ପ୍ରଶାସନିକ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ; ସମାଜରେ ପରିବର୍ତ୍ତନ ଆଣିବା ପାଇଁ “ଟ୍ରାନ୍ସଫର୍ମେଟିଭ ଗଭର୍ଣ୍ମାନ୍ସ”ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
୨୧ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :– ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପକ୍ଷରୁ ଆଜି ଅପରାହ୍ଣରେ ଲୋକସେବା ଭବନ ସ୍ଥିତ କନଭେନ୍ସନ୍ ସେଣ୍ଟର ଠାରେ ସିଭିଲ ସର୍ଭିସ ଦିବସ ପାଳିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ପୁଲିସ୍ ସେବା ଅଧିକାରୀ, ଓଡିଶା ପ୍ରଶାସନିକ ସେବା ଅଧିକାରୀ ଓ ଅନ୍ୟ ସମସ୍ତ ପ୍ରଶାସନିକ ସେବା ଅଧିକାରୀମାନେ ଯୋଗ ଦେଇଥିଲେ । ସମାବେଶରେ ମୁଖ୍ୟ ଅତିଥିମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ । 
ସମାବେଶରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଆମର ସମ୍ବିଧାନ ଅନୁସାରେ ନାଗରିକମାନେ ହେଉଛନ୍ତି ଦେଶ ନିର୍ମାଣର ପ୍ରମୁଖ କ୍ଷେତ୍ର ଏବଂ ସେଥିପାଇଁ ସେମାନେ ଶାସନର କେନ୍ଦ୍ରବିନ୍ଦୁ ହେବା ଦରକାର । ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ଦାୟିତ୍ୱର ସହ ନାଗରିକମାନଙ୍କର କଲ୍ୟାଣକୁ ଗୁରୁତ୍ୱ ଦେବା । ବ୍ୟବସ୍ଥାରେ କେବଳ ଲକ୍ଷଣଗୁଡ଼ିକର ଚିହ୍ନଟ ପରିବର୍ତ୍ତେ ସମସ୍ୟାର ମୂଳ କାରଣଗୁଡିକ ଖୋଜି ଏହାର ସମାଧାନ କରି ସମାଜରେ ମୌଳିକ ପରିବର୍ତ୍ତନ ଆଣିବା ପାଇଁ “ଟ୍ରାନ୍ସଫର୍ମେଟିଭ ଗଭର୍ଣ୍ଣେନ୍ସ” ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଓଡ଼ିଶାରେ ପ୍ରଶାସନିକ ସେବାରେ ଉଭୟ ଆଚରଣଗତ ଓ ଆଭିମୁଖ୍ୟରେ ଉନ୍ନତି ଘଟୁଛି । ନୂତନ ଜ୍ଞାନକୌଶଳ ପ୍ରଶାସନିକ ଅଧିକାରୀମାନେଙ୍କୁ ଅଧିକ ଉତ୍ତରଦାୟୀ ଏବଂ ଦକ୍ଷ କରାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏ ଦିଗରେ ‘୫ଟି’ ଉପକ୍ରମ ଏବଂ ‘ମୋ ସରକାର’ ଆମ ଶାସନ ବିଷୟରେ ଲୋକଙ୍କ ଧାରଣାରେ ବାସ୍ତବ ପରିବର୍ତ୍ତନ ଆଣିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଥିଲେ । ପୂର୍ବରୁ ସିଭିଲ୍ ସର୍ଭିସ୍ ପାରମ୍ପରିକ ଭାବରେ ଊର୍ଦ୍ଧ୍ୱରୁ- ନିମ୍ନ ଆଭିମୁଖ୍ୟ ଆଧାରରେ ଗଠିତ ହୋଇଥିଲା, କିନ୍ତୁ ଏହି ଆଭିମୁଖ୍ୟକୁ ଅଧିକ ନାଗରିକ-କୈନ୍ଦ୍ରିକ ଶାସନ ଦୃଷ୍ଟିରୁ ସ୍ୱୀକୃତି ସହିତ କ୍ରମାଗତ ଭାବରେ ପରିବର୍ତ୍ତିତ ହେଉଛି । ବୈଷିୟିକ ଜ୍ଞାନକୌଶଳର ଅଗ୍ରଗତି, ଜନସାଧାରଣଙ୍କ ଆଶା ଏବଂ ନାଗରିକମାନେ ଶାସନର ପ୍ରକୃତ ହିତାଧିକାରୀ ବୋଲି ସ୍ୱୀକୃତି ଭଳି କାରଣରୁ ଏହି ପରିବର୍ତ୍ତନ ଘଟୁଛି । ଅଧିକ ନାଗରିକ-କେନ୍ଦ୍ରିକ ଏବଂ ସଫଳତା ଭିତ୍ତିକ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦେଉଥିବା ଆମ ସରକାର ବିଭିନ୍ନ ବିଭାଗ ଏବଂ ଅଂଶୀଦାରଙ୍କ ମଧ୍ୟରେ ଅଧିକ ସହଯୋଗକୁ ପ୍ରୋତ୍ସାହିତ କରିବା ସହିତ ନିଷ୍ପତ୍ତି ନେବା ଏବଂ ସେବା ପ୍ରଦାନରେ ଉନ୍ନତି ଆଣିବା ପାଇଁ ଟେକ୍ନୋଲୋଜି ଏବଂ ଡାଟା ବିଶ୍ଲେଷଣ ଉପରେ ଗୁରୁତ୍ୱ ଦେଉଛନ୍ତି । ପ୍ରଶାସନିକ କର୍ମଚାରୀମାନେ ପରିବର୍ତ୍ତିତ ସମୟରେ ଅଧିକ ସକ୍ରିୟ, ସୃଜନଶୀଳ ହେବା ଏବଂ ପ୍ରଶାସନିକ ସେବାର ମାନସିକତା ଏବଂ ସଂସ୍କୃତିରେ ପରିବର୍ତ୍ତନ କରି “ପରିବର୍ତ୍ତନଶୀଳ ଶାସନ”ର ଉଦ୍ଦେଶ୍ୟକୁ ଫଳପ୍ରଦ କରିବାରେ ସହାୟକ ହେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟ ବକ୍ତା ତଥା ଦେଶର ବିଶିଷ୍ଟ ପ୍ରଶାସନିକ ଅଧିକାରୀ ଆଇଏଏସ୍ (ଅବସରପ୍ରାପ୍ତ) ଅମରଜିତ ସିହ୍ନା ଯୋଗଦେଇ ‘ପରିବର୍ତ୍ତନକାରୀ ଶାସନ ପାଇଁ ପ୍ରଶାସନିକ ସେବା ପ୍ରସ୍ତୁତ କରିବା‘ ଶୀର୍ଷକରେ ପାଓ୍ୱାର ପଏଣ୍ଟ ଉପସ୍ଥାପନ ସହ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ସମ୍ପ୍ରତି ବିଗତ ବର୍ଷ ଗୁଡ଼ିକରେ ରାଜ୍ୟର ଅଭିବୃଦ୍ଧି ଏବଂ ଉପଲବ୍ଧି ବିଷୟରେ ସେ ତଥ୍ୟ ପ୍ରକାଶ କରି ଓଡିଶାର ‘୫ଟି‘ ଉପକ୍ରମ ଆଧାରରେ ବିକାଶର ଧାରା, ପ୍ରଭାବଶାଳୀ ବିପର୍ଯ୍ୟୟ ପରିଚାଳନା, ମିଶନ ଶକ୍ତି, କ୍ରୀଡ଼ା କ୍ଷେତ୍ରର ସଫଳତା ଏବଂ ୨୦୨୨ର ଏମଏସଏମଇ ନୀତି ଇତ୍ୟାଦି ସହ ପ୍ରଶାସନିକ ସଂସ୍କାର ବିଷୟରେ ଉଲ୍ଲେଖ କରିଥିଲେ । ଦ୍ରୁତ ବିକାଶ ଏବଂ ଐତିହାସିକ ବିକାଶ ବିଭାଜନକୁ ଦୂର କରିବା ପାଇଁ ରାଜ୍ୟ ସରକାର ନିଜର ମାନବ ସଂବଳ ବିନିଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହାନିର୍ଦ୍ଦେଶକ ରାଜ କୁମାର ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଓଡ଼ିଶାରେ ସିଭିଲ୍ ସର୍ଭିସ୍ ଦିବସ-୨୦୨୩ ପାଳନ ଆଭିମୂଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ନିଜ ଅଭିଭାଷଣରେ ସେ ସରକାରୀ କର୍ମଚାରୀଙ୍କ ନିଷ୍ଠା, କଠିନ ପରିଶ୍ରମ ଏବଂ ତ୍ୟାଗକୁ ସ୍ୱୀକୃତି ଦେବା ସହ ଏକ ସମାନ ଓ ସମୃଦ୍ଧ ସମାଜ ଗଠନ ଦିଗରେ କାର୍ଯ୍ୟ କରିବାର ପ୍ରତିବଦ୍ଧତାକୁ ଦୋହରାଇବା ପାଇଁ ସମସ୍ତଙ୍କୁ ସଚେତନ କରିଥିଲେ । ‘୫-ଟି’ ଚାର୍ଟର ଏବଂ ଆକ୍ସନ ପ୍ଲାନ କାର୍ଯ୍ୟକାରୀ ହେବା ଦ୍ୱାରା ଓଡ଼ିଶାରେ ସୁଶାସନର ଗତି ଉପରେ ଏକ ଗଠନମୂଳକ ପ୍ରଭାବ ପଡ଼ିଛି ବୋଲି ସେ ଆଲୋକପାତ କରିବା ସହ ସମସ୍ତଙ୍କୁ ଯଥାସମ୍ଭବ ଶ୍ରେଷ୍ଠତା ପ୍ରଦର୍ଶନ କରିବାକୁ ଉଦ୍ୟମ କରିବାକୁ ସେ ଅନୁରୋଧ କରିଥିଲେ ।
