‘ ଆଶ୍ରୟ ‘ ପକ୍ଷରୁ ସାହିତ୍ୟ ଉତ୍ସବ ଆୟୋଜନ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡ଼ା :- କୃଷିଭିତ୍ତିକ ପର୍ବ ପବିତ୍ର ଅକ୍ଷୟା ତୃତୀୟା ଅବସରରେ ରାୟଗଡ଼ ଜିଲ୍ଲା ସଦରମହକୁମା ଅ‌ନ୍ତର୍ଗତ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ପରିସରରେ ନୟାଗଡ଼ ଜିଲ୍ଲାର ଶରଣକୁଳ ଠାରେ ଅବସ୍ଥାପିତ ଆଶ୍ରୟ ଦିବ୍ଯାଙ୍ଗ ସେବାଶ୍ରମ ତରଫରୁ ଆଶ୍ରୟ ସାହିତ୍ୟ ଉତ୍ସବ -୨୦୨୩ ଆଲୋଚନାଚକ୍ର, ପତ୍ରିକା ଏବଂ ପୁସ୍ତକ ଉନ୍ମୋଚନ, ପ୍ରତିଭା ସମ୍ମାନ ଏବଂ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।ବିଶିଷ୍ଟ କବି ତଥା ଆଶ୍ରୟ ସଂଗଠନର ସଦସ୍ୟ ଶ୍ରୀଯୁକ୍ତ ଜୟଦେବ ସିଠଙ୍କ ସଂଯୋଜିତ ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ସୁସାହିତ୍ଯକ ଶ୍ରୀଯୁକ୍ତ ବଙ୍ଗାଳୀ ନନ୍ଦ ମୁଖ୍ଯ ଅତିଥି,ଡ଼: ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ବକ୍ତା, ଡ଼: ଗୌରାଙ୍ଗ ଚରଣ ରାଉତ, ଶ୍ରମିକ ନେତା ଶ୍ରୀ ଯୋଗେଶ୍ଵର ଦାସ , ଆଶ୍ରୟର ପ୍ରତିଷ୍ଠାତା ଲୋକନାଥ ଦାଶ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରି “ସାହିତ୍ୟରେ ଅବହେଳିତ ସଂପ୍ରଦାୟ”ଶୀର୍ଷକ ଆଲୋଚନାଚକ୍ରରେ ନିଜସ୍ଵ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅତିଥି ମାନଙ୍କ ସଂଗଠନର ମୁଖପତ୍ର ଆଶ୍ରୟ ଏବଂ କବୟିତ୍ରୀ ଶ୍ରୀମତୀ ଅହଲ୍ୟା ମହାରଣାଙ୍କ ତୃତୀୟ କବିତା ସଂକଳନ ‘ପୂର୍ବାଶା’ର ଉନ୍ମୋଚନ କରିଥିଲେ । ନାରୀ କବି ଶ୍ରୀମତୀ ପଦ୍ମିନୀ ମିଶ୍ର, ସସ୍ମିତା ମିଶ୍ର, ତ୍ରିବେଣୀ ମିଶ୍ର, ଅହଲ୍ୟା ମହାରଣା ଓ ମହେଶ୍ବତା ପାଣିଗ୍ରାହୀଙ୍କୁ ମାନପତ୍ର,ଅଙ୍ଗ ବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ୟଙ୍ଗ ଶିଳ୍ପୀ ପ୍ରଭାକର ମିଶ୍ର (ଟୁନା ଟନ ଟନ) ହାସ୍ୟରସ ପରିବେଷଣ କରିଥିଲେ ।ଦ୍ବିତୀୟ ଅଧିବେଶନରେ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସସ୍ମିତା ମିଶ୍ର, ପ୍ରଦିପ ନାୟକ,ମହେଶ୍ବତା ପାଣିଗ୍ରାହୀଙ୍କ ସଂଯୋଜନାରେ ୨୫ ଜଣରୁ ଉର୍ଦ୍ଧ୍ଵ କବି, କବୟିତ୍ରୀ ସ୍ବରଚିତ କବିତା ଆବୃତ୍ତି କରିଥିଲେ । କାର୍ଯକ୍ରମ ପ୍ରାରମ୍ଭରେ ପ୍ରଫୁଲ୍ଲ ନାହାକ ଦାସକାଠିଆ ମାଧ୍ୟମରେ ସଂଗୀତ ଏବଂ ବିଦ୍ୟାଳୟର ଛାତ୍ରୀ ବୃନ୍ଦ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ଚୌଧୁରୀ, ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ତ୍ରିବେଣୀ ମିଶ୍ର, କବି ଲଳିତ କୁମାର ଜେନାଙ୍କ ସହ ସ୍ଵାମୀ ବିବେକାନନ୍ଦ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲା ବେଳେ ଶ୍ରୀମତୀ ପଦ୍ମିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version