୨୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ :- ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ସ୍ବାସ୍ଥ୍ୟ ଅଧିକାରୀ ଡ଼.ଚାରୁବାଳା ରଥ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଆଶା,ଗାଁ କଲ୍ୟାଣ ସମିତି,ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତିର ସମ୍ମିଳନୀ ଆୟୋଜିତ ହୋଇଯାଇଛି। ପ୍ରାରମ୍ଭରେ ମୁଖ୍ୟ ଚିକିତ୍ସାଧିକାରୀ ଡ଼.ରଥ ସମାବେଶର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସମାବେଶରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ,ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ଼. ସାଧୁ ଚରଣ ଦାଶ,ଡ଼.ବିଭୁତି ଭୂଷଣ ମେହେର,ଡ଼.ସୁଶାନ୍ତ କର,ଡ଼.ସରୋଜ କୁମାର ସେଠ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାବିତ୍ରୀ କୁମରା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ ଓ ଜିଲ୍ଲା ଚିକିତ୍ସାଳୟ କାର୍ଯ୍ୟକ୍ରମ ପରିଚାଳକ ଗିରିଜା ଶଙ୍କର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।
ଆଶାକର୍ମୀ ମାନେ ତୃଣମୂଳ ସ୍ତରରେ ସରକାରଙ୍କ ଦ୍ୱାରା ପ୍ରଚଳିତ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ସେବାର ଯୋଜନା ଗୁଡ଼ିକୁ ସଠିକ ଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛନ୍ତି। ଜରୁରୀକାଳୀନ ପରିସ୍ଥିତିରେ ସଠିକ ସମୟରେ ଗାଁ ଲୋକଙ୍କୁ ସଠିକ ସୂଚନା ଓ ମାର୍ଗଦର୍ଶନ ଦେଇ ସରକାରୀ ଡାକ୍ତରଖାନା ପହଞ୍ଚାଇ ଗର୍ଭବତୀ ଓ ପ୍ରସୂତି ମା ତଥା ଅନ୍ୟାନ୍ୟ ରୋଗୀଙ୍କ ଜୀବନ ରକ୍ଷା କରିବା ସହିତ ଶିଶୁ ଓ ମାତୃ ମୃତ୍ୟୁହାର କମ କରିବାରେ ଆଶାକର୍ମୀ ମାନଙ୍କ ସେବା ଅତୁଳନୀୟ।ଆଶାକର୍ମୀ ଗାଁ ଲୋକଙ୍କ ସୁସ୍ଥ ଜୀବନର ନୂତନ ଆଶାର କିରଣ ଦେଖାଇଛନ୍ତି।ଯେଉଁ ଅପହଞ୍ଚ ଇଲାକାକୁ ଡାକ୍ତର ପହଞ୍ଚି ପାରୁନାହାନ୍ତି ସେ ଭଳି ଅପହଞ୍ଚ ଇଲାକାରେ ଆଶାକର୍ମୀ ଟିଏ ଜୀବନର ଆଲୋକ ବର୍ତ୍ତିକା ଭାବେ କାମ କରୁଛନ୍ତି।କରୋନା ମହାମାରୀ ହେଉ ଅବା ଡାଇରିଆ,ମ୍ୟାଲେରିଆ,କୁଷ୍ଠ ନିରାକରଣ ଓ ଅନ୍ୟାନ୍ୟ ବିଭିନ୍ନ ସଂକ୍ରାମକ ଓ ଅଣସଂକ୍ରାମକ ରୋଗର ସଠିକ ସୂଚନା ଓ ପରାମର୍ଶ ଜନ ସାଧାରଣ ଙ୍କୁ ପ୍ରଦାନ କରି ଅମୂଲ୍ୟ ଜୀବନ ବଞ୍ଚାଇବାରେ ବିଶେଷ ସହାୟକ ହେଉଛନ୍ତି ବୋଲି ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ।
