ଅନ୍ତର୍ଦେଶୀୟ ନୌ-ପରିବହନ ଅଧିନିୟମ ପ୍ରସ୍ତୁତ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି କହିବା ସହିତ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ କାମନା କରିଥିଲେ ।

ଆଗାମୀ ଦିନରେ ଚିଲିକାରେ ସୌରଶକ୍ତିଚାଳିତ ଏବଂ ବିଦୁ୍ୟତଚାଳିତ ବୋଟ୍‌ ଚଲାଇବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଥିଲେ ା ରାଜ୍ୟରେ ପ୍ରଣୟନ ହେବାକୁ ଥିବା ଏହି ଅନ୍ତର୍ଦେଶୀୟ ନୌକା ଅଧିନିୟମ ସଂପର୍କିତ ସୂଚନା ଏବଂ ବିବରଣୀକୁ ରାଷ୍ଟ୍ରୀୟ ଅନ୍ତର୍ଦେଶୀୟ ନାଭିଗେସନ୍‌ ପ୍ରତିଷ୍ଠାନ (କ୍ତଔକ୍ତଔ)ର ପ୍ରକଳ୍ପ ନିର୍ଦ୍ଦେଶକ କ୍ୟାପ୍‌ଟେନ୍‌ ଆଇ. ଭି. ସୋଲାଙ୍କି ପାୱାର ପଏଣ୍ଟରେ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଅଂଶୀଦାର ଭାବେ ଯୋଗଦେଇଥିବା ବିଭିନ୍ନ ବୀମା କମ୍ପାନୀର ପ୍ରତିନିଧି, ବୋଟ ନିର୍ମାତା, ବନ୍ଦର ବିକାଶକାରୀ ସଂସ୍ଥାର ପ୍ରତିନିଧି, ବୋଟ ମାଲିକ, ବୋଟ ଚାଳକ ସଂଘର ସଦସ୍ୟ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଏବଂ ସଂପୃକ୍ତ ସରକାରୀ ବିଭାଗର ଅଧିକାରୀମାନଙ୍କ ମଧ୍ୟରେ ମତବିନିମୟ ହୋଇଥିଲା । ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version