୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ଇ-ଆକାଉଣ୍ଟ ସ୍ଲିପ୍ ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ ଲେଖା ନିୟନ୍ତ୍ରକ ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଲେଖା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଲେଖା ନିୟନ୍ତ୍ରିକା ଶ୍ରୀମତୀ ଦିବାରାଣୀ ଦୋରାଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ୪ ଜଣ ଶିକ୍ଷୟିତ୍ରୀ ଓ ଜଣେ କର୍ମଚାରୀଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସେମାନଙ୍କର ଇ-ଆକାଉଣ୍ଟ ସ୍ଲିପ୍ ପ୍ରଦାନ କରାଯାଇଥିଲା ।
କ୍ରମାଗତ ଭାବେ ଦୁଇ ବର୍ଷ ଧରି ଆର୍ଥିକ ବର୍ଷ ସମାପ୍ତ ହେବାର ମାତ୍ର ଏକମାସ ମଧ୍ୟରେ ଇ-ଆକାଉଣ୍ଟ ସ୍ଲିପ୍ ପ୍ରଦାନ କରାଯାଇପାରୁଛି; ଯାହାକି କାର୍ଯ୍ୟାଳୟର ଦକ୍ଷତାକୁ ପରିପ୍ରକାଶ କରୁଛି । ବୈଷୟିକ ଜ୍ଞାନକୌଶଳ ଉପଯୋଗରେ ତ୍ରେମାସିକ ଆକାଉଣ୍ଟ ଏକତ୍ରିକରଣ ସମ୍ପୂର୍ଣ୍ଣ ହେବା ହେତୁ ଏହି ସୁବିଧା ଉପଲବ୍ଧ କରାଯାଇପାରୁଛି । ଏତଦ୍ୱାରା ଅନ୍ୟୁନ ୫୪,୩୨୪ ଜିପିଏଫ୍ ହିତାଧିକାରୀ ଉପକୃତ ହୋଇପାରିବେ ।
